-
ରାସ୍ତା ନଥିବା ଗାଁକୁ ମିଳିବ ପକ୍କା ସଡ଼କ
-
ଖୋଲିବ ନୂତନ ବିଦ୍ୟାଳୟ
-
ଘରକୁ ମିଳିବ ସୋଲାର ବିଦ୍ୟୁତ୍
ଓଡ଼ଗାଁ,୬।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ନେପାଳ ଗ୍ରାମକୁ ଗୁରୁବାର ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଚାନକ ଗସ୍ତ ଜିଲ୍ଲା ପ୍ରଶାସନିକ ସ୍ତରରେ ହଲଚଲ ସୃଷ୍ଟି କରିଥିଲା । ଜିଲ୍ଲାପାଳ ଓଡ଼ଗାଁ ବ୍ଳକର ଏହି ବିଚ୍ଛିନ୍ନାଞ୍ଚଳ ଅନୁସୂଚିତ ଜନଜାତିଙ୍କ ବସତି ନେପାଳ ଗ୍ରାମରେ ପହଞ୍ଚି ଘରକୁ ଘର ବୁଲି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସର୍ବନିମ୍ନ ମୈ।ଳିକ ସୁବିଧା ସୁଯୋଗ ନିମନ୍ତେ, ଗ୍ରାମକୁ ରାସ୍ତାଟିଏ ନଥିବାରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବାଣ୍ଠପୁର ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ କରିବା, ସୋଲାର ବିଦ୍ୟୁତ୍ ସଂଯୋଗ କରି ପ୍ରତି ଘରକୁ ଆଲୋକି କରଣ କରିବା, ଶିକ୍ଷାର ଉନ୍ନତି ପାଇଁ ନୂତନ ବିଦ୍ୟାଳୟ ଖୋଲିବା ଭଳି ଅନେକ ନିଷ୍ପତ୍ତି ମାନ ଗ୍ରହଣ କରିଥିଲେ । ଏଥି ସହିତ ଗ୍ରାମର ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଟିକା କରଣ, ଆଧାର କାର୍ଡ ନିର୍ମାଣ ଓ ନବିକରଣ, ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ଯଥାଶୀଘ୍ର ସାରିବା ଓ କେନ୍ଦ୍ରକୁ ଦୈନନ୍ଦିନ ପରିଚାଳନା କରିବା ବ୍ୟବସ୍ଥାର ତ୍ୱରିତ ସମାଧାନ ପାଇଁ ବିଡ଼ିଓଙ୍କୁ କହିଥିଲେ। ଜିଲ୍ଲାପାଳଙ୍କ ଗସ୍ତ ଖବରପାଇ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସହିତ ବିଡ଼ିଓ ଜିତେନ୍ଦ୍ର କୁମାର ନାଏକ, ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଗିତାଞ୍ଜଳୀ ସାହୁ, ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପିଣ୍ଟୁ ପ୍ରଧାନଙ୍କ ସମେତ ଜିଲ୍ଲାର ଅନ୍ୟ ଅଧିକାରୀମାନେ ଯାଇ ନେପାଳ ଗ୍ରାମରେ ପହଞ୍ଚିଥିଲେ ।
ରାସ୍ତା ନିର୍ମାଣ ହେଲେ ଦୁର ହେବ ଗମନାଗମନ ଅସୁବିଧା । ଅଧିବାସୀ ମାନେ ସହଜରେ ବ୍ଳକ, ଜିଲ୍ଲା ଏବଂ ରାଜଧାନୀର ସଦର ମହକୁମାରେ ପହଞ୍ଚି ପାରିବେ । ଛେଳି ଚାଷ ଏବଂ ଗାଈ ଫାର୍ମ ପରି ସରକାରୀ ଯୋଜନା ମାନ ଯୋଗାଇଦେଇ ଅଧିବାସୀଙ୍କ ଆର୍ଥିକ ଉନ୍ନତି କରାଯିବ । ଓରିଡା ସହାୟତାରେ ପ୍ରତି ଘରକୁ ସୋଲାର ବିଦ୍ୟୁତ୍ ସେବା ସହିତ ନୂତନ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ । ନୂତନ ବିଦ୍ୟାଳୟ ନିର୍ମାଣ ପୂର୍ବରୁ ସପ୍ତାହରେ ୩ଜଣ ଶିକ୍ଷକ ୨ ଦିନ ଲେଖାଁଏ ନେପାଳ ଗାଁକୁ ଯାଇ ଶିଶୁ ମାନଙ୍କୁ ପାଠ ପଢ଼ାଇବା ଦାୟିତ୍ଵ ନେବେ । ସମଗ୍ର ଶିକ୍ଷା ଉଲ୍ଲାସ ଯୋଜନା ସହାୟତାରେ ଚିହ୍ନଟ ୫୨ ଜଣ ବୟସ୍କ ବ୍ୟକ୍ତିଙ୍କୁ ୫ ଜଣ ସ୍ବେଚ୍ଛାସେବୀ ଶିକ୍ଷକ ପାଠ ପଢ଼ାଇବେ ବୋଲି ନିଷ୍ପତ୍ତି ହୋଇଥିଲା । ଆଜି ବୟସ୍କ ମାନଙ୍କୁ ନିଜେ ଜିଲ୍ଲାପାଳ ପୁସ୍ତକ ବଣ୍ଟନ କରିଥିଲେ । ଏତଦବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଓ ନୂତନ ଆବେଦନ କାରିଗରଙ୍କୁ ଗୁରୁତ୍ବର ସହିତ ଆବାସ ଯୋଜନା ମାଧ୍ୟମରେ ଗୃହ ଯୋଗାଣ କରିବାକୁ ବିଡ଼ିଓଙ୍କୁ କହିଥିଲେ । ଏବଂ ଭିନ୍ନକ୍ଷମ ଚିହ୍ନଟ ଓ ସେମାନଙ୍କୁ ଭତ୍ତା ପ୍ରଦାନ ପାଇଁ ଦାୟିତ୍ଵର ସହ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।











