ହେଡଲାଇନସ୍:

ଯନ୍ତ୍ରଣା ଜର୍ଜ୍ଜରିତ କୁବେର ପୁରୀର ଅଭିଶପ୍ତ ମଣିଷମାନେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ବିକଳ ଚିତ୍ର


କିଏ ପୋଛିବ କୁଣ୍ଢେଇ ଗାଁର ସ୍ଵର୍ଗତ ଶୁକୁରା ମୁଣ୍ଡା ର ଅନାଥ ପିଲାଙ୍କ ଆଖିର ଲୁହ


କେନ୍ଦୁଝର- ୨୪/୦୨/୨୦୨୬: କିଏ କହୁଛି , ରାଷ୍ଟ୍ରପତି ପଦ ଦେଇ ଆଦିବାସୀଙ୍କୁ ଆମେ ଅଧିକ ରାଜନୈତିକ ମର୍ଯ୍ୟାଦା ଦେଇଛୁ। ଆଉ କିଏ ପୁଣି ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ ପଦଦେଇ, ତାଙ୍କର ନିଜର ବୋଲି ଦାବି ରଖୁଛି। ଶୃତି ମଧୂର ମାଳ ମାଳ ଯୋଜନା କରି କିଏ ଡିଡିମ୍ବ ପିଟୁଛି। ହେଲେ, କୁଣ୍ଢେଇ ଗାଁର ସ୍ଵର୍ଗତ ଶୁକୁରା ମୁଣ୍ଡା ର ଅନାଥ ପିଲାଙ୍କ ଦୂରାବସ୍ଥା କୁ ଦେଖି ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" ପ୍ରଶ୍ନ ଉଠାଇଛି - ଏପରି ଦାବି ପଛରେ ପ୍ରକୃତ ପକ୍ଷେ ଆଦିବାସୀଙ୍କ ଉନ୍ନତି ଓ କଲ୍ୟାଣ ରହିଛି, ନା ଏମାନଙ୍କ ଭୋଟ ଉପରେ ଲୋଲୁପ ଦୃଷ୍ଟି ପଡିଛି ? ଏସବୁ କେବଳ ଭାଷଣ, ନା ଆନ୍ତରିକତା ?

ଖଣିଜ ସମ୍ପଦରେ ଭରପୁର କୁବେରପୁରୀ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଳକ୍ । କୋଡିପଶା ପଞ୍ଚାୟତ ଅଧୀନ ଏକ ଆଦିବାସୀ ବହୁଳ ଗାଁ - କୁଣ୍ଢେଇ। ଜିଲ୍ଲା ସଦରମହକୁମା ଠାରୁ ମାତ୍ର ସତର କିଲୋମିଟର ଦୂର। ଶୁକୁରା ମୁଣ୍ଡା ର ଘର ସେଇଠି। ଚାଷ ବୋଲି କିଛି ନାହିଁ। ପର ଘରେ ମଜୁରୀ କରି ପରିବାର ପାଳେ। ସୁଖ , ଦୁଃଖର ସଂସାର।

ଶୁକୁରାର ସ୍ତ୍ରୀ ର ଦେହାନ୍ତ ହୋଇଗଲା । ଶୁକୁରା କସ୍ତୁରୀ କୁ ଦ୍ଵିତୀୟ ବିବାହ କଲା। କସ୍ତୁରୀ ଔରଷରୁ ଜନ୍ମ ନେଇଛନ୍ତି ଝିଅ କ୍ଷୀରୋଦିନୀ (୯) ଓ ପୁଅ ଡାକ୍ତର ( ୪) । ସ୍ତ୍ରୀ କସ୍ତୁରୀ ରୋଗରେ ପଡି, ଗେରସ୍ତ ଓ ପିଲାଙ୍କୁ ଛାଡି ୨୦୨୪ ମସିହାରେ ଆର ପାରିକି ଚାଲିଗଲା । ଶୁକୁରା ତା ପଛେ ପଛେ ୨୦୨୫ ମସିହାରେ ଚାଲିଗଲା । ଏତେବେଳକୁ ପିଲାଙ୍କ ବୟସ ଆଠ ଓ ତିନି ଥିଲା । ରୋଜଗାର କରିବାକୁ କେହି ନାହିଁ। ପାଳିବାକୁ କେହି ନାହିଁ। ଏକମାତ୍ର ସାହା ଭରସା ସତୁରୀ ବର୍ଷର ବୁଢି ମା' । ଏବେ ନା ବାଳିକୀ ପିଲା ଦୁଇଟି ତାରି କାନ୍ଧରେ।

ବୁଢୀ ଦେହରେ ବଳ ନାହିଁ ରୋଜଗାର କରି ଏ ପିଲାଙ୍କୁ ପୋଷିବାକୁ ‌। ସରକାରୀ ଚାଉଳ ପିଲା ପାଆନ୍ତି ନାହିଁ। ବାପ, ମା' ମରିଗଲା ପରେ ବି ଏମାନଙ୍କୁ କିଛି ଅନୁକମ୍ପା ମୂଳକ ରାଶି ମିଳି ନାହିଁ। ଏତେ ଲୋକଙ୍କୁ ସରକାରୀ ଘର ମିଳୁଛି, ହେଲେ ଏ ଘର ଯୋଜନାଟା ଏଇଠି ବାଟବଣା । ଭଙ୍ଗା ଦଦରା ଘର ଏମାନଙ୍କ ଠିକଣା। ଆଖିରେ ନ ଦେଖିଲେ ବିଶ୍ୱାସ ହେବ ନାହିଁ - ଆଦିବାସୀ ଏବେବି ଏଇଠି ଏମିତି ? ମଣିଷ ମାନେ କ'ଣ ଏମିତି ରୁହନ୍ତି ? ଘରର ଛପର ଦଦରା । ଦୁଆର ଅଛି, ହେଲେ କବାଟ ନାହିଁ। ପୁଣି ପାହାଡ଼ିଆ ଅଞ୍ଚଳ। ହାତୀ, ଭାଲୁ, ସାପ, ସରିସୃପ ର ଭୟ ସବୁବେଳେ। ଏଠି ସଞ୍ଜ ନଇଁଲେ ହାତୀ ଆସେ ଗାଁ ଭିତରକୁ। ଏଇଥିରୁ ବୁଝି ହେବେ - କେମିତି କଟୁଥିବ ଏମାନଙ୍କ ଜୀବନ। ପାଦେ ପାଦେରେ ଭୟ । ଅନ୍ନାଭାବରୁ ଜୀବନ ଯାଉ କି ନ ଯାଉ, ଏଇ ପଶୁ, ସାପ, ସରିସୃପ ମୁହଁରେ କେବେ ଚାଲିଯିବ, କିଏ କହିବ?

"ଆଶା" ର ସ୍ଵେଚ୍ଛାସେବୀ ପଚାରି ଜାଣିଲେ - ସରପଞ୍ଚ ଟି କେବେ ତାଙ୍କ କଥା ବୁଝିବାକୁ ଆସି ନାହିଁ। ବ୍ଲକ୍ କତୃପକ୍ଷ କେବେ ଏଠାକୁ ଆସିଥିଲେ, କାହାରି ମନେ ନାହିଁ। ଜିଲ୍ଲା ପ୍ରଶାସନ ନିଘୋଡ଼ ନିଦରେ। ମାନ୍ୟବର ବିଧାୟକ ଓ ମାନ୍ୟବର ସାଂସଦଙ୍କ ପାଦ ଦଶ ବର୍ଷ ତଳୁ ଏଠି ପଡି ନାହିଁ। ସେ କେବଳ ନିର୍ବାଚନ ଆସିଲେ, ଆସନ୍ତି। ଏମିତି ଏକ ପରିବାର ଅଛି ବୋଲି ସରକାରଙ୍କ ନିକଟରେ ଖବର ନାହିଁ। ନିକଟ ବିଦ୍ୟାଳୟରେ ପିଲା ଦୁଇଟିର ନାମ ଲେଖା ଯାଇଛି। ହେଲେ ପଢ଼ିବାକୁ ଯାଆନ୍ତି ନାହିଁ। ସକାଳୁ ଖାଲି ପେଟରେ ଯିବେ ବି କେମିତି? ଏପଟେ ଦେଶ ପାଳୁଛି ସ୍ୱାଧୀନତାର ଅମୃତ ମହୋତ୍ସବ। ଆଦିବାସୀ ପୁଅ ମୋହନ ଦେଖୁଛି ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ସ୍ୱପ୍ନ। ମୋଦି ଦାବି କରନ୍ତି - ଦେଶଟା କାଳେ ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପହଞ୍ଚିଲାଣି। ବିକାଶଶୀଳ ରୁ ବିକଶିତ ହେବ। ସେପଟେ ପିଲା ଦୁଇଟି ପଡିଶା ଗାଁରେ ଘର ଘର ବୁଲି ଭିକ ମାଗନ୍ତି । ପେଟର ଭୋକ ବୁଝି ପାରୁନି, ଏ ଅର୍ଥନୀତି ଟା କ'ଣ ।

" ଆଶା" ପୂର୍ବରୁ ମଧ୍ୟ ଆଦିବାସୀଙ୍କ କେତେ ଗୁଡାଏ ଏପରି ଦୁଃଖ, ଦୁର୍ଦ୍ଦଶା ସରକାରଙ୍କ ଦୃଷ୍ଟିକୁ ଆଣିଛି। ରାଜ୍ୟପାଳଙ୍କୁ ଲେଖିଛି। ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି । ମନ୍ତ୍ରୀଙ୍କୁ ଦରଖାସ୍ତ ଦେଇଛି। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଅଭିଯୋଗ ପହଞ୍ଚିଛି । ଇତିମଧ୍ୟରେ ଚାରି ପାଞ୍ଚ ମାସ ବିତିଯାଇଥିଲେ ହେଁ, ଘୁଙ୍ଗି ଗାଁର ସ୍ଵର୍ଗତ ଈଶ୍ୱର ଜୁଆଙ୍ଗର ଅନାଥ ପିଲାଙ୍କୁ କିଛି ବି ସରକାରୀ ସହାୟତା ମିଳିଲା ନାହିଁ। ସୁରେନ୍ ଜୁଆଙ୍ଗର ଅଧା ଭଙ୍ଗା ଘରଟି ମଧ୍ୟ ମରାମତି ହୋଇ ପାରିଲା ନାହିଁ। ଗୋଟିଏ ଗୋଡ ହରାଇ ଥିବା ରମେଶ ଜୁଆଙ୍ଗ ର ଚିକିତ୍ସା ହେଲା ନାହିଁ କି, ତାକୁ ଭତ୍ତା ଗଣ୍ଡାଏ ଦେବାକୁ କେହି କିଛି କଲେ ନାହିଁ।

ଏ ଗାଁ ସବୁ ଆସୁଛି ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ମଧ୍ୟରେ। ଏମାନେ ସମସ୍ତେ ତାଙ୍କ ଭୋଟର। କହିବାକୁ ଗଲେ ପରଜା। " ଆଶା" ଆଶା ରଖୁଛି - ମାନ୍ୟବର ତାଙ୍କ ଭୋଟରଙ୍କ ଦୁଃଖ ଶୁଣିବେ। ଏ ଅଭାବି, ଅସହାୟ ଆଦିବାସୀଙ୍କ ଦୁଃଖ ଦୂର କରିବା ଲାଗି ତୁରନ୍ତ ବିହିତ ନିର୍ଦ୍ଦେଶ ଦେବେ। ଶୁକୁରା ମୁଣ୍ଡା ର ପିଲାଙ୍କ ଚଳିବା ସକାଶେ ଚାଉଳ ଯୋଗାଇ ଦେବା ସହିତ, ସେମାନଙ୍କୁ କୌଣସି ଆବାସିକ ବିଦ୍ୟାଳୟରେ ଭର୍ତ୍ତି କରିବା ଏବଂ ଗୋଟିଏ ପକ୍କା ଘର ଯୋଗାଇ ଦେବାକୁ " ଆଶା" ନିବେଦନ କରିଛି।
ସତରେ କେବେ ଦୂରହେବ ଏମାନଙ୍କ ସମସ୍ୟା ! କିଏ ପୋଛିଦେବ ଖଣିଜ ସମ୍ପଦରେ ଭରପୁର କୁବେରପୁରୀର ଏଇ ଯନ୍ତ୍ରଣା ଜର୍ଜରିତ ଅଭିଶପ୍ତ ମଣିଷ ମାନଙ୍କ ଆଖିର ଲୁହ , କେବଳ ସମୟ ପାଖରେ ହିଁ ତା ଉତ୍ତର !

0
0
0
s2sdefault