ଦମ ଥିଲେ ଗାନ୍ଧୀ ଛକରୁ ଜବରଦଖଲ ହଟାଉ ପ୍ରଶାସନ।
କେନ୍ଦୁଝର,ତା୪/୧୨- ଡିସେମ୍ବର ୨ ତାରିଖ କେନ୍ଦୁଝର ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କୁ କୌଣସି ନୋଟିସ ନଦେଇ ହଠାତ୍ କଂଗ୍ରେସ ଭବନର ପାଚେରୀ ଭାଙ୍ଗି ସୀମା ନିର୍ଦ୍ଧାରଣ କରିବା ଏକ ଆଇନ ଅସମ୍ମତ କାର୍ଯ୍ୟ। ସତ୍ତାଧାରୀ ଦଳର ଆଦେଶରେ ଜିଲ୍ଲା ପ୍ରଶାସନ ୧୫୦ ବର୍ଷର ଐତିହାସିକ ଦଳ ଜାତୀୟ କଂଗ୍ରେସ ଦଳର ନିଜସ୍ୱ ଜମିର ପାଚେରୀ ଭାଙ୍ଗି ବେଦଖଲ କରିବା ଭାରତୀୟ ଜାତୀୟ କଂଗ୍ରେସ ଓ କଂଗ୍ରେସ କର୍ମୀ ମାନଙ୍କ ପ୍ରତି ଘୃଣ୍ୟ ମାନସିକତାର ପ୍ରକାଶ କହିଲେ ମାତ୍ର ଅତ୍ୟୁକ୍ତି ହେବ ନାହିଁ ବୋଲି ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ନିଜ ଭୁଲକୁ ସଂଶୋଧନ କରି, ଆଇନସମ୍ମତ ଭାବରେ କାର୍ଯ୍ୟକାରୀ କରୁ ନଚେତ୍ ଜିଲ୍ଲା କଂଗ୍ରେସର ସମସ୍ତ କର୍ମୀ ଆନ୍ଦୋଳନରେ ଅଂଶଗ୍ରହଣ କରିବେ ଓ ଆଇନଗତ ପଦକ୍ଷେପ ମଧ୍ୟ ନେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ଆଜି ଶ୍ରୀ ଜେନା ଜିଲ୍ଲା କଂଗ୍ରେସ ଭବନ ବୁଲି ଧ୍ୱସ୍ତ ଅବସ୍ଥା ଦେଖି ଉଚ୍ଛେଦ ହୋଇ ରୋଜଗାର ହରାଇଥିବା ଦୋକାନୀଙ୍କୁ ଭେଟି ଆଶ୍ୱାସନା ଦେଇଥିଲେ। ଏହାପରେ ସେ କଂଗ୍ରେସ ପ୍ରତିନିଧି ମାନଙ୍କୁ ନେଇ କେନ୍ଦୁଝରଗଡ଼ ନଗରପାଳିକା ଦପ୍ତର ଯାଇ ପୌର ନିର୍ବାହୀ ଅଧିକାରୀ ଓ ନଗରପାଳଙ୍କ ସହ ଆଲୋଚନା କରିଥିଲେ। ସୂଚନା ମିଳିଛି କି କେନ୍ଦୁଝର ବଜାର ମଧ୍ୟସ୍ଥଳ ଗାନ୍ଧୀ ଛକ ଟ୍ରାଫିକକୁ ଲାଗି ସରକାରୀ ଦଳର କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଖାସ ଲୋକର ପରିବାର ଏକ ମୂଲ୍ୟବାନ ସରକାରୀ ଜମିକୁ ମାଡିବସି ଦୋକାନ କରି ଭୋଗ ଦଖଲ କରୁଛନ୍ତି। ଏହାର ଉଚ୍ଛେଦ ଲାଗି କୋର୍ଟ ନିର୍ଦ୍ଦେଶ ଓ ଜିଲ୍ଲାପାଳଙ୍କ ତଦନ୍ତ ପରେ ଅସାଧୁ ନଗରପାଳିକା କର୍ମଚାରୀ ଟଙ୍କା ଖାଇ ଏଯାଏ ଭାଙ୍ଗି ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଜ ଲୋକ ରାସ୍ତା ଟ୍ରାଫିକ ଉପରେ ଜବରଦଖଲ କଲେ ଲୋକେ ଦୁର୍ଘଟଣାରେ ମରୁଛନ୍ତି ହେଲେ ପ୍ରତିକାର ହେଉନି ଓଲଟା କଂଗ୍ରେସ ଭବନରେ ପାଲ ଟାଙ୍ଗି ଛତୁ ବେପାର କରୁଥିବା ଚାଷୀଙ୍କ ଦୋକାନ ବିନା ନୋଟିସରେ ଭାଙ୍ଗି ନଗରପାଳିକା ଅତି ନୀଚ୍ଚ ହୀନ କାର୍ଯ୍ୟ କରିଛି ବୋଲି କଂଗ୍ରେସ କର୍ମୀ ମାନେ ଅଭିଯୋଗ କରିଛନ୍ତି। କଂଗ୍ରେସ ଭବନ କଡ଼େ ମୋହନ ମାଝିଙ୍କ ବିରାଟ କଟ ଆଉଟ ମୂର୍ତ୍ତି କେବେଠାରୁ ରହି ବିପଦ ସୃଷ୍ଟି କରୁଛି ତାହାକୁ ତୁରନ୍ତ ହଟାଇବାକୁ ସେମାନେ ଦାବି କରିଛନ୍ତି। ତେବେ ବରିଷ୍ଠ ନେତା ଜୟଦେବ ଜେନା ଏହିସବୁ ବେଆଇନ କାର୍ଯ୍ୟ ବିରୁଦ୍ଧରେ ନିଶ୍ଚିତ କଂଗ୍ରେସ ଦୃଢ଼ ପ୍ରତିବାଦ କରି ଆନ୍ଦୋଳନ କରିବ କହିଛନ୍ତି।











