ଭୁବନେଶ୍ୱର: ଖଣି ନିରାପତ୍ତା ମହାନିର୍ଦ୍ଦେଶାଳୟ (ଡିଜିଏମଏସ)ର ୧୨୫ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପାଳିତ ହୋଇଯାଇଛି। ଗତ ୭ ତାରିଖରେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଞ୍ଚଳିକ କାର୍ଯ୍ୟଳୟ ପରିସରରେ ୨୫ଟି ଚାରା ରୋପଣ କରାଯାଇଥିଲା। ଏହା ସହିତ “ସୁରକ୍ଷିତ ଖଣି ଖନନକାରୀ, ଶକ୍ତିଶାଳୀ ରାଷ୍ଟ୍ର” ( ସେଫ୍ ମାଇନର, ଷ୍ଟ୍ରଙ୍ଗ ନେସନ) ଶୀର୍ଷକ ଏକ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା।
ଭୁବନେଶ୍ୱର ଆଞ୍ଚଳିକ କ୍ଷେତ୍ର- ୧ ଓ ୨ର ଖଣି ନିରାପତ୍ତା ନିର୍ଦ୍ଦେଶକ ଶ୍ରୀ ଏକେ ମିଶ୍ର ଓ ଏନ୍ ବାଲସୁବ୍ରମଣ୍ୟମଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଖଣିର ୭୫ଜଣ ଅଧିକାରୀ ଯୋଗଦେଇଥିଲେ। ଓଏମସି, ରୁଙ୍ଗଟା, ଏମଜିଏମ, ଜିଆରଏମ, ଫେକର, ଇମ୍ଫା, ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟିଲ, ଜିନ୍ଦଲ ଷ୍ଟେନଲେସ ଲିମିଟେଡ, ଜେଏସଡବ୍ଲୁ ଓ ଏମଏନଏସ ଭଳି କମ୍ପାନି ଏଥିରେ ଅଂଶଗ୍ରହଣ କରିଥିଲେ।
ଖଣିଜ ଓ ଖନନକୁ ଦେଶ ବିକାଶର ମେରୁଦଣ୍ଡ ଭାବେ ବିଚାର କରି ଡିଜିଏମଏସ ପକ୍ଷରୁ ନିରାପତ୍ତା, ସ୍ୱାସ୍ଥ୍ୟ ଓ ଏଥିରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ କଲ୍ୟାଣକୁ ଗୁରୁତ୍ୱ ଦିଆଯାଉଛି। ୧୯୦୨ରେ ପ୍ରତିଷ୍ଠା ହେବା ଦିନଠାରୁ ଦେଶ ବ୍ୟାପୀ ଏହି ମାନକକୁ କାଏମ ରଖିବା ପାଇଁ ଡିଜିଏମଏସ କାର୍ଯ୍ୟ କରିଆସୁଛି।
ସମୟ ଅନୁସାରେ ଶିଳ୍ପାୟନ ଓ ବୈଷୟିକ ଉତ୍ଥାନ ସହ ଡିଜିଏମଏସର ଅନେକ ରୂପାନ୍ତରଣ ହୋଇଛି। ଡିଜିଏମଏସଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପାଇଁ ବିଗତ ଦିନରେ ମୃତାହତ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ହୋଇଛି। କୋଇଲା ଖଣିରେ କାର୍ଯ୍ୟରତ ପ୍ରତି ହଜାରେ କର୍ମଚାରୀରେ ମୃତ୍ୟୁ ହାର ୦.୯୩ରୁ ୦.୧୨କୁ ହ୍ରାସ ପାଇଛି। ସେହିପରି ଅଣ କୋଇଲା ଖଣିରେ ଏହି ହାର ୦.୬୭ ରୁ ୦.୨୨କୁ ହ୍ରାସ ପାଇଛି।
ନିରନ୍ତର ନିରାପଦ ଅଭ୍ୟାସକୁ ପ୍ରୋତ୍ସାହନ ଦ୍ୱାରା ଖଣି ଓ ଖଣି କର୍ମଚାରୀଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବାର ପ୍ରତିବଦ୍ଧତା ଏହି ପ୍ରତିଷ୍ଠା ଦିବସ ଅବସରରେ ପୁନଃ ପ୍ରତିଫଳିତ ହେଉଛି।











