ବୁଡ଼ାପାଲି ଧାନମଣ୍ଡିରେ ପୁତ୍ର କୃଷ୍ଣ କୁମାରଙ୍କ ଧାନ ବିକ୍ରି ସଫଳ
ବିଜେପୁର : ସୁଶାନ୍ତ ସାହୁ (ଶାସକ ପ୍ରଶାସକ)
ଆଧାର କାର୍ଡ ସଂପର୍କିତ ପ୍ରାଯୁକ୍ତିକ ତ୍ରୁଟି କାରଣରୁ ଦୀର୍ଘ ସମୟ ଧରି ଧାନ ବିକ୍ରିରୁ ବଞ୍ଚିତ ହୋଇଥିବା ବିଜେପୁର ବ୍ଲକ ଅନ୍ତର୍ଗତ ପିପିଲିପାଲି ଗ୍ରାମର ଚାଷୀ ଟଙ୍କଧର ଗିରୀଙ୍କୁ ଅବଶେଷରେ ନ୍ୟାୟ ମିଳିଛି। ଆଜି ମଙ୍ଗଳବାର ୨୭ ଜାନୁଆରୀ ଦିନ ତାଙ୍କ ପୁତ୍ର କୃଷ୍ଣ କୁମାର ଗିରୀ ବୁଡ଼ାପାଲି ଧାନମଣ୍ଡିରେ ସଫଳତାର ସହ ନିଜ ଧାନ ବିକ୍ରି କରିଥିବା ଜଣାପଡ଼ିଛି।ପୂର୍ବରୁ ଟଙ୍କଧର ଗିରୀ ନିଜ ନାମରେ ଟୋକନ ପାଇ ୨୮ କ୍ୱିଣ୍ଟାଲ ୮୬ କେଜି ଧାନ ବିକ୍ରି ପାଇଁ ବୁଡ଼ାପାଲି ଧାନ କ୍ରୟ କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ଧାନ କ୍ରୟ ସମୟରେ ଆଖି ସ୍କାନ କରାଯିବା ବେଳେ ସିଷ୍ଟମରେ ତାଙ୍କ ଆଧାର କାର୍ଡ ମୃତ ବୋଲି ଦର୍ଶାଯାଇଥିଲା। ଏହି ଗଭୀର ପ୍ରାଯୁକ୍ତିକ ତ୍ରୁଟି କାରଣରୁ ସେ ଜୀବିତ ଥିବା ସତ୍ୱେ ମଧ୍ୟ ଧାନ ବିକ୍ରି କରିପାରିନଥିଲେ।ଫଳସ୍ୱରୂପ ଧାନମଣ୍ଡିରେ ଧାନ ପକାଇ ଦିନ ପରେ ଦିନ ଧରି ଚାଷୀଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା। ଏହା ଚାଷୀଙ୍କୁ ଗଭୀର ମାନସିକ ଚାପରେ ରଖିଥିବା ସହ ସରକାରୀ ବ୍ୟବସ୍ଥା ପ୍ରତି ତାଙ୍କର ଆସ୍ଥାକୁ ମଧ୍ୟ ଆଘାତ କରିଥିଲା। ବିଜେପୁର ଆଧାର କେନ୍ଦ୍ର ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଗୁହାରି କରାଯାଇଥିଲେ ମଧ୍ୟ ତୁରନ୍ତ କୌଣସି ସ୍ଥାୟୀ ସମାଧାନ ମିଳିନଥିଲା।ଧାନ ବିକ୍ରି ସମୟ ସମାପ୍ତ ହୋଇଯାଉଥିବାରୁ ଶେଷରେ ଟଙ୍କଧର ଗିରୀ ମଣ୍ଡିରୁ ଧାନ ଘରକୁ ଫେରାଇ ନେବାକୁ ବାଧ୍ୟ ହୋଇଥିଲେ। ଏହି ସମସ୍ୟାକୁ ନେଇ ଶାସକ ପ୍ରଶାସକ ଖବର କାଗଜରେ ଲଗାତାର ସମ୍ବାଦ ପ୍ରକାଶ ପାଇବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଯାଇଥିଲା।ମାଧ୍ୟମର ଚାପ ଓ ନିରନ୍ତର ଫଲୋଅପ୍ ପରେ ଚାଷୀଙ୍କ ପୁତ୍ରଙ୍କ ନାମରେ ଧାନ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଥିଲା। ଫଳସ୍ୱରୂପ ଆଜି ବୁଡ଼ାପାଲି ଧାନମଣ୍ଡିରେ କୃଷ୍ଣ କୁମାର ଗିରୀ ସଫଳତାର ସହ ଧାନ ବିକ୍ରି କରିପାରିଛନ୍ତି।ଏହି ଅବସରରେ ଟଙ୍କଧର ଗିରୀ ଓ ତାଙ୍କ ପରିବାର ଖୁସି ପ୍ରକାଶ କରିବା ସହ ନିଜ ସମସ୍ୟା ସରକାର ପାଖକୁ ପହଞ୍ଚାଇଥିବା ବିଜେପୁର ଶାସକ ପ୍ରଶାସକ ରିପୋର୍ଟର ସୁଶାନ୍ତ ସାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଘଟଣା ମାଧ୍ୟମର ସକ୍ରିୟ ଭୂମିକା ଓ ଚାଷୀ ସମସ୍ୟା ପ୍ରତି ସରକାରୀ ସଚେତନତାର ଗୁରୁତ୍ୱକୁ ପୁନର୍ବାର ପ୍ରମାଣ କରିଛି।








