ହେଡଲାଇନସ୍:

ସାଂସ୍କୃତିକ ଭାବବିନିମୟରେ ଅନୁବାଦ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୨ ମାର୍ଚ୍ଚ, ୨୦୨୬:  ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା, ମୁମ୍ବାଇର ମିଳିତ ଆନୁକୂଲ୍ୟରେ ମୁମ୍ବାଇ ସ୍ଥିତ ଓଡ଼ିଶା ଭବନ ଠାରେ "ଓଡ଼ିଆ-ମରାଠୀ ଅନୁବାଦ କର୍ମଶାଳା ଓ କବିତା ପାଠୋତ୍ସବ" କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ମରାଠୀ ସାହିତ୍ୟିକ ଦୀନେଶ ପ୍ରତାପ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ ମରାଠୀ ସାହିତ୍ୟର ସାରସ୍ୱତ କୃତି ଯଥା ଗଳ୍ପ, କବିତା, ପ୍ରବନ୍ଧ ଓ ଉପନ୍ୟାସ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରିବା ସହ ସେ ସବୁ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରାଯାଇ ପ୍ରବାସୀ ଓଡ଼ିଆ ପାଠକ ଓ ପାଠିକାମାନଙ୍କ ପାଇଁ ଯେପରି ଉପଲବ୍ଧ କରାଯାଇପାରିବ ସେ ସମ୍ବନ୍ଧରେ ନିଜର ମତ ରଖିଥିଲେ।

ମୁଖ୍ୟବକ୍ତା ଭାବେ ଶ୍ରୀମତୀ ରଶ୍ମି ମହାପାତ୍ର ଯୋଗଦେଇ କହିଥିଲେ ଯେ, "ସାହିତ୍ୟ ହେଉଛି ଆମ ସମାଜର ଦର୍ପଣ। ଏହା ଆମ ସମାଜର ବାସ୍ତବତାକୁ ପ୍ରଦର୍ଶିତ କରିବା ସହ ଆମ ସମୃଦ୍ଧ ସଂସ୍କୃତିର ତତ୍ତ୍ୱ ବହନ କରିଥାଏ। ଆମେ ମରାଠୀ କିମ୍ବା ଓଡ଼ିଆ ସାହିତ୍ୟର ଯେକୌଣସି ପୁସ୍ତକ ପଢିଲେ କେବଳ ଯେ କାହାଣୀଟିଏ ପଢୁ ତାହା ନୁହେଁ, ବରଂ ଆମେ ମରାଠୀ କିମ୍ବା ଓଡ଼ିଆ ସଂସ୍କୃତି ସମ୍ବନ୍ଧରେ ପୁସ୍ତକ ମାଧ୍ୟମରେ ଅବଗତ ହୋଇଥାଉ। ସାଂସ୍କୃତିକ ଭାବବିନିମୟରେ ଅନୁବାଦ ସାହିତ୍ୟ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ତେଣୁ ମରାଠୀ ଓ ଓଡ଼ିଆ ସାହିତ୍ୟକୁ ଯେପରି ଅନୁବାଦ କରାଯାଇ ଉଭୟ ମରାଠୀ ଓ ଓଡ଼ିଆ ପାଠକମାନଙ୍କ ପାଇଁ ଉପଲବ୍ଧ କରାଯାଇ ପାରିବ, ସେ ଦିଗରେ ଆମେ ଧ୍ୟାନ ଦେବା ଉଚିତ" ବୋଲି ଶ୍ରୀମତୀ ରଶ୍ମି ମହାପାତ୍ର ମତପ୍ରକାଶ କରିଥିଲେ।

ଉକ୍ତ କର୍ମଶାଳାରେ ଅନେକ ଯୁବ ଲେଖକମାନେ ଯୋଗଦେଇ କବିତା ପାଠ କରିଥିଲେ। ବିଶିଷ୍ଟ ସାହିତ୍ୟିକ ବାସୁଦେବ ଶ୍ରୀରାମ ଯୋଗେଲକର, ବଳିରାମ ଗାଲକୱାଡ଼, ତାପସ ରାଜ ମହାରଣା, ଶମ୍ଭୁ ଭୂଷଣ ମିଶ୍ର, ରାଧା ଯୋଗେଲକର, କମଳା ଶତପଥୀ, ସବିତା ରାଉତ, ମହେଶ ଲୀଲା ପଣ୍ଡିତ, କ୍ରିଷ୍ଣା କିମ୍‌ବାହୁନେ ପ୍ରମୁଖ ଆଲୋଚନା ଚକ୍ରରେ ଉପସ୍ଥିତ ଥିଲେ। ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥାର ସଂସ୍ଥାପିକା ଶ୍ରୀମତୀ ମୈତ୍ରେୟୀ କମିଳା ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

0
0
0
s2sdefault