ହେଡଲାଇନସ୍:

କପାଣି ଲାଇସେନ୍ସପ୍ରାପ୍ତ ମହୁଲି ମଦଭାଟିରେ ଅପମିଶ୍ରଣ କେଲେଙ୍କାରି !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଷାକ୍ତ ମଦ ତିଆରିକୁ ଅଞ୍ଚଳବାସୀଙ୍କ ବିରୋଧ, ଜିଲ୍ଲା ଅବକାରୀ ବିଭାଗର ଭୂମିକା ପ୍ରଶ୍ନରେ

ବଲାଙ୍ଗୀର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ):- ସାରା ଓଡ଼ିଶାରେ ପ୍ରତିଦିନ ଦେଶୀ ଅପମିଶ୍ରିତ ବିଷାକ୍ତ ମଦ ସେବନ ଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ, ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅଧୀନ କପାଣି ଗାଁରେ ଥିବା ଏକ ସରକାରୀ ଲାଇସେନ୍ସପ୍ରାପ୍ତ ଦେଶୀ ମହୁଲି ମଦଭାଟିରେ ଅପମିଶ୍ରଣ କରି ବିଷାକ୍ତ ମଦ ତିଆରି ହେଉଥିବାର ଗୁରୁତର ଅଭିଯୋଗ ଉଠିଛି।
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ମହୁଲ ଫୁଲକୁ ପୋଚ ପକାଇବା ସମୟରେ ପ୍ରତ୍ୟେକ ଡ୍ରମରେ ଗୁଡ, ଚିନି ଓ ସାହାଜ ପତ୍ର ବିପୁଳ ମାତ୍ରାରେ ମିଶାଯାଉଛି। ଗୁଡ ଓ ଚିନି ମିଶାଇବା ଦ୍ୱାରା ମଦର ଡିଗ୍ରୀ ବଢ଼ାଯାଉଥିବା ବେଳେ, ସାହାଜ ପତ୍ରର ମିଶ୍ରଣ ମଦର ଦୁର୍ଗନ୍ଧକୁ କମେଇବା ପାଇଁ ବ୍ୟବହୃତ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏପରି କୃତ୍ରିମ ଅପମିଶ୍ରଣ ବିନା ଏହି ଭାଟିରେ ମଦ ତିଆରି ସମ୍ଭବ ନୁହେଁ। ଅଭିଯୋଗ ଅନୁଯାୟୀ, ଏହି ଭାଟିରେ ତିଆରି ହେଉଥିବା ମଦ ପାଉଚ ସରକାର ନିର୍ଦ୍ଧାରିତ ମୂଲ୍ୟଠାରୁ ୫ରୁ ୧୦ ଟଙ୍କା ଅଧିକ ଦାମରେ ବିକ୍ରୀ କରାଯାଉଛି। ଏହା ସହିତ ୨୦୦ ମିଲିଲିଟରରୁ କମ ପରିମାଣ ଥିବା ସତ୍ତ୍ୱେ ପାଉଚରେ ନ ଏକ୍ସପାଇରୀ ତାରିଖ ଉଲ୍ଲେଖ ରହୁଛି, ନ ଏମଆରପି ଲେଖାଯାଉଛି।
ସାଧାରଣତଃ ମଦର ଉତ୍ପାଦନ ଓ ଗୁଣବତ୍ତା ଉପରେ ରାଜ୍ୟ ଅବକାରୀ ବିଭାଗର କଠୋର ନଜରଦାରୀ ରହିବା କଥା। କିନ୍ତୁ ଏପରି ଅପମିଶ୍ରିତ ବିଷାକ୍ତ ମଦ କିପରି ସର୍ବସାଧାରଣଙ୍କୁ ବିକ୍ରୟ ହେଉଛି, ସେନେଇ ଜିଲ୍ଲା ଅବକାରୀ ବିଭାଗର ଭୂମିକା ଏବେ ଗୁରୁତର ପ୍ରଶ୍ନର ସମ୍ମୁଖୀନ। ଅଭିଯୋଗରେ କୁହାଯାଇଛି ଯେ, ଭାଟି ମାଲିକ ନିଜ କାଉଣ୍ଟରରୁ ମଦ ବିକ୍ରୀ କରିବା ସହିତ ଗାଁ ଗାଁରେ ବେଆଇନ କୋଠି ସୃଷ୍ଟି କରି କୁଚିଆମାନଙ୍କ ମାଧ୍ୟମରେ ସରକାରୀ ନିୟମକୁ ଉଲ୍ଲଂଘନ କରି ଶହେ ଗୁଣା ଅଧିକ ମଦ ପାଉଚ ତିଆରି କରି ବଜାରକୁ ଛାଡ଼ୁଛନ୍ତି। ଏପରିସ୍ଥିତିରେ ଯାଞ୍ଚ ନାମରେ କିଛି ଅଧିକାରୀ ଭୁଲ ରିପୋର୍ଟକୁ ମଧ୍ୟ ସଠିକ୍ ବୋଲି ଦେଖାଇ ଭାଟି ମାଲିକଙ୍କଠାରୁ ମୋଟା ଅଙ୍କର ଲାଭ ଉଠାଉଥିବା ଅଭିଯୋଗ ମଧ୍ୟ ଉଠିଛି। ଏହି ଅପମିଶ୍ରିତ ମଦ ସେବନରୁ ବିଭିନ୍ନ ମାରାତ୍ମକ ରୋଗ ସହ ଜୀବନ ହାନିର ଆଶଙ୍କା ରହିଛି। ସରକାରୀ ଲାଇସେନ୍ସପ୍ରାପ୍ତ ଭାଟିରେ ଏପରି ବିଷାକ୍ତ ମଦ ତିଆରି ହେବା ସାମାଜିକ ସ୍ୱାସ୍ଥ୍ୟ ପାଇଁ ଗଭୀର ବିପଦ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳବାସୀ ବିଷାକ୍ତ ମଦ ପ୍ରସ୍ତୁତି ବିରୋଧରେ ଏକତ୍ରିତ ହୋଇ ଶୀଘ୍ର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବାକୁ ଥିବା ସୂଚନା ମିଳିଛି।

0
0
0
s2sdefault