ନୟାଗଡ଼(ବିଶ୍ୱଜିତ ନାୟକ): -ନୟାଗଡ଼ ଜିଲ୍ଲା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୁଲ୍ୟରେ ଆଜି ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ବିଧାୟକ କିମ୍ବା ସାଂସଦ ଯୋଗ ଦେଇନଥିବା ବେଳେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ପର୍ଶୁରାମ ସ୍ୱାଇଁ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶିବ ନାରାୟାଣ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ବୈଜ୍ଞାନିକ ଅନୀଲ କୁମାର ସ୍ୱାଇଁ, ଡ. ଅଜୟ କୁମାର ଜେନା ପ୍ରମୂଖ ମଞ୍ଚାସୀନ ହୋଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସ୍ୱାଗତ ଅବିଭାଷଣ ରଖିବା ପରେ ଜୈନିକ ଚାଷୀ କ୍ଷୋଭ ଓ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବାଲୁଗାଁ ଅଞ୍ଚଳର ଚାଷୀ ରଣଜିତ ଦଳବେହେରା, ମାଣ୍ଡିଆ ଚାଷ କରୁଥିବା ଚାଷୀଙ୍କ ତାଲିକା ମାଗିବା ସହ ଜିଲ୍ଲାରେ ମାଣ୍ଡିଆ ଚାଷ ଆଦୈ ନହୋଇ କାଗଜ ପତ୍ରରେ ଦର୍ଶା ଯାଉଥିବା କହିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏହାକୁ ନେଇ ହଡ଼ବଡ଼େଇ ଯାଇଥିବା ବେଳେ ଏହା ପକୃତ ଫୋରମ୍ ନୁହେଁ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଚାଷୀ ରଣଜିତ ଦଳବେହେରା ଚୁପ ରହିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ମାଣ୍ଡିଆ ଏକ ପାରମ୍ପରିକ ଖାଦ୍ୟ ବୋଲି ବକ୍ତବ୍ୟ ରଖିଥିଲେ । ଜିଲ୍ଲାରେ ମାଣ୍ଡିଆ ଚାଷ ପ୍ରଭାବଶାଳୀ ହେଉନି, କିନ୍ତୁ ଚାଷୀଙ୍କୁ ପ୍ରୋତ୍ସାହିତ କରି ଚାଷ ବୃଦ୍ଧି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଆୟୋଜିତ ମାଣ୍ଡିଆ ଦିବସ ଉପରେ ଅନୁଷ୍ଠିତ ପ୍ରତିଯୋଗିତାର କୃତ୍ତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ କିଛି ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଜିଲ୍ଲାରେ ମାଣ୍ଡିଆ ଚାଷ ନହୋଇ ଏନଜିଓ ଗୁଡ଼ିକ କାଗଜ ପତ୍ରରେ ମାଣ୍ଡିଆ ଚାଷ ହେଉଥିବା ଦର୍ଶାଉଥିବା ବେଳେ ଆଜି କାର୍ଯ୍ୟକ୍ରମରେ ପ୍ରାୟୋଜିତ ଭାବେ ଲୁଚାଇବାକୁ ଯଥେଷ୍ଟ ଚେଷ୍ଟା କରାଯାଇଥିବା ଦେଖାଯାଇଥିଲା । ଅତିଥିମାନେ ଆୟୋଜିତ ଏକ ଫଟୋ ଗ୍ୟାଲେରୀକୁ ଉଦଘାଟନ କରିଥିଲେ । ଏହି ଅବସରରେ କୃଷି ଐତିହ୍ୟ ଓ ଜୈବ୍ୟ ବିବିଧତା ସଂରକ୍ଷଣ ଉପରେ କୃଷି ବୈଜ୍ଞାନିକମାନେ ଆଲୋଚନା ରଖିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ ଓ ଅନେକ ଚାଷୀ ଓ ଏନଜିଓମାନେ ସାମିଲ ହୋଇଥିଲେ ।











