ହେଡଲାଇନସ୍:

ରାଜ୍ୟରେ ଜାତୀୟ ରାଜପଥ ଓ ଆର୍‌ଓବି ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ଫେବୃଆରୀ ୧୯, ୨୦୨୬-ଯୋଗାଯୋଗ ଏବଂ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ୀକରଣ ଲକ୍ଷ୍ୟରେ ରାଜ୍ୟରେ ଅନେକଗୁଡ଼ିଏ ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଜାତୀୟ ରାଜପଥ ପ୍ରକଳ୍ପ ଗୁଡିକ ର ସମୀକ୍ଷା ବୈଠକ କରି ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଅନୁମୋଦନ ଏବଂ ଟେଣ୍ଡର ପ୍ରକ୍ରିୟା କୁ ତ୍ବରାନ୍ବିତ କରିବା ପାଇଁ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ସମ୍ପୃକ୍ତ ଜିଲ୍ଲାପାଳ, ବିଭାଗୀୟ ଅଧିକାରୀ ଏବଂ ଯନ୍ତ୍ରୀ ପ୍ରମୁଖଙ୍କୁ ପରାମର୍ଶ ଦେଇଛନ୍ତି ।

ବୈଠକରେ ୧୧୧ କି.ମି. ଦୀର୍ଘ କ୍ୟାପିଟାଲ ରିଜିଅନ୍‌ ରିଂ ରୋଡ ପ୍ରକଳ୍ପ, ୨୧ କି. ମି. ଦୀର୍ଘ କଟକ-କନ୍ଦରପୁର ରାସ୍ତା, ୧୭ କି.ମି. ବଂରପାଲ-ଗୋଡ଼ିବନ୍ଦ ରାସ୍ତା, ୩୫ କି.ମି.ଦୀର୍ଘ ସମ୍ବଲପୁର ବାଇପାସ ରାସ୍ତା, ୧୬୦ କି.ମି. ଦୀର୍ଘ ଉପକୂଳ ରାଜପଥ ପ୍ରକଳ୍ପକୁ ଆଗେଇ ନେବା ସହ ଆଗାମୀ ଦିନରେ ଆସିବାକୁ ଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକ ବିଷୟରେ ଆଲୋଚନା ହୋଇଥିଲା । ଏଥିସହିତ କଟକ-ଅନୁଗୁଳ, ଡୁବୁରୀ-ଚଣ୍ଡିଖୋଲ, ଚଣ୍ଡିଖୋଲ-ପାରାଦୀପ, ଏନ୍‌ଏଚ୍‌ ୪୯ ଅନ୍ତର୍ଗତ ବାହାରଗୋଡ଼ା-ସିଂହାର ରାସ୍ତା ଏବଂ ନିର୍ମାଣ ବିଭାଗ ଅଧୀନରେ କରାଯାଉଥିବା ୩୨ ଗୋଟି ପ୍ରକଳ୍ପରେ ଆସୁଥିବା ସମସ୍ୟା ଓ ଏହାର ସମାଧାନ ଦିଗରେ ଆଲୋଚନା ହୋଇଥିଲା ।

ଅନେକ ସ୍ଥାନରେ ଜମି ଅଧିଗ୍ରହଣ ନେଇ ଆସୁଥିବା ସମସ୍ୟାକୁ ଜିଲ୍ଲାପାଳଙ୍କ ନେତୃତ୍ୱରେ ସମାଧାନ କରିବାକୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ରାଜ୍ୟରେ ବିଭିନ୍ନ ରେଲୱେ ଓଭରବି୍ରଜ୍‌ (ROB) ପ୍ରକଳ୍ପର ଅଗ୍ରଗତି ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରକଳ୍ପର ସ୍ଥିତି, ଅଗ୍ରଗତି ଏବଂ ନିର୍ମାଣ ସମୟରେ ଆସୁଥିବା ବିଭିନ୍ନ ପ୍ରତିବନ୍ଧକ ବିଷୟରେ ଆଲୋଚନା ହୋଇଥିଲା ।

ସବୁ ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବାକୁ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଥିବାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ସଚିବ ଶ୍ରୀ ସିଂହ ବୈଠକରେ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜର ଜିଲ୍ଲାପାଳଙ୍କ ସମେତ ଜାତୀୟ ରାଜପଥର ପ୍ରାଧିକରଣ, ରେଳବାଇ ବିଭିନ୍ନ ବରିଷ୍ଠ ଅଧିକାରୀ, ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ଜୋନ୍‌ର ଅଧିକ୍ଷଣ ଯନ୍ତ୍ରୀ ପ୍ରମୁଖ ଆଭାଷୀ ମଧ୍ୟମରେ ଉପସ୍ଥିତ ଥିଲେ ।

0
0
0
s2sdefault