ସୋହେଲା/ଶିବାଶିଷ ପଟ୍ଟନାୟକ :-ବରଗଡ଼ ଜିଲ୍ଲା ସୋହେଲା ପୋଲିସକୁ ଗଞ୍ଜେଇ ଚୋରାଚାଲାନ ବିରୋଧରେ ବଡ଼ ସଫଳତା ମିଳିଛି। ବିଜୁ ଏକ୍ସପ୍ରେସୱେରେ ଯାନବାହନ ତଲାଶି ସମୟରେ ପୋଲିସ ୧୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ସହ ଏକ ଡିଜାୟର କାର ଓ ଜଣେ ଯୁବକଙ୍କୁ ଗିରଫ କରିଛି।ସୂଚନା ଅନୁଯାୟୀ, ସୋହେଲା ଥାନାଧିକାରୀ ପ୍ରମାଦ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ଜାମପାଲି ଅଞ୍ଚଳରେ ବିଜୁ ଏକ୍ସପ୍ରେସୱେ ଉପରେ ଚେକିଂ ଅଭିଯାନ ଚାଲାଉଥିଲେ। ସେତେବେଳେ ଓଡି–୧୭ୟୁ–୫୬୫୬ ନମ୍ବର ଥିବା ଏକ ଡିଜାୟର କାର ପଦ୍ମପୁର ପଟରୁ ସୋହେଲା ଅଭିମୁଖେ ଆସୁଥିବା ବେଳେ ପୋଲିସ ସନ୍ଦେହରେ ଗାଡ଼ିଟିକୁ ଅଟକାଇ ତଲାଶି କରିଥିଲା।ତଲାଶି ସମୟରେ କାର ଭିତରୁ ପ୍ରାୟ ୧୬ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା। ପୋଲିସ ଗଞ୍ଜେଇକୁ ଜବତ କରିଥିବା ବେଳେ କାର ଚାଳକଙ୍କୁ ଗିରଫ କରିଥିଲା। ଗିରଫ ଯୁବକଙ୍କ ପରିଚୟ ଗାଇସିଲେଟ ଥାନା ଅଞ୍ଚଳର କଟାବାହାଲ ଗ୍ରାମର ତାପସ ପଣ୍ଡା ବୋଲି ଜଣାପଡ଼ିଛି। ପୋଲିସ ଡିଜାୟର କାରକୁ ମଧ୍ୟ ଜବତ କରିଛି।ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଏନଡିପିଏସ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗଞ୍ଜେଇ କେଉଁଠାରୁ ଆଣାଯାଉଥିଲା ଓ କେଉଁଠାକୁ ନେଇଯିବାକୁ ଯୋଜନା ଥିଲା ସେନେଇ ପୋଲିସ ଅଧିକ ତଦନ୍ତ ଚାଲାଇଛି।ସୋହେଲା ଥାନାଧିକାରୀ ପ୍ରମାଦ କୁମାର ସାହୁ କହିଛନ୍ତି, “ବିଜୁ ଏକ୍ସପ୍ରେସୱେରେ ଗଞ୍ଜେଇ ଚୋରାଚାଲାନ ହେଉଥିବା ସୂଚନା ମିଳିବା ପରେ ପୋଲିସ ଦଳ ଜାମପାଲି ଅଞ୍ଚଳରେ ଚେକିଂ କଡା କରିଥିଲା। ତଲାଶି ସମୟରେ ଡିଜାୟର କାରରୁ ୧୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଆଉ କିଏ କିଏ ଜଡିତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଛି।
ଏହି ସମ୍ପର୍କରେ ସୋହେଲା ଥାନା ମାମଲା (ନମ୍ବର ୬୯/୨୦୨୬ ) ରୁଜୁ କରି ଅନୁସନ୍ଧାନ ଆରମ୍ଭ କରାଯାଇଛି ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ସୂଚନା ଦେଇଛନ୍ତି।
”ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଫଳରେ ବିଜୁ ଏକ୍ସପ୍ରେସୱେ ମାର୍ଗରେ ଚାଲୁଥିବା ଗଞ୍ଜେଇ ଚୋରାଚାଲାନକୁ ବଡ଼ ଘାତ ଲାଗିଥିବା ବୋଲି ସ୍ଥାନୀୟ ମହଳରେ ଚର୍ଚ୍ଚା ହେଉଛି।








