କେନ୍ଦୁଝର: ୧୨/୧୧/୨୦୨୫- ବାଂଶପାଳ ବ୍ଲକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ ଘୁଙ୍ଗି ଗାଁର ନଟବର ଜୁଆଙ୍ଗଙ୍କ ଭିନ୍ନକ୍ଷମ ପିଲାଙ୍କ ସହିତ "ଆଶା" ର ସ୍ଵେଚ୍ଛାସେବୀ ମାନେ ପାଳିଲେ ପ୍ରଥମାଷ୍ଟମୀ।
ଆଜି ପ୍ରଥମାଷ୍ଟମୀ ଦିନ ନିତ୍ୟାନନ୍ଦ ପୁର ସ୍ଥିତ ସ୍ଵେଚ୍ଛାସେବୀ ଅନୁଷ୍ଠାନ" ଆଶା" ର ସ୍ଵେଚ୍ଛାସେବୀ ମାନେ ଗାଁ ଠାରୁ ସାତ କିଲୋମିଟର ଦୂରରେ ଅବସ୍ଥିତ ଘୁଙ୍ଗି ଗାଁର ନଟବର ଜୁଆଙ୍ଗଙ୍କ ଭିନ୍ନକ୍ଷମ ଚାରି ଝିଅଙ୍କ ସହିତ ପ୍ରଥମାଷ୍ଟମୀ ପାଳିଛନ୍ତି। ସ୍ଵେଚ୍ଛାସେବୀ ମାନେ ପିଲାଙ୍କ ପାଇଁ ନୂଆ ଶାଲ, ସାମ୍ପୁ, ସାବୁନ୍, ତେଲ, ବିନ୍ଦି, ନେଲ୍ ପୋଲିସ୍, ଚୁଡା, ଗୁଡ, ଆଳୁ, ପିଆଜ, ବିସ୍କୁଟ ଇତ୍ୟାଦି ନେଇକି ଯାଇଥିଲେ। ତା ସହିତ କିଛି ଶୀତ ବସ୍ତ୍ର ମଧ୍ୟ ତାଙ୍କୁ ପ୍ରଦାନ କରିଥିଲେ। ଏ ପିଲାମାନେ ସ୍ବେଛାସେବୀଙ୍କ ସହିତ ଆନନ୍ଦରେ କିଛି ସମୟ କାଟିଥିଲେ। ନଟବର, ତାଙ୍କ ସ୍ତ୍ରୀ ଓ ଗାଁର ଅନ୍ୟ ଅଭିଭାବକମାନେ ସ୍ଵେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ।
ଏଠାରେ ପ୍ରକାଶ ଥାଉକି ଏ ପିଲାମାନଙ୍କୁ ଗତମାସ " ଆଶା" ତରଫରୁ ନୂଆ ପୋଷାକ ସାଙ୍ଗକୁ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ କିଛି ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା।
ଏହାବାଦ୍, ଇତିମଧ୍ୟରେ " ଆଶା" ର ଉଦ୍ୟମରେ ଉକ୍ତ ଚାରି ଝିଅଙ୍କ ମଧ୍ୟରୁ ଦୁଇ ଝିଅଙ୍କ ଭିନ୍ନକ୍ଷମତା ପରୀକ୍ଷା କରାଯାଇଛି। ଏ ସମ୍ପର୍କିତ ପ୍ରମାଣ ପତ୍ର ମିଳିବା ପରେ, ସେମାନଙ୍କ ଭତ୍ତା ମଞ୍ଜୁର ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ସେଥିପାଇଁ " ଆଶ" ତରଫରୁ ବ୍ଲକ୍ କର୍ତୃପକ୍ଷଙ୍କ ସହିତ ଯୋଗାଯୋଗ ଜାରି ରହିଛି। ଏତଦ୍ ବ୍ୟତୀତ, ପିଲାଙ୍କ ଚିକିତ୍ସା ପାଇଁ ମଧ୍ୟ " ଆଶା" ତରଫରୁ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ଦରଖାସ୍ତ କରାଯାଇଛି।
" ଆଶା" ର ଏ ପ୍ରକାର କଲ୍ୟାଣ ମୂଳକ କାର୍ଯ୍ୟକୁ ଆଖ ପାଖର ଲୋକେ ପ୍ରଶଂସା କରିଛନ୍ତି। ଆଜି ଗାଁର କେତେକ ସଚେତନ ବ୍ୟକ୍ତି ସ୍ଵେଚ୍ଛାସେବୀ ମାନଙ୍କୁ ସାଥିରେ ନେଇ କେତେକ ଅନାଥ, ଭିନ୍ନକ୍ଷମ ପିଲାଙ୍କ ସହିତ ଭେଟ କରାଇଥିଲେ। ଏହା ସହିତ ସେ ପିଲାଙ୍କ ପାଇଁ ଭତ୍ତା, ଘର, ଅନୁକମ୍ପା ମୂଳକ ସହାୟତା, ଚିକିତ୍ସା, ଶିକ୍ଷା ସକାଶେ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଵେଚ୍ଛାସେବୀ ମାନଙ୍କୁ ଅନୁରୋଧ କରିଛନ୍ତି।
ସ୍ଵେଚ୍ଛାସେବୀ ମାନଙ୍କ ମଧ୍ୟରେ ଥିଲେ ଶ୍ରୀ ରାମଚନ୍ଦ୍ର ମହାନ୍ତ, ଶ୍ରୀ ରମେଶ ଚନ୍ଦ୍ର ନାଏକ, ଶ୍ରୀ ଲକ୍ଷ୍ମଣ କୁମାର ମହାନ୍ତ, ଶ୍ରୀ ସନ୍ତୋଷ କୁମାର ଘଣା, ଶ୍ରୀ ମହେଶ୍ୱର ଘଣା, ଶ୍ରୀ ହିରୋ ମହାକୁଡ, ଶ୍ରୀ ତୁଷାର ଭୂଷଣ ମହାନ୍ତ, ଶ୍ରୀ ଡମ୍ବରୁଧର ଘଣା, ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତ, ଶ୍ରୀମତୀ ସତ୍ୟଭାମା ମହାନ୍ତ ଓ ଶ୍ରୀମତୀ ମିନତୀ ମହାନ୍ତ ।











