ବିଜେପୁର: — ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମପଂଚାୟତ ରେ ହୋଇଥିବା ବିଭିନ୍ନ ଉନ୍ନୟନ କାମରେ ଅନିୟମିତତା ଅଭିଯୋଗ ଚାରି ବର୍ଷ ରୁ ଉର୍ଦ୍ଧ ହେଲାଣି ମଧ୍ୟ ନ୍ୟାୟ ମିଳିନାହିଁ। ଦୀର୍ଘ ସମୟ ହେଲାଣି ତାଳପଦର ଗ୍ରାମବାସୀ ଏବେ ବି ନ୍ୟାୟ ଅପେକ୍ଷାରେ ଅଛନ୍ତି।
ସୂଚନା ଅନୁଯାୟୀ, ଗ୍ରାମର ସଚେତନ ଯୁବକ ମାନଙ୍କ ଅଭିଯୋଗ ଉପରେ ୨୦୨୦ ମସିହା ରେ ଭିଜିଲାନ୍ସ ଟିମ ଗାଁ ଆସି ତଦନ୍ତ କରିଥିଲେ। ତେବେ ଏ ପର୍ଯ୍ୟନ୍ତ ଦୋଷୀ କୁ ଧରିପାରିଛନ୍ତି, ନାହିଁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ହୋଇଛି।
୨୦୨୦ ମସିହାରେ ଗ୍ରାମ ର ରଙ୍କମଣି ପଧାନ ନାମକ ସଚେତନ ନାଗରିକ ୨୦୧୨ ରୁ ୨୦୨୧ ମଧ୍ୟରେ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଅନିୟମିତତା ସନ୍ଦେହ କରି ସୂଚନା ଅଧିକାର ଆଇନ ଅନୁସାରେ ତଥ୍ୟ ମାଗିଥିଲେ। ୦୫.୧୧.୨୦୨୧ ତାରିଖ ରେ ବିଜେପୁର ପଂଚାୟତ ସମିତି ରୁ ସେହି ତଥ୍ୟ ପ୍ରଦାନ କରିଥିଲା। ତଥ୍ୟ ତର୍ଜମା କଲାପରେ ନଳକୂପ, ଡ୍ରେନ, ଶ୍ମଶାନ ଘାଟ, ଖେଳପଡିଆ ଉନ୍ନତିକରଣ ଓ କଲଭର୍ଟ ର ଅନେକ କାମରେ ଅନିୟମିତତା ଥିବା ସ୍ପଷ୍ଟ ହୋଇଥିଲା।
ଏହି ଅଭିଯୋଗ ଉପରେ ସୁଶାନ୍ତ ସାହୁ, ଲୋଚନ ପଧାନ, କ୍ଷୀରୋଦ୍ର ପଧାନ, ରଙ୍କମଣି ପଧାନ, ସଂଜୀବ ପଧାନ ଓ ଚନ୍ଦ୍ରଭାନୁ ରଣା, ସୁରେଶ ପଧାନ, ମୁକେଶ ସାହୁ, ଗଣେଶ ପଧାନ,ସମେତ ଅନେକ ଯୁବକ ବିଜେପୁର ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ଲାଭ କଲାପରେ ଜିଲ୍ଲା ଭିଜିଲାନ୍ସ ଟିମ ଆସି ପ୍ରକଳ୍ପ ର ତଦନ୍ତ କରିଥିଲା। କିନ୍ତୁ ଅଭିଯୋଗ ଥିବା ସବୁ ପ୍ରକଳ୍ପ ତାଲିକାରେ ନଥିଲା, ଯାହା ନେଇ ଅଭିଯୋଗକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ କୋଡିଏ ଲକ୍ଷ ଟଙ୍କା ର ଅନିୟମିତତା ହୋଇଥିବା ଅଭିଯୋଗ ଥିଲା। ସେତେବେଳେ ଏହି ମାମଲା ରାଜ୍ୟର ଗଣମାଧ୍ୟମ ଓ ସୋସିଆଲ ମିଡିଆ ରେ ମଧ୍ୟ ବ୍ୟାପକ ଭାବେ ପ୍ରସାରିତ ହୋଇଥିଲା। ତଥାପି ତିନି ବର୍ଷ ଅତିତ ହେଲା ମଧ୍ୟ ନ୍ୟାୟ ମିଳିନାହିଁ।
ଦୁର୍ନୀତି ବିରୋଧରେ ଲଢୁଥିବା ଯୁବକ ମାନେ ଏବେ ବି ଏକ ଅଫିସ ରୁ ଅନ୍ୟ ଅଫିସ ଯାଇ ନ୍ୟାୟ ଅନୁସନ୍ଧାନ କରୁଛନ୍ତି, କିନ୍ତୁ ଦୁର୍ନୀତି କରିଥିବା ଲୋକମାନେ ସାଧାରଣ ଭାବେ ବିଚରଣ କରୁଛନ୍ତି। ଗ୍ରାମବାସୀ ମାନଙ୍କ ଦାବି, ଭିଜିଲାନ୍ସ ଏହି ମାମଲା ଉପରେ ପୁନଃ ଦୃଷ୍ଟି ଦେଇ ଦୋଷୀ ମାନଙ୍କ ବିରୁଦ୍ଧରେ ଶୀଘ୍ର ଓ କଡା ପଦକ୍ଷେପ ଗ୍ରହଣ କରି ନ୍ୟାୟ ଦିଅନ୍ତୁ।
ଏହି ମାମଲା ରେ ଅଭିଯୋଗକାରୀ ରଙ୍କମଣି ପଧାନ ଙ୍କ ମୃତ୍ୟୁ ହୋଇସାରିଛି, କିନ୍ତୁ ତାଙ୍କ ସ୍ଵପ୍ନ — ଗ୍ରାମରେ ନ୍ୟାୟ ଓ ସତ୍ୟ ର ସ୍ଥାପନା — ଏବେ ବି ତାଳପଦର ଗ୍ରାମବାସୀ ମାନେ ଜୀବନ୍ତ ରଖିଛନ୍ତି।
ରାଜ୍ୟ
ତାଳପଦର ଉନ୍ନୟନ କାମରେ ଦୁର୍ନୀତି ଅଭିଯୋଗ — ଚାରି ବର୍ଷ ହେଲାଣି ମିଳିଲା ନାହିଁ ନ୍ୟାୟ
- Hits: 207
 






 




 