ହେଡଲାଇନସ୍:

ମନରେଗା ଆଇନର ସ୍ପଷ୍ଟ ହତ୍ୟା, ଟାଟା ପାଓ୍ବାରକୁ ସରକାରୀ ସରଣାଗତି: ପୁରୀରେ କଂଗ୍ରେସର ତୀବ୍ର ସମାଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ,୧୦/୧ (ଅନିମେଶ ପଟ୍ଟନାୟକ) : ସ୍ଥାନୀୟ ଭିଆଇପି ରୋଡ ସ୍ଥିତ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଶନିବାର ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ ସମ୍ବୋଧିତ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତିକୁ ତୀବ୍ର ଭାଷାରେ ସମାଲୋଚନା କରିଛନ୍ତି ।

ଶ୍ରୀ ପଟ୍ଟନାୟକ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ର ନାମ ଓ ସଂପୂର୍ଣ୍ଣ ରୂପରେଖ ପରିବର୍ତ୍ତନକୁ କଠୋର ଭାବେ ନିନ୍ଦା କରି କହିଛନ୍ତି ଯେ ଏହା ସ୍ପଷ୍ଟ ଦିବାଲୋକରେ ମନରେଗା ଆଇନର ହତ୍ୟା। ଭିବି-ଜୀ-ରାମଜୀ ଆଇନକୁ ସେ କୋଟି କୋଟି ଶ୍ରମିକଙ୍କ ଅଧିକାର ଉପରେ ଡକାୟତି ଏବଂ ମେହନତି ଲୋକଙ୍କ ପେଟରେ ଲାତ ବୋଲି ଅଭିହିତ କରିଥିଲେ । ଏହା ଦ୍ୱାରା ଗରିବ ମାନଙ୍କର କାମ ମାଗିବାର ସାଂବିଧାନିକ ଅଧିକାର ଛଡ଼ାଇ ନିଆଯାଇଛି ବୋଲି ସେ ଅଭିଯୋଗ କରିଥିଲେ।

ଏସସି, ଏସଟି ଓ ଓବିସି ସମୁଦାୟର ମନରେଗା ଶ୍ରମିକମାନଙ୍କୁ ସାମାଜିକ ନ୍ୟାୟରୁ ବଞ୍ଚିତ କରିବା ପାଇଁ ଏହା ଏକ ସଂଗଠିତ ଷଡ଼ଯନ୍ତ୍ର ବୋଲି ସେ କହିଥିଲେ। ଏହାକୁ ଗାନ୍ଧୀଙ୍କ ଗ୍ରାମୀଣ ଭାରତ ଦର୍ଶନକୁ ଧ୍ୱଂସ କରିବା ପାଇଁ ଵିଜେପିର ଅପଚେଷ୍ଟା ବୋଲି ଅଭିଯୋଗ କରି ସେ କହିଥିଲେ, ଏହି ନୀତି ଶ୍ରମିକ ଓ କୃଷକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛି ।

ଅନ୍ୟପଟେ ସାମ୍ବାଦିକ ସମ୍ମିଳନୀରେ ଟାଟା ପାଓ୍ବାର ଦ୍ୱାରା ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ହେଉଥିବା ନିୟମିତ ଜୁଲମ ନେଇ ମଧ୍ୟ ଶ୍ରୀ ପଟ୍ଟନାୟକ ତୀବ୍ର ସମାଲୋଚନା କରିଥିଲେ । ବିଭିନ୍ନ ରାଜ୍ୟ ସରକାର ଯେପରି ବିଦ୍ୟୁତ ରିହାତି ଦେଉଛନ୍ତି, ସେ ସମ୍ପର୍କରେ ତୁଳନାତ୍ମକ ବିବରଣୀ ରଖି ଓଡ଼ିଶା ସରକାରଙ୍କ ଟାଟା ପାଓ୍ବାର ସହିତ ଥିବା ‘ମଧୁଚନ୍ଦ୍ରିକା’ ଉପରେ ଗୁରୁତର ଅଭିଯୋଗ କରିଥିଲେ । ରାଜ୍ୟରେ ୩୦୦ ୟୁନିଟ ମାଗଣା ବିଦ୍ୟୁତ ଯୋଗାଣ ଓ ଟାଟା ପାଓ୍ବାର ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ ତୁରନ୍ତ ପ୍ରତ୍ୟାହାର କରିବାକୁ ସେ ଦାବି ରଖିଥିଲେ ।
ଏହା ସହ ଧାନ ମଣ୍ଡିଗୁଡ଼ିକରେ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ମଧ୍ୟ ସେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସଭାରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ. ରାଜେଶ କୁମାର ମିଶ୍ର ସଭାପତିତ୍ୱ କରିଥିଲେ। ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ବିଶ୍ୱନାଥ ଦାଶ, ବିଦ୍ୟୁତଲତା ଆଚାର୍ଯ୍ୟ, ସୁକାନ୍ତ କୁମାର ପ୍ରଧାନ, ସ୍ବାଧୀନ କୁମାର ପଣ୍ଡା, ନିର୍ମଳ ସାମନ୍ତରାୟ, କାଳୀ ପ୍ରସାଦ ନାୟକ, ଆଶୁତୋଷ ମିଶ୍ର, ଦୁର୍ଗାପ୍ରସାଦ ସାମନ୍ତରାୟ, ଉମାକାନ୍ତ ବେହେରା ଓ ଅମିୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault