ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଲ: ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ଆଜି ମାଲକାନଗିରି ଜିଲ୍ଲା ଆଶା କର୍ମୀଙ୍କ ପକ୍ଷରୁ ରାଜ୍ୟର ପ୍ରାୟ ୪୬,୫୬୬ ରୁ ଅଧିକ ଆଶା କର୍ମୀଙ୍କ ସମସ୍ୟାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପତ୍ର ମାଧ୍ୟମରେ ଦର୍ଶାଯାଇଛି ଯେ, ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶା କର୍ମୀମାନେ ଦିନରାତି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଓ ସୁବିଧା ମିଳୁନାହିଁ। ସଂଘର ମୁଖ୍ୟ ଦାବି ଅନୁଯାୟୀ, ସମସ୍ତ ଆଶା କର୍ମୀଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ସ୍ଥାୟୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ ଏବଂ ସେ ପର୍ଯ୍ୟନ୍ତ ସେମାନଙ୍କୁ ଅତିକମରେ ମାସିକ ୧୮,୦୦୦ ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଉ। ଏହା ସହିତ ସମସ୍ତଙ୍କୁ ସାମାଜିକ ସୁରକ୍ଷା ଯଥା ଇଏସଆଇ ଏବଂ ଇପିଏଫ୍ ଅନ୍ତର୍ଭୁକ୍ତ କରିବା ସହ ପ୍ରତି ମାସର ୧୦ ତାରିଖ ମଧ୍ୟରେ ସମସ୍ତ ବେତନ ଓ ଭତ୍ତା ପ୍ରଦାନ ସୁନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି। କାର୍ଯ୍ୟକ୍ଷେତ୍ରରେ ଆଶା କର୍ମୀଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାରକୁ ରୋକିବା ପାଇଁ କଠୋର ନିୟମ, ପ୍ରତି ଗ୍ରାମରେ 'ଆଶା କେନ୍ଦ୍ର' ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ 'ଆଶା ଗୃହ' ନିର୍ମାଣ କରିବାକୁ ମଧ୍ୟ ଏହି ପତ୍ରରେ ଉଲ୍ଲେଖ କରାଯାଇଛି।ସେହିପରି ଅଭିଜ୍ଞ ଆଶା କର୍ମୀମାନଙ୍କୁ ତାଲିମ ଦେଇ ଏଏନଏମ୍ ପଦବୀକୁ ପଦୋନ୍ନତି ଦେବା ପାଇଁ ସରକାର ଏକ ସ୍ୱତନ୍ତ୍ର ପଲିସି ପ୍ରସ୍ତୁତ କରନ୍ତୁ ବୋଲି ସଂଘ ଦାବି କରିଛି। କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ଯ୍ୟ ସମୟରେ ମୃତ୍ୟୁ ଘଟିଲେ ୧୦ ଲକ୍ଷ ଟଙ୍କା ଏବଂ ଅକ୍ଷମ ହେଲେ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହ ଅବସର ପରେ ଏକକାଳୀନ ୧୦ ଲକ୍ଷ ଟଙ୍କା ଓ ମାସିକ ୫,୦୦୦ ଟଙ୍କାର ପେନସନ ବ୍ୟବସ୍ଥା ପାଇଁ ଦାବି ରଖାଯାଇଛି। ଏହା ବ୍ୟତୀତ ଆଧୁନିକ ଡିଜିଟାଲ କାର୍ଯ୍ୟ ପରିଚାଳନା ପାଇଁ ସମସ୍ତଙ୍କୁ ଉନ୍ନତମାନର ୫ଜି ସ୍ମାର୍ଟଫୋନ ଏବଂ ପ୍ରତିବର୍ଷ ଦୁଇ ହଳ ୟୁନିଫର୍ମ ସହ ଜରୁରୀ କାଗଜପତ୍ର ଯୋଗାଇ ଦେବାକୁ ପତ୍ରରେ ବିଶେଷ ଭାବେ ଅନୁରୋଧ କରାଯାଇଛି। ସଂଘର କର୍ମକର୍ତ୍ତାମାନେ ଆଶା ପ୍ରକାଶ କରିଛନ୍ତି ଯେ, ସରକାର ଏହି ନ୍ୟାଯ୍ୟ ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଆଶା କର୍ମୀଙ୍କୁ ସାମାଜିକ ଓ ଆର୍ଥିକ ସୁରକ୍ଷା ପ୍ରଦାନ କରିବେ।
ରାଜ୍ୟ
ମାଲକାନଗିରି ଜିଲ୍ଲା ଆଶା କର୍ମୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବିପତ୍ର
- Hits: 8








