ହେଡଲାଇନସ୍:

ପୋଲେରୁ ସେତୁ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ମାଲକାନଗିରି ଜିଲ୍ଲାପାଳ: କାମ ଶୀଘ୍ର ଶେଷ କରିବାକୁ କଡ଼ା ନିର୍ଦ୍ଦେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୁରୁତ୍ୱପୂର୍ଣ୍ଣ ପୋଲେରୁ ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ପ୍ରଥମେଶ ଆରବିନ୍ଦ ରାଜଶିର୍କେ। ଆଜି ନିର୍ମାଣାଧୀନ ସେତୁ ସ୍ଥଳ ପରିଦର୍ଶନ କରିବା ସହ କାମ କେତେଦୂର ଆଗେଇଛି, ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ଜିଲ୍ଲାପାଳ ସ୍ଥାନୀୟ ବାସିନ୍ଦାଙ୍କ ସହ ସିଧାସଳଖ କଥା ହୋଇଥିଲେ। ଏହି ସେତୁ କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ଅଞ୍ଚଳବାସୀଙ୍କ ଆବେଗ ଓ ସଂସ୍କୃତି ସହ ଜଡ଼ିତ। ବିଶେଷକରି ପ୍ରସିଦ୍ଧ ବଡ଼ ଯାତ୍ରା ସମୟରେ ଏହି ରାସ୍ତାର ଗୁରୁତ୍ୱ ଅଧିକ ରହିଥିବାରୁ, ଲୋକଙ୍କ ମହତ୍ତ୍ୱକୁ ସେ ସ୍ୱୀକାର କରିଛନ୍ତି। ଲୋକଙ୍କ ସୁବିଧା ଓ ସଂସ୍କୃତିର ସୁରକ୍ଷା ଆମର ପ୍ରାଥମିକତା - ଏହି ବାର୍ତ୍ତା ଦେଇ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେତୁ ନିର୍ମାଣରେ ହେଉଥିବା ବିଳମ୍ବକୁ ଦୂର କରି ତୁରନ୍ତ ଏହାକୁ ସମ୍ପୂର୍ଣ୍ଣ କରିବାକୁ ସେ କହିଛନ୍ତି।ସୂଚନାଯୋଗ୍ୟ ଯେ, ପୋଲେରୁ ସେତୁଟି ସ୍ଥାନୀୟ ଅଞ୍ଚଳକୁ ଆନ୍ଧ୍ରପ୍ରଦେଶ ସହ ସଂଯୋଗ କରିବା ପାଇଁ ଏକ ପ୍ରମୁଖ ସେତୁ। ଏହାର ନିର୍ମାଣ ଶେଷ ହେଲେ ହଜାର ହଜାର ଲୋକ ଉପକୃତ ହେବା ସହ ଯାତାୟାତରେ ବଡ଼ ପରିବର୍ତ୍ତନ ଆସିବ।

ସେହିପରି ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସମୃଦ୍ଧ କରିବା ପାଇଁ ବିଭିନ୍ନ ଧାର୍ମିକ ସ୍ଥଳର ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ଜିଲ୍ଲାପାଳ। ଏହି ପରିପ୍ରେକ୍ଷୀରେ, ପୋଲେରୁର ପ୍ରସିଦ୍ଧ ମାଉଳି ମା ମନ୍ଦିର ଏବଂ ମାନ୍ୟମକୋଣ୍ଡା ମନ୍ଦିର ପରିଦର୍ଶନ କରି ଦର୍ଶନ କରିଛନ୍ତି ଶ୍ରୀ ରାଜଶିର୍କେ। ମାନ୍ୟମକୋଣ୍ଡା ଅଞ୍ଚଳରେ ଥିବା ଏହି ପ୍ରସିଦ୍ଧ ପୀଠର ଉନ୍ନତିମୂଳକ କାର୍ଯ୍ୟକୁ ନେଇ ଆଲୋଚନା କରାଯାଇଛି। ଏହା ସହିତ ଟାଗରକୋଟା ପାହାଡ଼ ଉପରେ ଥିବା ପ୍ରସିଦ୍ଧ ଶିବ ମନ୍ଦିରର ନିର୍ମାଣାଧୀନ ଭିତ୍ତିଭୂମି କାର୍ଯ୍ୟ ବୁଲି ଦେଖିଛନ୍ତି। ସୂଚନାଯୋଗ୍ୟ ଯେ, ଟାଗର କୋଟାରେ ଏକ ୩୦ ଫୁଟ ଉଚ୍ଚର ମହାଦେବଙ୍କ ପ୍ରତିମା ଏବଂ ମାଇକ୍ରୋ-ପର୍ଯ୍ୟଟନ ସୁବିଧା ଯଥା ପାନୀୟ ଜଳ, ଆଲୋକୀକରଣ ଓ ପର୍ଯ୍ୟଟକଙ୍କ ପାଇଁ ବ୍ୟବସ୍ଥାର ବିକାଶ ଚାଲିଛି। ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥାନଗୁଡ଼ିକୁ ଅଧିକ ଆକର୍ଷଣୀୟ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହି ଗସ୍ତ ସମୟରେ କାଲିମେଳା ବ୍ଲକ କନିଷ୍ଠ ଯନ୍ତ୍ରୀ, ସହାୟକ ଯନ୍ତ୍ରୀ, ବ୍ଲକ ମଙ୍ଗଳ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

0
0
0
s2sdefault