ହେଡଲାଇନସ୍:

ବେଲଗୁଣ୍ଠା KSUB ଇଣ୍ଡେନ୍‌ରେ ଗ୍ୟାସ ବିତରଣରେ ବ୍ୟାପକ ଅନିୟମିତତା ଓ କଳାବଜାରୀ ଅଭିଯୋଗ: ଉତ୍ତେଜନା ପରେ ପୋଲିସ ମୁତୟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-୧୫/୩-ବେଲଗୁଣ୍ଠା ସହରର କେଏସୟୁବି ଇଣ୍ଡେନ୍ ଗ୍ୟାସ ବିତରଣ କେନ୍ଦ୍ରରେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି, ଯେଉଁଠାରେ ଗ୍ୟାସ ବିତରଣରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ଗ୍ରାହକମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ବିଶେଷକରି ବର୍ତ୍ତମାନର ଅନିଶ୍ଚିତତା କିମ୍ବା ଯୁଦ୍ଧକାଳୀନ ପରିସ୍ଥିତିକୁ ନେଇ ପେଟ୍ରୋଲିୟମ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି କିମ୍ବା ବଜାରରେ ସତରେ ଅଭାବ ରହିଛି, ସେ ନେଇ ଗ୍ରାହକଙ୍କ ମଧ୍ୟରେ ଏକ ପ୍ରକାର ଭୟ ଓ ଆତଙ୍କ ଖେଳିଯାଇଛି। ଗ୍ୟାସ୍ ଏକ ଅତ୍ୟାବଶ୍ୟକ ଦୈନନ୍ଦିନ ସାମଗ୍ରୀ ହୋଇଥିବା ବେଳେ ଏହାର ସଠିକ୍ ପରିଚାଳନା ନହେବା ସାଧାରଣ ଜନଜୀବନକୁ ବ୍ୟତିବ୍ୟସ୍ତ କରି ପକାଇଛି।ଗତ କିଛି ଦିନ ହେବ ଅନଲାଇନ୍ ଗ୍ୟାସ୍ ବୁକିଂ ବାଧାପ୍ରାପ୍ତ ହୋଇଥିବାରୁ ଶହ ଶହ ଗ୍ରାହକ ବାଧ୍ୟ ହୋଇ ବିତରଣ କେନ୍ଦ୍ରକୁ ଧାଇଁଥିଲେ। ମାତ୍ର ସେଠାରେ ପହଞ୍ଚିବା ପରେ ସେମାନେ ଦେଖିବାକୁ ପାଇଥିଲେ ଯେ, ବହୁ ପୂର୍ବରୁ ଅନ୍ୟ ଗ୍ରାହକଙ୍କ ନାମରେ ବୁକିଂ ହୋଇ ସିଲିଣ୍ଡରଗୁଡ଼ିକ ଡେଲିଭରୀ କରାଯାଇସାରିଛି। ଗ୍ରାହକଙ୍କ ଅଜାଣତରେ ସେମାନଙ୍କ ନାମରେ ବୁକିଂ ଦେଖାଇ ଗ୍ୟାସକୁ କଳାବଜାରୀ କରାଯାଉଥିବା ନେଇ ସନ୍ଦେହ ଘନୀଭୂତ ହେବା ପରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା।ଏହି ସମୟରେ ବିତରକ ସଂସ୍ଥାର କର୍ମଚାରୀମାନେ ଗ୍ରାହକଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଖବର ପାଇ ବେଲଗୁଣ୍ଠା ଥାନାଧିକାରୀ ରେବତୀ ଶବର ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ସେ ସେଠାକୁ ଦୁଇ ଜଣ କନେଷ୍ଟବଳଙ୍କୁ ମୁତୟନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ପୋଲିସର ହସ୍ତକ୍ଷେପ ଓ ଉପସ୍ଥିତି ପରେ ଧୀରେ ଧୀରେ ଗ୍ୟାସ୍ ବିତରଣ ସ୍ୱଭାବିକ ହୋଇଥିଲା। ତଥାପି, ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ କମିନାହିଁ। ସେମାନଙ୍କ ଅଗୋଚରରେ ଗ୍ୟାସ ବୁକିଂ କରାଯାଇ ଖୋଲା ବଜାରରେ ଚଢ଼ା ଦରରେ ବିକ୍ରି କରାଯାଉଥିବା ନେଇ ହେଉଥିବା ଅଭିଯୋଗର ଏକ ନିରପେକ୍ଷ ତଦନ୍ତ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

0
0
0
s2sdefault