ସାଇବର ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କଲେ ପ୍ରଶାସନିକ ଅଧିକାରୀ
ଝାରସୁଗୁଡ଼ା, ୧୦/୦୨: ସ୍ଥାନୀୟ ଏଲ.ଏନ୍ କଲେଜ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଏନ.ଆଇ.ସି ର ମିଳିତ ସହଯୋଗରେ "ସୁରକ୍ଷିତ ଇଣ୍ଟରନେଟ୍ ଦିବସ" ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ଯୁଗରେ ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର ଏବଂ ସାଇବର ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଏନ.ଆଇ.ସି ର (ଡି ଆଇ ଓ) ତରଣୀ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡିଜିଟାଲ ଯୁଗରେ ସାଇବର ସୁରକ୍ଷାର ଆବଶ୍ୟକତା ଏବଂ ଇଣ୍ଟରନେଟ୍ ବ୍ୟବହାର ସମୟରେ ଅବଲମ୍ବନ କରାଯାଉଥିବା ସତର୍କତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶକୁନ୍ତଳା କିଶାନ ଏବଂ କଲେଜର ଅଧ୍ୟକ୍ଷ ତପନ ବାରିକ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଜିତେନ୍ଦ୍ର ଦାସ, ଏନ.ଆଇ.ସି ଅଧିକାରୀ ଗୁଲୁ ଦୀପ ଏବଂ ଅଚ୍ୟୁତ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର ଦ୍ୱାରା କିଭଳି ସାଇବର ଠକେଇରୁ ରକ୍ଷା ପାଇହେବ, ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିସହ ଏହି ସଚେତନତା ସଭାରେ ଇଣ୍ଟରନେଟ୍ ବ୍ୟବହାର ସମୟରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଏବଂ ଡିଜିଟାଲ ସାକ୍ଷରତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ, ଅଧ୍ୟାପିକା ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।








