-
ଫେବୃଆରୀ ୨ ତାରିଖରୁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ
-
ଧାନକିଣାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ
-
ରାଜ୍ୟର ସମସ୍ତ ଥାନା ଏବେ ବିଜେପି ନେତା କର୍ମୀଙ୍କ କବ୍ଜାରେ
ଭୁବନେଶ୍ୱର, ୨୫/୦୧/୨୦୨୬: ରାଜ୍ୟରେ କୃଷକ ମାନଙ୍କ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜୁ ଜନତା ଦଳ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ରାଜ୍ୟବ୍ୟାପୀ ଆନେ୍ଦାଳନର ଚେତାବନୀ ଦେଇଛି ।
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଦଳର କୃଷକ ସେଲର ଆବାହକ ତଥା ବିଧାନସଭାରେ ବିରୋଧୀ ଦଳର ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଦଳର ଉପସଭାପତି ଶ୍ରୀ ସଂଜୟ କୁମାର ଦାସବର୍ମା, ବିଧାୟକ ଡ଼ ଅରୁଣ କୁମାର ସାହୁ ରାଜ୍ୟ ବିଜେପି ସରକାରଙ୍କ ବିଫଳତାକୁ ବଖାଣିବା ସହିତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି ବୋଲି କହିଥିଲେ । ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ବିଜେପିର ପ୍ରତିଶ୍ରୁତିର ଖିଲାପ ପରେ, ବିଭିନ୍ନ ସ୍ତରରେ ଜନସାଧାରଣଙ୍କ କ୍ଷୋଭ ଦେଖିବାକୁ ମିଳୁଛି । ପ୍ରଥମେ ଚାଷୀ ମାନଙ୍କୁ ସାର ମୁଠାଏ ଦେବା ପାଇଁ ସରକାର ହନ୍ତସନ୍ତ କଲେ । ଏବେ ଧାନ ଉତ୍ପାଦନ ପରେ ସରକାର ଧାନ କିଣା ପ୍ରକ୍ରିୟା ସଠିକ ଭାବେ ହୋଇପାରୁନାହିଁ, ଯେଉଁଥିପାଇଁ ରାଜ୍ୟର କୃଷକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅପରପକ୍ଷରେ, ବିଜେପି ରାଜ୍ୟର ଶାସନ ଭାର ହାତକୁ ନେବା ପରେ, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ, ସଦୃଶ୍ୟ ଯେତେ କୁହାଗଲେ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସୁଧୁରିବାର ନାଁ ନେଉନାହିଁ ।
ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ରାଜ୍ୟରେ ଚଳିତ ବର୍ଷ, ୧୯ ଲକ୍ଷ ୬୬ ହଜାର ୧୮୧ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଏବେ ସୁଧା ମାତ୍ର ୨୯ ପ୍ରତିଶତ ଚାଷୀଙ୍କ ଠାରୁ ନିର୍ଦ୍ଧାରିତ ୭୩ ଲକ୍ଷ ମେଟ୍ରିକ ଟନରୁ ମାତ୍ର ୨୫ଲକ୍ଷ ମେଟ୍ରିକ ଟନ ତଥା ୩୪ ପ୍ରତିଶତ ଧାନ କିଣା ଯାଇପାରିଛି । ଏହା ସରକାରଙ୍କ ଚରମ ବିଫଳତାର ନିଦର୍ଶନ । ରାଜ୍ୟର ଜଳସେଚିତ ଅଞ୍ଚଳ ଗୁଡିକରେ ଏବେ ଦାଳୁଅ ଧାନ ଚାଷ ଆରମ୍ଭ ହୋଇ ଗଲାଣି । ସରକାରଙ୍କ ଖରିଫ ଧାନ କିଣା ଶେଷ ହେଲା ନାହିଁ । ଏବେ, ସରକାର ଏହି ଧାନ କିଣା ମାର୍ଚ୍ଚ ଯାଏ ଚାଲିବ ବୋଲି କହୁଛନ୍ତି । ଖରିଫ ଧାନ କିଣା ଅଧିକ ବିଳମ୍ୱିତ ହେଲେ ଦାଳୁଅ ଧାନ ଚାଷ ପାଇଁ ଚାଷୀମାନେ ଅର୍ଥ ଯୋଗାଡ଼ କରିବାକୁ ଅସମର୍ଥ ହେବେ । ଓଡିଶା ଧାନ ସଂଗ୍ରହରେ କିପରି ଭାବେ ବିଫଳ ହୋଇଛି ତାହା ପଡୋଶୀ ଛତିଶଗଡ଼ ରାଜ୍ୟର ଧାନ ସଂଗ୍ରହ ତଥ୍ୟ ଦେଖିଲେ ସ୍ପଷ୍ଟ ହେଉଛି । ଛତିଶଗଡ଼ ଓଡିଶା ତୁଳନାରେ ଛୋଟ ରାଜ୍ୟ ହୋଇଥିବା ବେଳେ ଓ ଓଡିଶା ଠାରୁ କମ ଧାନ ଉତ୍ପାଦନ କରୁଥିବା ବେଳେ, ଏବେ ସୁଧା ଛତିଶଗଡ଼ ୧ ଲକ୍ଷ ୨୬ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରି ସାରିଛି । ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଛତିଶଗଡ଼ ୮୦ ଲକ୍ଷ ମେଟ୍ରିକ ଟନ ଧାନ କିଣା ପାଇଁ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥିଲା । ତେଣୁ, ଓଡିଶା ସରକାରଙ୍କ ଧାନ କିଣା ପ୍ରକ୍ରିୟା ସମ୍ପୂର୍ଣ୍ଣ ବିଫଳ ହୋଇଛି । ଧାନ କିଣା ବିଫଳ ହେବା କାରଣରୁ, ରାଜ୍ୟର ଅର୍ଥନୀତି ଉପରେ କୁପ୍ରଭାବ ପଡିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ ।
ଶ୍ରୀ ସଞ୍ଜୟ କୁମାର ଦାସବର୍ମା କହିଥିଲେ, ବିଜେପି ବିନା କଟନୀ ଛଟନୀରେ ଧାନ କିଣା ହେବ ବୋଲି ପ୍ରତିଶୃତି ଦେଇଥିଲା ହେଲେ ବ୍ୟାପକ କଟନୀ ଛଟନୀ ହେଉଛି । ଗତବର୍ଷ କିଣା ଯାଇଥିବା ଖରିଫ ଚାଉଳର ୯ ପ୍ରତିଶତ ଏପର୍ଯ୍ୟନ୍ତ ମିଲର ମାନଙ୍କ ଠାରୁ ଉଠା ଯାଇନାହିଁ । ସେହିପରି, ଗତ ବର୍ଷର ରବି ଧାନର ଚାଉଳ ରାଜ୍ୟର ୨୨ଟି ଜିଲ୍ଲାରେ ସମଗ୍ର ପରିମାଣ ମିଲରଙ୍କ ଠାରୁ ଉଠାଯାଇ ନାହିଁ । ଏହା ହେଉଛି ରାଜ୍ୟର ଧାନ ସଂଗ୍ରହର ସ୍ଥିତି । ରାଜ୍ୟରେ ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ୱ ହେବାରୁ, ରାଜ୍ୟର କ୍ଷୁଦ୍ର ଚାଷୀ ମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଲେ । ଅନ୍ୟପଟରେ, ମଣ୍ଡିରୁ ଧାନ ଉଠାଇବା ଦାବିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେଲେ । କିନ୍ତୁ, ତଥାପି ସ୍ଥିତିରେ ସୁଧାର ଆସି ପାରିଲା ନାହିଁ ।
ଡ଼ ଅରୁଣ କୁମାର ସାହୁ କହିଥିଲେ, ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି । ସରକାରୀ ତଥ୍ୟ ଅନୁଯାୟୀ, ଚାଳିଶ ହଜାରରୁ ଉଦ୍ଧ୍ୱର୍ ମହିଳା ବିଭିନ୍ନ ପ୍ରକାରର ନିର୍ଯାତନାର ଶିକାର ହୋଇଛନ୍ତି । ଏହାଛଡା, ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟର ମାନ୍ୟତା ରହି ଆସିଥିବା ବେଳେ, ରାଜ୍ୟରେ ଏବେ ଶାନ୍ତି, ସ୍ଥିରତା ଓ ସଂପ୍ରୀତି ବ୍ୟାହତ ହୋଇଛି । ସାମ୍ପ୍ରଦାୟିକ ଉତ୍ତେଜନା ଓ ଦଙ୍ଗା ଇତ୍ୟାଦି ଘଟଣା ଅହେତୁକ ବୃଦ୍ଧି ପାଇଛି । ସଂଖ୍ୟାଲଘୁମାନେ ଭିତତ୍ରସ୍ତ, ସତେ ଯେପରି ପରାଧୀନ ଭାରତ ବର୍ଷରେ ରହୁଛନ୍ତି । ରାଜ୍ୟର ପୋଲିସ ଷ୍ଟେସନ ଗୁଡିକ ଏବେ ବିଜେପି ନେତା କର୍ମୀଙ୍କ କବଜାରେ, ସାଧାରଣ ଲୋକଟି ଏବେ ଥାନାକୁ ଯିବା ପାଇଁ ଭୟ କରୁଛି । ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଆଉ କେହି ନୁହେଁ, କେବଳ ରାଜ୍ୟ ବିଜେପି ସରକାର ଦାୟୀ । ତେଣୁ, ବିଜୁ ଜନତା ଦଳର ସଭାପତିଙ୍କ ନିଦେ୍ର୍ଦଶକ୍ରମେ ନିଷ୍ପତ୍ତି ନେଇଛି, ଆସନ୍ତା ଫେବୃଆରୀ ୨ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତିଟି ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବେ ଓ ଏହାପରେ ଫେବୃଆରୀ ୨୪ ତାରିଖ ଦିନ ରାଜଧାନୀ ଭୁବନେଶ୍ୱରର ଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ ହେବ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ । ଏହି ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତାଙ୍କ ରାଜନୈତିକ ସଚିବ ତଥା ଦଳର ପିଏସି ସଦସ୍ୟ ଶ୍ରୀ ସଂତୃପ୍ତ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ତଥା ଦଳର ପିଏସି ସଦସ୍ୟା ଶ୍ରୀମତୀ ଟୁକୁନି ସାହୁ ଉପସ୍ଥିତ ଥିଲେ ।








