ଭୁବନେଶ୍ୱର, ୧୮/୦୨/୨୦୨୬ : ଟାଟା ପାୱାରର ବିଦୁ୍ୟତ ବିତରଣ କମ୍ପାନୀମାନଙ୍କ ଦ୍ୱାରା ଅନୁମୋଦିତ ସ୍ମାର୍ଟ ମିଟରଗୁଡିକୁ ଖୋଲା ବଜାରରେ ଉପଲବ୍ଧ କରିବାପାଇଁ ସମସ୍ତ ମିଟର ନିର୍ମାତାଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଗ୍ରାହକମାନଙ୍କୁ ଖୋଲା ବଜାରରେ ମିଟର କିଣିବାର ବିକଳ୍ପ ପ୍ରଦାନ କରାଯାଇଥିବା କହିଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟାଟା ପାୱାର ଦ୍ୱାରା ଲଗାଯାଉଥିବା ମିଟରର ମୂଲ୍ୟ ଭଡା ଆଧାରରେ ଗ୍ରାହକମାନଙ୍କ ଠାରୁ ଆଦାୟ କରାଯାଇଥାଏ । ଏହି ଭଡା ଓଡିଶା ବିଦୁ୍ୟତ୍ ନିୟାମକ ଆୟୋଗ ଦ୍ୱାରା ଟାରିଫ ଶୁଣାଣି ସମୟରେ ସ୍ଥିରୀକୃତ ହୋଇଥାଏ । ତଦନୁଯାୟୀ ସିଙ୍ଗଲ ଫେଜ୍ ଷ୍ଟାଟିକ୍ ମିଟରର ମାସିକ ଭଡା ୪୦ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଏଲ ଟି ସିଙ୍ଗିଲ ଲାଇନ୍ର ସ୍ମାର୍ଟ ମିଟରର ମାସିକ ଭଡା ୬୦ ଟଙ୍କା ରଖାଯାଇଛି । ସେହିଭଳି ଥ୍ରିଫେଜ୍ ସ୍ମାର୍ଟ ମିଟର ପାଇଁ ମାସକୁ ୧୫୦ ଟଙ୍କା ଧାର୍ଯ୍ୟ ହୋଇଛି ।








