ହେଡଲାଇନସ୍:

 ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ବୁଢାବୁଢୀଆଣୀର ଅପରୂପ ପ୍ରାକୃତିକ ଶୋଭାରାଜି  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ( ଶ୍ରୀକାନ୍ତ କୁମାର ମିଶ୍ର ): ଓଡ଼ିଶାର ଅନ୍ୟତମ ଅଧ୍ୟାତ୍ମ ପର୍ଯ୍ୟଟନସ୍ଥଳୀ ଶ୍ରୀରଘୁନାଥ ଜୀଉଙ୍କ ବିଜେସ୍ଥଳୀ ଓଡଗାଁ ଠାରୁ ୧୦କି.ମି ତଥା  ଭୁବନେଶ୍ୱର ଠାରୁ ଭଞ୍ଜନଗର ଯିବା  ରାସ୍ତାରେ ୧୧୫କି.ମି. ଅତିକ୍ରମ କଲାପରେ କେନାଲ ଛକଠାରୁ ମାତ୍ର ୭କି.ମି. ଦୂରରେ ପଡିଥାଏ ପ୍ରକୃତିର ଅପରୂପ ଶୋଭାରାଜୀରେ ଭରା ବୁଢାବୁଢିଆଣୀ ଡ୍ୟାମ । ବର୍ଷର ସବୁ ସମୟରେ ଏଠାକୁ ପର୍ଯ୍ୟଟକମାନେ ଆସୁଥିବା ବେଳେ ସାଧାରଣ ଭାବରେ ଶୀତରୁତୁର ଡିସେମ୍ବର ମାସରୁ ଫ୍ରେବୁୟାରୀ ମାସ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ପର୍ଯ୍ୟଟକ ବଣଭୋଜି କରିବା ପାଇଁ ଏଠାକୁ ଆସିଥାନ୍ତି । ସୁନୀଳ ଆକାଶ ନୀଳ ଜଳରାଶି ସହିତ ଚତୁଃପାଶ୍ୱର୍ର ସବୁଜ ପର୍ବତ ମାଳା ହିମାଳୟ ପାର୍ବତ୍ୟାଞ୍ଚଳର ଭ୍ରମ ସୃଷ୍ଟିକରେ କିଛି ସମୟ ପାଇଁ ପର୍ଯ୍ୟଟକଙ୍କ ମନରେ । ଶାନ୍ତ ସ୍ନିିଗ୍ଧ ସୁଶିତଳ ପରିବେଶ ମନରେ ପର୍ଯ୍ୟଟକ ମନରେ ଆଣିଦିଏ ଅପାର ଆନନ୍ଦ । ସାଧାରଣ ଜୀବନ ଚର୍ଯ୍ୟାରୁ କିଛି ସମୟ ପାଇଁ ଦୂରେଇ ଯାଇ ଦୁଃଖ କ୍ଳାନ୍ତ କ୍ଳେଶ ଅବସାଦରୁ ମୁକ୍ତି ପାଇବାକୁ ଏଠାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଛୁଟିଆସିଥାନ୍ତି ବହୁ ପର୍ଯ୍ୟଟକ । ଅନୁରୁପ ଭାବେ ଚଳିତ ବର୍ଷ ଛୁଟିଦିନ ମାନଙ୍କରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ସ୍କୁଲ କଲେଜର ବିଦ୍ୟାର୍ଥୀମାନେ ତଥା ଅନ୍ୟାନ୍ୟ  ଅନୁଷ୍ଠାନମାନଙ୍କର କାର୍ଯ୍ୟକର୍ତ୍ତାମାନେ ଏଠାକୁ ଆସୁଥିବା ଦେଖିବାକୁ ମିଳେ । ବୁଢାବୁଢିଆଣୀ ବନ୍ଧ ସହିତ ସଂଯୁକ୍ତ ହୋଇ ରହିଥିବା ଡୁବୁରି ପାହାଡ ଉପରେ ନିର୍ମାଣ ହୋଇଥିବା ୱାଚ ଟାଓାର (ଦୃଶ୍ୟାବଲୋକନ ଗୃହ)ଉପରୁ ଦେଖିଲେ ଏହାର ଅପରୁପ ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କୁ ପୁନଃ ଆକର୍ଷିତ  କରିଥାଏ । ବଣଭୋଜି କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ପିଣ୍ଡି ଏବଂ ମଣ୍ଡପମାନ ନିର୍ମାଣ କରାଯାଇଛି । ନଳକୂଅ ପାଣିର ସୁବିଧା ରହିଛି । ସାଧାରଣତଃ ପର୍ଯ୍ୟଟକମାନେ ଗୋଟିଏ ପାଶ୍ୱର୍ରେ ପ୍ରସିଦ୍ଧ ଶୈବପିଠ ଲଡୁବାବା, ଅନ୍ୟ ପାଶ୍ୱର୍ରେ ଦୁତିକେଶ୍ୱର ମହାଦେବ ଏବଂ ଠିକ ମଧ୍ୟ ଭାଗରେ ଥିବା ସ୍ୱର୍ଣ୍ଣ କଳଶ କ୍ଷେତ୍ର ଭାବରେ ପରିଚିତ ଶ୍ରୀରଘୁନାଥ ଜିଉଙ୍କ ଦର୍ଶନ ପରେ ପର୍ଯ୍ୟଟକ ରାସ୍ତା ପାଶ୍ୱର ନିର୍ମିତ ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ କିଛି ସମୟ କଟାଇ ବାହାରି ପଡନ୍ତି ବୁଢାବୁଢିଆଣୀ ଅଭିମୁଖେ । ଆଦିବାସୀ ସମ୍ପ୍ରଦାୟ ଦ୍ୱାରା ସ୍ଥାପିତ ବୁଢାବୁଢିଆଣୀ ଠାକୁରାଣୀଙ୍କ ଦର୍ଶନ କରିବାପରେ ଏଠାରେ ବଣଭୋଜିର ମଜା ଉଠାଇଥାନ୍ତି ପର୍ଯ୍ୟଟକ । ହେଲେ ବୁଢାବୁଢିଆଣୀ ଡ୍ୟାମକୁ ଏ ପର୍ଯ୍ୟନ୍ତ ସରକାରଙ୍କ  ପକ୍ଷରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇନାହିଁ | ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପ୍ରଦାନ କରାଗଲେ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ସହିତ, ସେମାନେ ସ୍ୱତନ୍ତ୍ର ସୁବିଧା ସୁଯୋଗ ପାଇଲେ ଉକ୍ତ ସ୍ଥାନଟି ସର୍ବକାଳୀନ ପର୍ଯ୍ୟଟନ ସ୍ଥଳୀରୁପେ ଗୈାରବ ଅର୍ଜନ କରିପାରନ୍ତା ।  

 

0
0
0
s2sdefault