ଦୁଇବର୍ଷ ହେଲା ଅଚଳ ହୋଇପଡିଛି, ସୋଲାର ପାନୀୟ ଜଳ ପ୍ରକଳ୍ପ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ)-, ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଧିରେ ଧିରେ ଆରମ୍ଭ ହେଲାଣି I ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ହିଁ ବିଭିନ୍ନ ନଦୀ, ନାଳ, ପୋଖରୀ ଶୁଖିବାକୁ ବସିଲାଣି I ଏହାର ପ୍ରଭାବ ପାନୀୟ ଜଳ ସମସ୍ୟାକୁ ହାତ ଠାରି ଡାକିଲାଣି I ବେଲଗୁଣ୍ଠା ବ୍ଳକ୍ ର ମଙ୍ଗଳପୁର ପଂଚାୟତର ଜିଲିବା କଲୋନୀରେ ପ୍ରାୟ ପଚାଶରୁ ଉର୍ଦ୍ଧ୍ଵ ଦଳିତ ପରିବାର ବାସ କରନ୍ତି I ସମସ୍ତେ ପ୍ରାୟ ଗରିବ ମୂଲିଆ ଶ୍ରେଣୀର I ଏହି ସାହିର ଲୋକେ ସଧାରଣତଃ ମୂଲିଆ କାମ କରି, ମାଛ ବିକ୍ରି କରି, ଖଜୁରି ପତ୍ର ସଂଗ୍ରହ କରି ସେଥିରୁ ଛାଞ୍ଚୁଣି ତିଆରି କରି ବିକି, ଗୁଡ଼ି ବାଡେଇ ପରିବାର ପ୍ରତିପୋଷଣ କରିଥାନ୍ତି Iଏହି ପରିବାର ଗୁଡ଼ିକ ପାଇଁ ପାନୀୟ ଜଳ ସମସ୍ୟା ରହିଥିବାରୁ ପଂଚାୟତ ପାଣ୍ଠିରୁ ପ୍ରାୟ ତିନି ଲକ୍ଷ ପଚାଶ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ସୌର ଶକ୍ତି ନିୟନ୍ତ୍ରିତ ୫୦୦୦ ଲିଟର୍ ବିଶିଷ୍ଟ ପାଣି ଟାଙ୍କିର ବ୍ୟବସ୍ଥା କରାଯାଇଥିଲା I ଏହା ସହିତ ଏକ ଲକ୍ଷ ଟଙ୍କା ବିନିମୟରେ ମାଆ ବନ ଦୂର୍ଗା ମନ୍ଦିର ନିକଟରେ ଏକ ବୋର୍ ୱେଲ୍ ମଧ୍ୟ ଖୋଳା ଯାଇଥିଲା I ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଲୋକେ ପାନୀୟ ଜଳ ସଙ୍କଟରୁ ଆଶ୍ଵସ୍ତି ଲାଭ କରିଥିଲେ I କିନ୍ତୁ ବୋର୍ ୱେଲ୍ ଖୋଳା ଯାଇଥିବା ସ୍ଥାନଟି ଏକ ନିରୋଳା ଜଙ୍ଗଲିଆ ସ୍ଥାନ ହୋଇଥିବାରୁ ସେଠାରେ ପ୍ରତ୍ୟକ ସନ୍ଧ୍ୟାରେ ମଦ୍ୟପ, ଅସାମାଜିକଙ୍କ ଖଟି ଜମୁଛି I ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେବାର ଦୁଇ/ତିନିମାସ ପରେ ସେଠାରେ ଖଟି ଜମାଉଥିବା ଅସାମାଜିକ ଗୋଷ୍ଠୀ ପ୍ରକଳ୍ପଟିକୁ ଭଙ୍ଗାରୁଜା କରିଦେବାରୁ ପ୍ରକଳ୍ପଟି ଅଚଳ ହୋଇଯାଇଥିଲା I ଏନେଇ ପ୍ରଶାସନକୁ ଜଣାଇବା ପରେ ପ୍ରକଳ୍ପଟିକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଯାଇଥିଲା I କିନ୍ତୁ ଏହାର କିଛି ଦିନ ପରେ ପୁଣି ଥରେ କିଛି ଦୁର୍ବୃତ୍ତ ଏଠାରେ ସଂଯୋଗ ହୋଇଥିବା ବିଦ୍ୟୁତ୍ ତାର ଏବଂ ପାଇପ୍ କୁ କାଟି ନେଇଯିବା ଫଳରେ ପାନୀୟ ଜଳ ଯୋଗାଣ ଠପ୍ ହୋଇଯାଇଥିଲା I ଗତ ଦୁଇ ବର୍ଷ ଧରି ଏହି ପ୍ରକଳ୍ପଟି ଅଚଳ ହୋଇ ପଡ଼ି ରହିଛି I ବର୍ତ୍ତମାନ ବୋର୍ ୱେଲ୍ ଟିକୁ ଏକ ଅଖାରେ ଘୋଡାଇ ରଖାଯାଇଥିବା ବେଳେ ଏହା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି I ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ତୁରନ୍ତ ଅଚଳ ପ୍ରକଳ୍ପଟିକୁ କାର୍ଯ୍ୟକ୍ଷମ କରିବା ସହ ପ୍ରକଳ୍ପଟିର କ୍ଷତି କରୁ୍ଥିବା ଦୁର୍ବୃତ୍ତ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି I ବର୍ତମାନ ଗ୍ରାମରେ ଗୋଟିଏ ନଳକୂପ ସହ ମା ବନଦୁର୍ଗାଙ୍କ ମନ୍ଦିର ନିକଟରେ ଖୋଲl ଆକାଶ ତଳେଥିବା କୂଅ ରୁ ଲୋକେ ପାନୀୟଜଳ ବେବହାର କରୁଛନ୍ତି l








