ବିଜେପୁର :-ବରଗଡ ଜିଲ୍ଲାର ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଗ୍ରାମର ଗୌରୀଶଙ୍କର ସାହୁଙ୍କ ସୁପୁତ୍ର ସରୋଜ ସାହୁ ଦୀର୍ଘ ୧୬ ବର୍ଷର ଗୌରବମୟ ସେନା ସେବା ପରେ ଅବସର ଗ୍ରହଣ କରି ନିଜ ଜନ୍ମଭୂମିକୁ ଫେରିବା ପରେ ଅଞ୍ଚଳରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ତାଙ୍କୁ ଭବ୍ୟ ସ୍ବାଗତ ଓ ସମ୍ମାନ ଜଣାଇ ଗ୍ରାମର ଗୌରବକୁ ଉଚ୍ଚସ୍ଥାନରେ ଉଠାଇଛନ୍ତି।ସରୋଜ ସାହୁ ୧୫ ଜୁନ ୨୦୦୯ ରେ ଇଣ୍ଡିଆନ ଆର୍ମି ରେ ବେଙ୍ଗାଲୁରୁ ରେ ଯୋଗଦାନ କରିଥିଲେ। ସାଧାରଣ ପରିବାରରୁ ଆସିଥିବା ସରୋଜ ଛୋଟବେଳୁ ଦେଶସେବାର ସ୍ୱପ୍ନ ଦେଖୁଥିଲେ। କଠିନ ପ୍ରଶିକ୍ଷଣ ଓ ଶିଷ୍ଟାଚାର ମାଧ୍ୟମରେ ସେ ସେନାଜୀବନରେ ନିଜକୁ ପ୍ରମାଣ କରିଥିଲେ। ସେ ଇଂଜିନିୟର କ୍ଲାର୍କ ଭାବେ ଦାୟିତ୍ୱ ନିଭାଇ ଶାସନିକ ଓ ପ୍ରାଯୋଗିକ କାର୍ଯ୍ୟରେ ଦକ୍ଷତା ପ୍ରଦର୍ଶନ କରିଥିଲେ।
ତାଙ୍କ ସେବାକାଳୀନ ସମୟରେ ସେ ଦେଶର ବିଭିନ୍ନ ସେନସିଟିଭ୍ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କାର୍ଯ୍ୟରତ ଥିଲେ। ଆମ୍ବାଲା କେଣ୍ଟ, ତିରୁନେଲଭେଲି, କୋଚି, ଆସାମ, ହିମାଚଳ ପ୍ରଦେଶ ଓ ନାଗାଲାଣ୍ଡ ଭଳି ସ୍ଥାନରେ ସେ ନିଷ୍ଠା ଓ ସାହସ ସହ କର୍ତ୍ତବ୍ୟ ପାଳନ କରିଥିଲେ। ଦୁର୍ଗମ ପାହାଡ଼ିଆ ଅଞ୍ଚଳରୁ ଆରମ୍ଭ କରି ସୀମା ସୁରକ୍ଷା ସଂପର୍କିତ ଶିବିର ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ସେ ଅଧିକାରୀମାନଙ୍କ ନଜରରେ ପ୍ରଶଂସିତ ହୋଇଥିଲେ।
ସେନାରେ ରହି ସରୋଜ ସାହୁ ଶିଷ୍ଟାଚାର, ସମୟନିଷ୍ଠା ଓ ଦୃଢ଼ ସଙ୍କଳ୍ପର ଉଦାହରଣ ସୃଷ୍ଟି କରିଥିଲେ। ସହକର୍ମୀମାନଙ୍କ ସହ ସହଯୋଗୀ ଭାବେ କାମ କରି ସେ ଏକ ଦାୟିତ୍ୱଶୀଳ ସେନାସଦସ୍ୟ ଭାବେ ପରିଚିତ ହୋଇଥିଲେ। ଦୀର୍ଘ ୧୬ ବର୍ଷର ନିରନ୍ତର ସେବା ପରେ ସେ ୨୮ ଫେବୃଆରୀ ୨୦୨୬ ରେ ଅବସର ଗ୍ରହଣ କରିଥିଲେ।ଅବସର ପରେ ତାଙ୍କ ଜନ୍ମଭୂମିକୁ ଫେରିବା ଅବସରରେ ବରପାଲି ରେଲୱେ ଷ୍ଟେସନରେ ଗ୍ରାମବାସୀ, ସାଙ୍ଗସାଥି ଓ ସ୍ଥାନୀୟ ଯୁବମାନେ ଭବ୍ୟ ସ୍ବାଗତ ଆୟୋଜନ କରିଥିଲେ। ଫୁଲମାଳା ପିନ୍ଧାଇ ଓ ଜୟଧ୍ୱନି ସହ ସେନାଜବାନଙ୍କୁ ସମ୍ମାନ ଜଣାଯାଇଥିଲା। ପରେ ବରପାଲିରୁ ଜାରିଂ ଗ୍ରାମ ପର୍ଯ୍ୟନ୍ତ ଏକ ବିଶାଳ ବାଇକ୍ ରାଲି ଆୟୋଜିତ ହୋଇଥିଲା। ଘଣ୍ଟାବାଦ୍ୟ, ଡିଜେ ସାଉଣ୍ଡ ଓ ଦେଶଭକ୍ତିମୟ ସଙ୍ଗୀତର ମଧ୍ୟରେ ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ରାଲିରେ ଶତାଧିକ ଯୁବକ ଓ ଗ୍ରାମବାସୀ ଯୋଗଦେଇଥିଲେ।
ଗ୍ରାମକୁ ପହଞ୍ଚିବା ପରେ ଏକ ସାଧାରଣ ସଭାରେ ସରୋଜ ସାହୁଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସେ କହିଥିଲେ ଯେ, “ଦେଶ ସେବା କରିବା ମୋ ଜୀବନର ସବୁଠୁ ବଡ଼ ସଉଭାଗ୍ୟ। ସେନା ଜୀବନ ମୋତେ ଶିଷ୍ଟାଚାର, ସଂଯମ ଓ ଦାୟିତ୍ୱବୋଧ ଶିଖାଇଛି। ଏବେ ମୁଁ ମୋ ଗ୍ରାମ ଓ ଅଞ୍ଚଳର ଉନ୍ନତି ପାଇଁ ଯେପରି ସମ୍ଭବ କାମ କରିବି।”ସେ ଯୁବପିଢ଼ୀଙ୍କୁ ଦେଶସେବା ପାଇଁ ଆଗକୁ ଆସିବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ, ଲକ୍ଷ୍ୟ ସ୍ପଷ୍ଟ ଓ ମନୋବଳ ଦୃଢ଼ ଥିଲେ କୌଣସି ସ୍ୱପ୍ନ ଅସମ୍ଭବ ନୁହେଁ। ତାଙ୍କ କଥା ଶୁଣି ଉପସ୍ଥିତ ଯୁବମାନେ ପ୍ରେରିତ ହୋଇଥିବା ଦେଖାଗଲା।
ଗ୍ରାମବାସୀମାନେ କହିଛନ୍ତି, ସରୋଜ ସାହୁଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ଜାରିଂ ଗ୍ରାମ ଓ ବିଜେପୁର ଅଞ୍ଚଳ ପାଇଁ ଗର୍ବର ବିଷୟ। ତାଙ୍କ ସେନା ସେବା ଓ ଗୌରବମୟ ଅବସର ଯୁବପିଢ଼ୀଙ୍କ ପାଇଁ ଏକ ପ୍ରେରଣାଦାୟକ ଅଧ୍ୟାୟ ହେବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।ଏପରି ସ୍ବାଗତ ଓ ସମ୍ମାନ ଜଣାଇ ଗ୍ରାମବାସୀମାନେ ପ୍ରମାଣ କରିଦେଇଛନ୍ତି ଯେ, ଦେଶ ପାଇଁ ଜୀବନର ସର୍ବଶ୍ରେଷ୍ଠ ସମୟ ଅର୍ପଣ କରିଥିବା ସେନାଜବାନଙ୍କୁ ସମାଜ କେବେ ଭୁଲି ନାହିଁ। ସରୋଜ ସାହୁଙ୍କ ଜୀବନଯାତ୍ରା ଦେଶପ୍ରେମ, କର୍ତ୍ତବ୍ୟନିଷ୍ଠା ଓ ସମର୍ପଣର ଏକ ଉଜ୍ଜ୍ୱଳ ଉଦାହରଣ ଭାବେ ରହିବ।
ରାଜ୍ୟ
୧୬ ବର୍ଷ ସେନା ସେବା ପରେ ଜନ୍ମଭୂମିକୁ ଫେରିଲେ ସରୋଜ ସାହୁ, ଜାରିଂ ଗ୍ରାମରେ ଭବ୍ୟ ସ୍ବାଗତ
- Hits: 608








