ହେଡଲାଇନସ୍:

ନୂଆପଡା ଓ ଖରିଆର ରୋଡରେ ନବୀନ ପଟ୍ଟନାୟକଙ୍କ ମାରାଥନ ନିର୍ବାଚନ ପ୍ରଚାର ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ନୂଆପଡା ଓ ଖରିଆର ରୋଡରେ ବିଶାଳ ରୋଡ୍‌ ଶୋ ।

  • ସାମିଲ ହେଲେ ହଜାର ହଜାର ଲୋକ ।

  • ପରବୋଡରେ ନିର୍ବାଚନୀ ସଭାରେ ଯୋଗ ଦେଲେ ।

  • ମିଛ କହି ସରକାର ଗଢା ଯାଇପାରେ, ପ୍ରାର୍ଥୀ ଚୋରି କରାଯାଇପାରେ, କିନ୍ତୁ ଲୋକଙ୍କ ହୃଦୟ ଜିତି ପାରିବ ନାହିଁ ।

  • ଗତ ୫୦୦ ଦିନରେ ବିଜେପି ସରକାର ଲୋକଙ୍କ ପାଇଁ କରିଛି କ”ଣ ?

  • କେବଳ ଧୋକା, ଧୋକା, ଡବଲ ଧୋକା ।



ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ନୂଆପଡା ଗସ୍ତରେ ଯାଇ ସେଠାରେ ମାରାଥନ୍‌ ନିର୍ବାଚନ ପ୍ରଚାର କରିଛନ୍ତି । ଦୀର୍ଘ ତିନି ଘଣ୍ଟା ଧରି ଖରିଆର ରୋଡ ଓ ନୂଆପଡାରେ ବିଶାଳ ରୋଡ ଶୋ ରେ ଯୋଗ ଦେଇ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଥିଲେ । ଦୀର୍ଘ ତିନି ଘଣ୍ଟା ଧରି ଚାଲିଥିବା ଏହି ରୋଡ ଶୋ ରେ ହଜାର ହଜାର ଲୋକ ସାମିଲ ହୋଇ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ ।
ଏହି ରୋଡ ଶୋ ଅବସରରେ ଶ୍ରୀ ପଟ୍ଟନାୟକ ରାସ୍ତାର ଦୁଇ ପଟରେ ଥିବା ହଜାର ହଜାର ଶୁଭେଚ୍ଛୁ ମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହ ଖରିଆର ରୋଡର ଡାଗା ଛକ, ବିଜୁ ପଟ୍ଟନାୟକ ଛକ ଓ ଲଖନିଆ ପେଟ୍ରୋଲ୍ ପମ୍ପ ଛକ ମାନଙ୍କରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ସେହିପରି ନୂଆପଡା ଏନ.ଏ.ସି. ଅଞ୍ଚଳର ସୂର୍ଯ୍ୟନଗର ଛକ, ଗାୟତ୍ରୀ ମନ୍ଦିର ଛକ ଓ ଏକତା ଛକରେ ମଧ୍ୟ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ସମ୍ବୋଧନ କରି ଆଗାମୀ ଏଗାର ତାରିଖ ନିର୍ବାଚନରେ ବିଜୁ ଜନତା ଦଳକୁ ଆଶୀର୍ବାଦ କରିବା ସହିତ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବା ପାଇଁ ଅନୁରୋଧ କରିଥିଲେ ।
Imageପରେ ପରକୋଟ ପଡିଆରେ ସମବେତ ବିଶାଳ ସମାବେଶରେ ଉଦ୍‌ବୋଧନ ଦେଇ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜେପି ସରକାର ଉପରେ ତୀବ୍ର ଆକ୍ରମଣ କରିଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମିଛ ପ୍ରଚାରରେ ବିକାଶ ହୁଏ ନାହିଁ । ଖାଲି ରଙ୍ଗ ମାରି ଦେଲେ ବିକାଶ ହୁଏ ନାହିଁ । ମିଛ ପ୍ରତିଶ୍ରୁତିରେ ସରକାର ଚାଲେ ନାହିଁ । ବିଜୁ ଜନତା ଦଳ ସରକାର ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପାନୀୟ ଜଳ, ଜଳସେଚନ, ଆଦିବାସୀ କଲ୍ୟାଣ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଭୁତ ବିକାଶ ଆସିଥିଲା । ନୂଆପଡାରେ ହଜାର ହଜାର ଏକର ଜମିକୁ ଜଳସେଚନ ଯୋଗାଇ ଦିଆଯାଇଥିଲା। ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ପ୍ରଭୁତ ଉନ୍ନତି ଆସିଥିଲା । ତାଙ୍କ ସରକାର ସମୟରେ ହୋଇଥିବା ବିଜୁ ଏକ୍ସପ୍ରେସ ୱେ ଆଜି ନୂଆପଡାର ଆର୍ଥିକ ବିକାଶ ପାଇଁ ସୁଯୋଗ ଆଣି ଦେଇଛି । ଆଜି ସାରା ରାଜ୍ୟରେ ବିକାଶ କାମ ପୁରା ବନ୍ଦ ।
Image୫୦୦ ଦିନ ପୁରଣ କରିଥିବା ବିଜେପି ସରକାର ଲୋକଙ୍କ ପାଇଁ କ’ଣ କରିଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ । ୩୦୦ ୟୁନିଟ୍‌ ମାଗଣା ବିଜୁଳି, ୩୫୦୦ ଟଙ୍କା ପେନ୍‌ସନ୍‌, ଚାଷୀ ଭାଇଙ୍କୁ ୟୁରିଆ ସାର, ଯୁବକଙ୍କୁ ଚାକିରୀ ଆଦି ପ୍ରତିଶ୍ରୁତି ପୂରଣରେ ସରକାର ବିଫଳ ହୋଇଛି ବୋଲି ସେ କଟାକ୍ଷ କରିଥିଲେ । ସେହିପରି ମିଶନ ଶକ୍ତି ମା’ ମାନଙ୍କୁ ଲୋନ୍‌ ନ ମିଳିବା ଓ କଟ୍‌ନୀ ଛଟ୍‌ନୀ ବନ୍ଦ ନ ହୋଇଥିବାରୁ ଶ୍ରୀ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିଥିଲେ । ବି.ଏସ୍‌.କେ.ୱାଇ କାର୍ଡରେ ଲୋକଙ୍କୁ ସେବା ମିଳୁଥିଲା । କିନ୍ତୁ ଏବେ ଆୟୁଷ୍ମାନ କାର୍ଡରେ କେବଳ ଟେନ୍‌ସନ୍‌ ହିଁ ମିଳୁଛି ।
ସେ କହିଲେ ଯେ ଏହି ୫୦୦ ଦିନ ମଧ୍ୟରେ ଲୋକଙ୍କୁ କେବଳ ମିଳିଛି ଧୋକା, ଧୋକା, ଡବଲ ଧୋକା ।
ଗତ ତିନି ତାରିଖ ଦିନ ତାଙ୍କ ସଭାକୁ ଯେପରି ଲୋକ ନ ଆସିପାରିବେ, ସେଥିପାଇଁ ଅନେକ ଚେଷ୍ଟା କରାଯାଇଥିଲା । କିନ୍ତୁ କୋମନାରେ ଭୋଟର ଭାଇ ଭଉଣୀମାନେ ବହୁ ସଂଖ୍ୟାରେ ତାଙ୍କ ସଭାରେ ଯୋଗ ଦେଇଥିବାରୁ ଶ୍ରୀ ପଟ୍ଟନାୟକ ତାଙ୍କ ଭାଷଣରେ ଧନ୍ୟବାଦ ଜଣାଇଥିଲେ ।
Imageଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏମାନେ ମିଛ କହି ସରକାର କରିପାରନ୍ତି । ପ୍ରାର୍ଥୀ ବି ଚୋରୀ କରି ପାରନ୍ତି । କିନ୍ତୁ ସେମାନେ ଲୋକଙ୍କ ହୃଦୟ ଜିତି ପାରିବେ ନାହିଁ । କୋମନା ସଭାରେ ଲୋକଙ୍କ ମନରେ ଯେଉଁ କ୍ରୋଧ ଓ ଦୁଃଖ ସେ ଦେଖିଥିଲେ ଆଜି ମଧ୍ୟ ନୂଆପଡାରେ ଲୋକଙ୍କ ଆଖିରେ ସେହି କ୍ରୋଧ ଓ ଦୁଃଖ ରହିଛି । ଲୋକଙ୍କ ସହିତ, ବିଜେଡି ସହିତ ଓ ତାଙ୍କ ସହିତ କିପରି ବେଇମାନି କରାଗଲା ନୂଆପଡାବାସୀ ତାହା ଭଲ ଭାବେ ଜାଣନ୍ତି । ଏହାର ଜବାବରେ ନୂଆପଡାର ଭୋଟରମାନେ ୧୧ ତାରିଖ ଦିନ ଭୋଟରେ ଦେବେ ବୋଲି ସେ କହିଥିଲେ । ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରିବା ପାଇଁ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରିଥିଲେ ।
ନୂଆପଡାରେ ରହି ନୂଆପଡାବାସୀଙ୍କ ସେବା କରିବା ପାଇଁ ଶ୍ରୀ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନିର୍ଦ୍ଦେଶ ଦେଇଥିବା ବିଷୟ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ ।
ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହିତ ଦଳର ସ୍ଥାନୀୟ ନେତାମାନେ ଉପସ୍ଥିତ ଥିଲେ ।

0
0
0
s2sdefault