
ଓଡ଼ଗାଁ,୨।୧୧(ଶ୍ରୀକାନ୍ତ କୁମାର ମିଶ୍ର): କାର୍ତ୍ତିକ ମାସ ଶୁକ୍ଳ ହରି ଉତ୍ଥାପନ ଏକାଦଶୀ ସଂଲଗ୍ନ ଗରୁଡ଼ ଦ୍ୱାଦଶୀରେ ପଞ୍ଚୁକର ପ୍ରଥମ ସନ୍ଧ୍ୟାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ଗଜ ଉଦ୍ଧାରଣ ବେଶ ଦର୍ଶନ କଲେ ଶହଶ୍ରାଧିକ ଶ୍ରଦ୍ଧାଳୁ । ଅଁଳା ନବମୀ ପରେ ସୋମବାର ରାଇଦାମୋଦର ରାଜାରାଜେଶ୍ବର ବେଶ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ପବିତ୍ର ପଞ୍ଚୁକ ବ୍ରତ ୪ ଦିନ ପଡୁଥିବା ବେଳେ ରବିବାର ପ୍ରଥମ ଦିନରେ ଗଜ ଉଦ୍ଧାରଣ, ମତ୍ସ୍ୟ ଓ କଚ୍ଛପ, କୃଷ୍ଣ ବଳରାମ ଏବଂ ବୁଧବାର ଅନ୍ତିମ ଦିବସରେ କାଞ୍ଚି ଅଭିଯାନ ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସର ଆରମ୍ଭରୁ ଗାଁରୁ ସହର ପର୍ଯ୍ୟନ୍ତ ମଠ ମନ୍ଦିରରେ ପ୍ରଭୁଙ୍କ ନାମ ସଂକୀର୍ତ୍ତନ ଚାଲିଛି । ପୁରାଣକ କଥା ବସ୍ତୁ ଆଧାରରେ ଭଗବାନ ବିଷ୍ଣୁ ୪ ମାସ ଧରି କ୍ଷୀର ସାଗରରେ ନିଦ୍ରା ଯାଇଥାନ୍ତି । ଆଜି କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ପବିତ୍ର ପଞ୍ଚୁକର ପ୍ରଥମ ଦିନରେ ନିଦ୍ରାଭଙ୍ଗ ହେଉଥିବାରୁ ଏହା ହରି ଉତ୍ଥାପନ ଏକାଦଶୀ ଭାବେ ବିବେଚିତ ହୋଇଥାଏ । ପଞ୍ଚୁକ ପର୍ବ ଉପଲକ୍ଷେ ମନ୍ଦିରର ୩ ଚୁଡ଼ାରେ ଝଟକୁ ଥିବା ସୁସଜିତ ଆଲୋକ ମାଳା ଦର୍ଶନାର୍ଥିଙ୍କୁ ଆକର୍ଷିତ କରିଥିଲା । ଏତଦବ୍ୟତୀତ କାର୍ତ୍ତିକେଶ୍ବର ପୂଜା କମିଟି ତରଫରୁ ରଘୁନାଥ ଜିଉଙ୍କ ଝୁଲଣ ମଣ୍ଡପରେ କାର୍ତ୍ତିକେୟ ପୂଜା ଏବଂ ବଜାର ସାହି କଦମ୍ବ ଗଛ ତ୍ରିନାଥ ଜୀଉଙ୍କ ବାର୍ଷିକୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରିବେଶକୁ ଆଧ୍ୟାତ୍ମିକ ମୟ କରିଥିଲା । ସେହିପରି ଓଡିଶାର ଅନନ୍ୟ ଶୈବପୀଠ ଭାବେ ପରିଚିତ ଶରଣକୁଳ ଲଡୁବାବା, ଜାମୁପାଟଣା ବିଜେ ଦୂତୀକେଶ୍ବର ଏବଂ ବାହାଡ଼ାଝୋଲା ଠାରେ ଫୁଲେଶ୍ବର ମହାଦେବଙ୍କ ପୀଠରେ ପଞ୍ଚୁକ ପ୍ରଥମ ଦିନରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।











