ଭୁବନେଶ୍ୱର.୬ ମାର୍ଚ୍ଚ, ୨୦୨୬: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଓଡ଼ିଶା ଉତ୍ସବ। ମାର୍ଚ୍ଚ ମାସ ୮ ତାରିଖରେ କଲିକତା ଠାରେ ଥିବା ନ୍ୟାସନାଲ ଲାଇବ୍ରେରୀ ଅଡ଼ିଟୋରିୟମ୍ ଠାରେ ଆୟୋଜିତ ହେବ ଓଡ଼ିଶା ଉତ୍ସବ। ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ପଶ୍ଚିମବଙ୍ଗର ଓଡ଼ିଆ ସାହିତ୍ୟିକ ଏବଂ ପ୍ରବାସୀ ଓଡ଼ିଆ ସଂଗଠନମାନଙ୍କୁ ସମ୍ବର୍ଦ୍ଧିତ କରିବେ।
ଓଡ଼ିଶା ଉତ୍ସବରେ ଓଡ଼ିଶାର ଲୋକକଳା, ସମୃଦ୍ଧ ଐତିହ୍ୟ ଓ ପରମ୍ପରା, ପାରମ୍ପରିକ ଖାଦ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ ଆଦିକୁ ପ୍ରଦର୍ଶିତ କରାଯିବ। ଏଥିସହ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ, ସାହିଯାତ, ଛଉ, ଘୁମୁରା, ଢେମସା, ପଶୁମୁଖା, ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବେ।
ଓଡ଼ିଶା ଉତ୍ସବର ଆୟୋଜନକୁ ନେଇ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ମାଟି। ଆମ ସଂସ୍କୃତିକୁ ବିଶ୍ୱବିଦିତ କରିବା ଆମର ଲକ୍ଷ୍ୟ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଓଡ଼ିଶା ଉତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ସାଂସ୍କୃତିକ ଭାବବିନିମୟ ପାଇଁ ଓଡ଼ିଶା ଉତ୍ସବ ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବ। ଏଥିସହ ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲି ଚଳଣି, ଗାଥା ଗୌରବ ଓ ଆମ ପରମ୍ପରା ସହ ସମସ୍ତଙ୍କୁ ପୁନଃ ସଂଯୋଜିତ କରିବା ସହ ଏହାର ବହୁଳ ପ୍ରଚାର ଓ ପ୍ରସାର ଦିଗରେ ଓଡ଼ିଶା ଉତ୍ସବ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।








