
କେନ୍ଦୁଝର,ତା୩୦/୧୨- ଶୀତ ଋତୁର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ସହାନୁଭୂତି ମୂଳକ ପଦକ୍ଷେପ ଭାବେ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନବପ୍ରେମୀ ସେବା ଟ୍ରଷ୍ଟ୍ ଓ ଇକୋରାଇଜ୍ ଆଲିଆନ୍ସ୍ ଆସୋସିଏସନ୍ ର ମିଳିତ ଆନୁକୂଲ୍ୟରେ ନାରଦପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବସବାସ କରି ରହୁଥିବା ଅସହାୟ ବୃଦ୍ଧ-ବୃଦ୍ଧା ଓ ଅନାଥ ଶିଶୁମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଶୀତରୁ ରକ୍ଷା ପାଇବାରେ ଏହି ସହାୟତା ତାଙ୍କ ପାଇଁ ବଡ଼ ଆଶ୍ୱାସନ ଦେଇଥିବା କଥା ବୃଦ୍ଧ-ବୃଦ୍ଧାମାନେ ଖୁସିର ସହିତ ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ ଯେ, କାନୁପୁର ନଦୀବନ୍ଧ ପ୍ରକଳ୍ପ ଜରିଆରେ ସର୍ବସ୍ବ ହରାଇ ଚମକପୁର, ରେଭେନ୍ସାପୁର (କ), ଧୋବାକୁଚୁଡା, ଲୁଣଗୋଠାଣି ଆଦି ଗ୍ରାମର ବିସ୍ଥାପିତ ଅଧିବାସୀମାନେ ଅତି ଦୟନୀୟ ଭାବେ ବସବାସ କରୁଛନ୍ତି । ଏହି ପଦକ୍ଷେପ ମାନବିକତାର ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଥିବା ବେଳେ ଇକୋରାଇଜ୍ ଆଲିଆନ୍ସ୍ ଆସୋସିଏସନ୍ ର ଚେୟାରମେନ କବିତା ମହାନ୍ତ, କୋଷାଧ୍ୟକ୍ଷ ପୁରେନ୍ଦ୍ର ମହାନ୍ତଙ୍କ ସହିତ ମାନବ ପ୍ରେମୀ ସେବା ଟ୍ରଷ୍ଟ୍ ର ଉପଦେଷ୍ଟା ପ୍ରମୋଦ କୁମାର ମହାନ୍ତ, ସଭାପତି ବିଚିତ୍ରାନନ୍ଦ ଦାସ, ସମ୍ପାଦକ ପିଣ୍ଟୁନ ନାଏକ, ଆଇନଜୀବୀ ସଞ୍ଜୟ କୁମାର ମହାନ୍ତ, ସିଲ୍କିସ୍ମିତା ମହାନ୍ତ, ଆଞ୍ଜେଲିନା ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ । ଅପରପକ୍ଷରେ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ଆୟୋଜନ କରିବା ଦିଗରେ ଜିନ୍ଦଲ ଷ୍ଟିଲ ଫାଉଣ୍ଡେସନ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିଥିବାର ଜଣାପଡିଛି ।











