ହେଡଲାଇନସ୍:

ସରକାରୀ ଛତ୍ରଛାୟାରେ ଖଣି ଲୁଟ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଢେଙ୍କାନାଳରେ ଖଣି ବିସ୍ଫୋରଣ ଅତ୍ୟନ୍ତ ନିନ୍ଦନୀୟ

  • ଗୁରୁ ଖଣିଜ ରାଜସ୍ୱ ସଂଗ୍ରହ ୫୦,୦୦୦ କୋଟିରୁ ହ୍ରାସ ପାଇ ୩୪,୦୦୦ କୋଟି ହୋଇଛି

  • ଲଘୁ ଖଣିଜ ରାଜସ୍ୱ ସଂଗ୍ରହ ୧୪୮୫ କୋଟିରୁ ହ୍ରାସ ପାଇ ୬୦୦ କୋଟି ହୋଇଛି

ଭୁବନେଶ୍ୱର, ୦୫/୦୧/୨୦୨୬: ଢେଙ୍କାନାଳ ଜିଲ୍ଲାର ଗୋପାଳପୁର ଗାଁରେ ଏକ ପଥର/ଡୋଲୋମାଇଟ୍ ଖଣିରେ ଏକ ଦୁଃଖଦ ବିସ୍ଫୋରଣ ଦୁର୍ଘଟଣା ଘଟିଛି, ଯେଉଁଥିରେ ୨ ଜଣଙ୍କର ମୃତୁ୍ୟ ହୋଇଛି । ଏହାକୁ ନେଇ ବିଜେଡି ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ବିଜେପି ସରକାରଙ୍କୁ ସମାଲୋଚନା କରିଛି ।
ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ଘଟଣାଟି ଢେଙ୍କାନାଳ ଜିଲ୍ଲା ଗୋପାଳପୁର ଗାଁରେ ଶନିବାର (ଜାନୁଆରୀ ୩) ସନ୍ଧ୍ୟାରେ ଘଟିଥିଲା । କିଛି ଶ୍ରମିକ ମୋଟଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ ନିକଟରେ ଥିବା ପଥର ଖଣିରୁ ପଥର ଖନନ ଏବଂ ଅନୁସନ୍ଧାନରେ ନିୟୋଜିତ ଥିଲାବେଳେ ବିସ୍ଫୋରଣ ଯୋଗୁଁ ୨ ଜଣ ମୃତ ଓ ଅନେକ ଆହତ ହୋଇଥିଲେ ।
ପଥର ଖଣିରେ ବ୍ଲାଷ୍ଟିଂ ଅନୁମତି ୩୦ ସେପ୍ଟେମ୍ୱର ୨୦୨୫ରେ ଶେଷ ହୋଇଥିଲା ବେଳେ ଏହାର ଲିଜ୍ ଅବଧି ୩୧ ଡିସେମ୍ୱର ୨୦୨୫ରେ ଶେଷ ହୋଇଥିଲା । ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ କହିଛନ୍ତି ଯେ, ଖଣି ଲାଇସେନ୍ସ ୩୧ ଡିସେମ୍ୱର ୨୦୨୫ରେ ଶେଷ ହୋଇଯାଇଥିଲା ଏବଂ ଡିସେମ୍ୱରରେ ଲିଜ୍ ଅବଧି ଶେଷ ହେବା ପରେ ମଧ୍ୟ ବେଆଇନ ଖଣି ଏବଂ ବ୍ଲାଷ୍ଟିଂ ଜାରି ରହିଥିଲା ।
ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସୋସିଆଲ ମିିଡିଆ ସାଇଟ୍ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି, ଢେଙ୍କାନାଳର ପଥର ଖଣିରେ ବିସ୍ଫୋରଣ ପରେ ପଥର ଖସି ଶ୍ରମିକମାନେ ପ୍ରାଣ ହରାଇଥିବା ଜାଣିବା ପରେ ମୁଁ ଗଭୀର ଦୁଃଖିତ । ଏହି ଦୁଃଖଦ ସମୟରେ ମୁଁ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରୁଛି । ଏହି ଘଟଣା କେଉଁ ପରିସ୍ଥିତିରେ ଘଟିଲା ଏବଂ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ସମ୍ପର୍କରେ ଉପଯୁକ୍ତ ତଦନ୍ତ କରାଯାଉ ଏବଂ ସରକାର ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଦୃଷ୍ଟି ଦିଅନ୍ତୁ ।
ଅତୀତରେ ଓଡିଶା ବିଧାନସଭାର ଉପବାଚସ୍ପତି ଓଡ଼ିଶାରେ ଖଣିଜ ଲୁଟ୍ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏବଂ ବାଲେଶ୍ୱରର ସାଂସଦ ସୁବର୍ଣ୍ଣରେଖା ନଦୀରେ ବେଆଇନ ବାଲି ଖଣି ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ । ତମାମ ପ୍ରଚେଷ୍ଟା ସତ୍ତ୍ୱେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ, ଯାହା ଦର୍ଶାଉଛି ସରକାରୀ ପ୍ରରୋଚନାରେ ଓଡିଶା ସାରା ଖଣି ଲୁଟ ଚାଲିଛି । ଯାହା ଫଳରେ ଗୁରୁ ଖଣିଜ ରାଜସ୍ୱ ଆଦାୟ ୫୦ ହଜାର କୋଟିରୁ ଖସି ୩୪ ହଜାର କୋଟିରେ ପହଞ୍ଚିଛି । ସେହିଭଳି ଲଘୁ ଖଣିଜ ରାଜସ୍ୱ ଆଦାୟ ୧୪ ଶହ ୮୫ କୋଟିରୁ ଖସି ୬ ଶହ କୋଟିରେ ପହଞ୍ଚିଛି ।
ଡ଼ ମହାନ୍ତି ଆହୁରି କହିଥିଲେ, ବିଜେପି ସରକାର ଖଣିଜ ଗର୍ଭା ଓଡିଶାକୁ ଯେପରି ଲୁଟ କରିଚାଲିଛି, ସମସ୍ତ ଖଣିଜ ସଂପଦ ଆଗାମୀ ୫ ବର୍ଷ ମଧ୍ୟରେ ଶେଷ ହୋଇଯିବ । ପ୍ରଥମେ ଏହି ଘଟଣାର ସଂଜ୍ଞାନ ନେଇ ବିସ୍ଫୋରଣ ଘଟାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ବେଆଇନ ବିସ୍ଫୋରଣ କରିଥିବାରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେଡି ଦାବି କରିଛି ।

0
0
0
s2sdefault