ହେଡଲାଇନସ୍:

ଢେଙ୍କାନାଳ ଜିଲ୍ଲା କୃଷକ ଉତ୍ପାଦକ ସଂଗଠନ ସଦସ୍ୟ ମାନଙ୍କର ଜଗତସିଂହପୁର ଜିଲ୍ଲା କୃଷକ ଉତ୍ପାଦକ ସଂଗଠନକୁ ଅନୁଭବ ବିକାଶ ଭ୍ରମଣ : ଦୁଗ୍ଧ ମୂଲ୍ୟ ବୃଦ୍ଧିରୁ କୃଷି ପର୍ଯ୍ୟନ୍ତ ସାମଗ୍ରିକ ଶିକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜଗତସିଂହପୁର ତା -04/12/2025 ସୁମନ୍ତ କୁମାର ଦାସ: ଢେଙ୍କାନାଳ ଜିଲ୍ଲାର ୩ଟି କୃଷକ ଉତ୍ପାଦକ ସଂଗଠନର ୧୫ ଜଣ ନିର୍ଦ୍ଦେଶକ ମଣ୍ଡଳୀ ଓ ସଦସ୍ୟମାନେ ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର କୃଷକ ଉତ୍ପାଦକ ସଂଗଠନର ଦାୟିତ୍ଵରତ ଅଧିକାରୀ ଡ଼ ରୋଜାଲିନ ମହନ୍ତଙ୍କ ନେତୃତ୍ୱରେ ଏବଂ ଜଗତସିଂପୁର କୃଷି ବିଜ୍ଞାନ କେନ୍ଦ୍ରର କୃଷକ ଉତ୍ପାଦକ ସଂଗଠନର ଦାୟିତ୍ଵରତ ଅଧିକାରୀ ଶ୍ରୀମତୀ ସସ୍ମିତା ପୁରୋହିତଙ୍କ ସହଯୋଗରେ, ୦୩.୧୨.୨୦୨୫ ତାରିଖରେ ଏକ ବ୍ୟାପକ ଅନୁଭବ ବୃଦ୍ଧିର ଶିକ୍ଷାତ୍ମକ ଭ୍ରମଣରେ ଅଂଶଗ୍ରହଣ କରି ଅମୃତା କୃଷକ ଉତ୍ପାଦକ ସଙ୍ଗଠନ, ବାଣୀକ୍ଷେତ୍ର କୃଷକ ଉତ୍ପାଦକ ସଙ୍ଗଠନ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରକୁ ଭ୍ରମଣ କଲେ । ଏହି ଭ୍ରମଣର ମୁଖ୍ୟ ଲକ୍ଷ୍ୟ ଥିଲା - ବିଭିନ୍ନ କୃଷି ଓ ଉଦ୍ୟମୀତା ସମ୍ପର୍କିତ ପ୍ରୟୋଗ, ନୂଆ ପ୍ରଯୁକ୍ତି, ଉତ୍ପାଦନ ବୃଦ୍ଧି ଓ କୃଷି ମୂଲ୍ୟ ବୃଦ୍ଧିର ପ୍ରାୟୋଗିକ ତଥ୍ୟ ସମ୍ପର୍କରେ ସାକ୍ଷାତ୍ ଅନୁଭବ ପ୍ରାପ୍ତ କରିବା । ଭ୍ରମଣର ପ୍ରଥମ ଗନ୍ତବ୍ୟ ଥିଲା ଅମୃତା କୃଷକ ଉତ୍ପାଦକ ସଙ୍ଗଠନ ଯାହା ଦୁଗ୍ଧ ଆଧାରିତ ମୂଲ୍ୟ ବୃଦ୍ଧି ଉଦ୍ୟମ ପାଇଁ ଚେଷ୍ଟା କରୁଅଛି । ସଦସ୍ୟମାନେ ଏଠାରେ ଛେନା, ପନିର୍, ଘିଅ, ଖୁଆ, ପେଡା ଇତ୍ୟାଦି ପ୍ରସ୍ତୁତି ପ୍ରକ୍ରିୟାକୁ ନିଜ ଚକ୍ଷୁରେ ଦେଖିନେଲେ । ଏହି ପ୍ରୟୋଗ ଗୁଡିକରେ ବ୍ୟବହୃତ ବିଭିନ୍ନ ଆଧୁନିକ ଯନ୍ତ୍ର-ମିଲ୍କ ସେପାରେଟର, ପାସ୍ଚେରାଇଜର, ଚିଜ୍ ୟୁନିଟ୍ ଇତ୍ୟାଦିର ବ୍ୟାପକ ପ୍ରଦର୍ଶନ ଦେଖି ସଦସ୍ୟମାନେ ଦୁଗ୍ଧ ଉତ୍ପାଦନରୁ କିପରି ଅଧିକ ଆର୍ଥିକ ଲାଭ ହାସଲ କରିପାରିବେ ସେ ବିଷୟରେ ନୂଆ ଧାରଣା ପାଇଲେ । ଦ୍ଵିତୀୟ ଗନ୍ତବ୍ୟ ବାଣୀକ୍ଷେତ୍ର କୃଷକ ଉତ୍ପାଦକ ସଙ୍ଗଠନ, ଯେଉଁଠାରେ ସଦସ୍ୟମାନେ ୧୩୮ଟି ସ୍ଥାନୀୟ ଧାନ ପ୍ରଜାତିର ପ୍ୟୁର୍ ଲାଇନ୍ ସୱିଂ ପ୍ରକ୍ରିୟା ବିଷୟରେ ଯଥାର୍ଥ ତଥ୍ୟ ଅଧିଗତ କଲେ । ପୁରୁଣା ଧାନ ପ୍ରଜାତିକୁ ସୁରକ୍ଷିତ କରି ଉତ୍କୃଷ୍ଟ ବୀଜ ବିକାଶ ପ୍ରୟାସ ଏହି କୃଷକ ଉତ୍ପାଦକ ସଙ୍ଗଠନର ଏକ ମୁଖ୍ୟ ଅଭିନବ ପଦକ୍ଷେପ । ସେଠାରେ ସଦସ୍ୟମାନେ ସିଡ ପ୍ରସେଶିଂ ୟୁନିଟ୍, କ୍ଲିନିଂ, ଗ୍ରେଡିଂ, ଡ୍ରାଇଂ ଓ ପେକେଜିଂ ପ୍ରକ୍ରିୟାକୁ ଦେଖି ବୀଜ ପ୍ରସ୍ତୁତି ବିଷୟରେ ଜ୍ଞାନ ଅର୍ଜନ କଲେ । ଭ୍ରମଣର ଶେଷ ଗନ୍ତବ୍ୟ ଥିଲା କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଯେଉଁଠାରେ କୃଷକ ଉତ୍ପାଦକ ସଂଗଠନର ସଦସ୍ୟମାନେ ମୃତ୍ତିକାର ଜୀବାଣୁ, ପୋଷକ ତତ୍ତ୍ଵ ଓ ବୃଦ୍ଧିତା ନିର୍ଣ୍ଣୟ ପଦ୍ଧତିକୁ ମୃତ୍ତିକା ପରୀକ୍ଷାଗାରରେ ନିକଟରୁ ଅନୁଭବ କଲେ । ଏତତ୍ ବ୍ୟତୀତ ପ୍ଲାଣ୍ଟ ହେଲ୍ଥ କ୍ଲିନିକ୍ ରେ ରୋଗ-କୀଟ ଚିହ୍ନଟ ଓ ବୈଜ୍ଞାନିକ ବ୍ୟବସ୍ଥାପନ ବିଷୟରେ ବ୍ୟାପକ ଜ୍ଞାନ ପ୍ରାପ୍ତ କଲେ । କମ୍ ଜାଗା ଓ କମ୍ ପାଣିରେ ମାଛ ଚାଷ ପାଇଁ ଏକ ଲାଭଜନକ ପଦ୍ଧତି ଭାବେ ବାୟୋଫ୍ଲକ୍ ଚାଷ ପ୍ରଣାଳୀ ସମ୍ବନ୍ଧରେ ଜାଣିଲେ ଏବଂ ଜିଆଖତ ଚାଷ, ଆଜୋଲା ଚାଷ, ନର୍ସରୀରେ ଚାରା ପ୍ରସ୍ତୁତି, ପାକଶାଳା ବଗିଚା ଇଦ୍ୟାଦି ଭ୍ରମଣ କରିଥିଲେ । ଏହି ସମଗ୍ର ଭ୍ରମଣ ସଦସ୍ୟମାନଙ୍କ ମଧ୍ୟରେ ମୂଲ୍ୟ ବୃଦ୍ଧି ଉଦ୍ୟମ, ବୈଜ୍ଞାନିକ କୃଷି ବିଷୟରେ ନୂଆ ଆଶା ଓ ଉତ୍ସାହ ସୃଷ୍ଟି କରିଛି । ଏହି ଅନୁଭବ ସେମାନଙ୍କୁ ଭବିଷ୍ୟତରେ ସ୍ଥାୟୀ କୃଷି ଓ ଆର୍ଥିକ ଦୃଢ଼ତା ଭଳି ଲକ୍ଷ୍ୟ ପୂରଣ ପାଇଁ ନିଶ୍ଚୟ ଅବଦାନ ରଖିବ ।

0
0
0
s2sdefault