ଘରେ ପଶି ଉତ୍ପାତ କରୁଛନ୍ତି ମଶା, ମାଛି, ସାପ ଓ ବେଙ୍ଗ
ଓଡ଼ଗାଁ,୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ହରିହର ପୁର ଗ୍ରାମପଞ୍ଚାୟତ ଅସୁରଢିପା ଗ୍ରାମ ଓ୍ବାଡ ନମ୍ବର ୨୧ ବଡ଼ସାହିରେ ଡ୍ରେନ ଅଧାପନ୍ତରିଆ ହୋଇ ନିର୍ମାଣ କରାଯାଇଥିବା ବେଳେ ପଥରୋଧ କାରଣରୁ ଚନ୍ଦ୍ରମଣି ଦାଶଙ୍କ ଘରପାଖ ଏବେ ଡ୍ରେନ୍ ପାଣି ଘେରରେ ବୁଡି ରହିଛି । ଅଭିଯୋଗ ଅନୁସାରେ ଅଶୁରଢିପା ଗ୍ରାମ ଓ୍ବାଡ ନମ୍ବର ୨୧ ର ବାସିନ୍ଦା ଚନ୍ଦ୍ରମଣି ଦାଶ ତାଙ୍କର ପିଲାଛୁଆଙ୍କୁ ଧରି ରହିଆସୁଥିବା ଘର କାନ୍ଥରେ ପ୍ରଶାସନ ଦ୍ବାରା ଅଧାପନ୍ତରିଆ ଭାବେ ଡ୍ରେନ୍ ନିର୍ମାଣ କରି ଛାଡ଼ା ଯାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଉକ୍ତ ଅଧପନ୍ତରିଆ ଡ୍ରେନ୍ ପାଣି ପୂର୍ବରୁ ଖାଲିପଡ଼ିଥିବା ଏକ କବଲତ୍ ସ୍ଥାନରେ ପହଞ୍ଚୁଥିବା ବେଳେ ଉକ୍ତ ଜାଗା ମାଲିକ ନିଜର ଆବଶ୍ୟକତା ପାଇଁ ବର୍ତ୍ତମାନ ସେଠାକୁ ପାଣି ଯିବାକୁ ବନ୍ଦ କରିଛନ୍ତି । ଫଳରେ ମଇଳା ପାଣି ନିଷ୍କାସନ ହୋଇ ପାରୁନାହିଁ । ଏଥିସହିତ ଗ୍ରାମକୁ ପିଇବା ପାଣି ଯୋଗାଇବା ପାଇଁ ସେଠାରେ ନିର୍ମିତ ସୋଲାର ଟାଙ୍କିର ବଳକା ପାଣି ମଧ୍ୟ ବୋହି ଆସି ସେଠାରେ ଜମା ବୃଦ୍ଧି ହେଉଛି । ଏବଂ ଖାଲି ସ୍ଥାନ ପୂର୍ବରୁ ରହିଥିବା ଚନ୍ଦ୍ରମଣି ଦାଶଙ୍କ ଘର ପାଖ ଏବେ ଡ୍ରେନ୍ ପାଣିରେ ବୁଡି ଉବୁଟୁବୁ ହେଉଛି । ଏଠାରେ ଅନବରତ ମଇଳା ପାଣି ଜମା ହୋଇ ରହିବା ଫଳରେ ଘରେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବା ସହିତ ବେଙ୍ଗ ସାପ ମଧ୍ୟ ଘରେ ପସି ଯାଉଛନ୍ତି । ଡ୍ରେନ୍ ପାଣିକୁ ନିଷ୍କାସନ ପାଇଁ ତ୍ୱରିତ ବ୍ୟବସ୍ଥା କରିବା ନିମନ୍ତେ ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ବହୁବାର ମୈ।କ୍ଷିକ ଅଭିଯୋଗ କରିବା ପରେ ବିଫଳ ହେବାରୁ ଚଳିତ ମାସ ୪ ତାରିଖରେ ଏନେଇ ଲିଖିତ ଅଭିଯୋଗ ଜଣାଇଛନ୍ତି । ତଥାପି ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବାରୁ ଚନ୍ଦ୍ରମଣି ଅସହାୟ ବୋଧ କରିଥିବା କହିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପଛେ ଏନେଇ ଆଲୋଚନା କରିବାକୁ କହି ରହିଥିଲେ ।











