ହେଡଲାଇନସ୍:

ଦେଓଗାଁ-ଭାଲିଆଡିହି ବିବାଦୀୟ ରାସ୍ତାରେ ମାଟି ପକାଇବାକୁ ନେଇ ବିବାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଅତିରିକ୍ତ ତହସିଲଦାର ଓ ପୋଲିସ ପ୍ରଶାସନର ପରିସ୍ଥିତି ଅନୁଧ୍ୟାନ,

  • ତହସିଲଦାରଙ୍କୁ ଭେଟିବା ପାଇଁ ଭାଲିଆଡିହି ଗ୍ରାମ ପ୍ରତିନିଧିଙ୍କୁ ପରାମର୍ଶ,

  • ଦେଓଗାଁ ଗ୍ରାମବାସୀ ସୋମବାର ଜିଲ୍ଲାପାଳଙ୍କୁ ଭେଟିବା ନେଇ ସୂଚନା,

ଓଡ଼ଗାଁ,୨।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପାଣ୍ଡେରିପଡା ପଞ୍ଚାୟତ ଦେଓଗାଁ - ଭାଲିଆଡିହି ଗ୍ରାମ ବିବାଦୀୟ ରାସ୍ତାର ସମାଧାନ ପାଇଁ କୋର୍ଟଙ୍କ ନିଷ୍ପତ୍ତି କ୍ରମେ ପ୍ରଶାସନିକ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ରହିଥିଲା । ତେବେ କାର୍ଯ୍ୟରେ ବିଳମ୍ବ ଘଟୁଥିବା ବେଳେ ବିବାଦୀୟ ସ୍ଥାନରେ ଶନିବାର ବିଳମ୍ବିତ ରାତିରେ ମାଟି ପକାଇ ସମାନ କରିବା ଘଟଣାକୁ ନେଇ ଅଭିଯୋଗ ପାଇବା ପରେ ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ଗାଁ ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ପବିତ୍ର ମୋହନ ସେଠୀ ଆଦର୍ଶ ଥାନା ଏସ୍ଆଇ ଚକ୍ରଧର ସିଂଙ୍କ ସହ ଅନ୍ୟ ପୋଲିସ୍ କର୍ମଚାରୀ ମାନେ ରବିବାର ଦିନ ୧୦ ସମୟରେ ଦେଓଗାଁ-ଭାଲିଆଡିହି ରାସ୍ତାର ବିବାଦୀୟ ସ୍ଥାନରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ । ଏବଂ ଭାଲିଆଡିହି ଗ୍ରାମବାସୀଙ୍କ ତରଫରୁ ପ୍ରତିନିଧି ମାନେ ସୋମବାର ତହସିଲଦାରଙ୍କୁ ଭେଟିବାକୁ ପରାମର୍ଶ ଦେଇଥିଲେ । ସୂଚନା ଥାଉକି ରଙ୍ଗଣୀପାଟଣା ଠାରୁ ସୁନାମୁହିଁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ଦେଓଗାଁ - ଭାଲିଆଡିହି ଉଚ୍ଚ ବିଦ୍ୟାଳୟ ପୂର୍ବରୁ ଏକ ସ୍ମଶାନ କିସମ ଥିବା ପଡ଼ିଆ ଦେଇ ଯାଇଥିବା ରାସ୍ତାକୁ ଦେଓଗାଁ ଗ୍ରାମବାସୀଙ୍କ ଦ୍ବାରା ବିରୋଧ କରିବା ପରେ ଘଟଣା କୋର୍ଟରେ ପହଞ୍ଚିଥିଲା । ଏଣୁ ନିର୍ମାଣ ହେଉଥିବା ପିଚୁ ରାସ୍ତା କାର୍ଯ୍ୟ ବିବାଦୀୟ ସ୍ଥାନରୁ ସ୍ଥଗିତ ରହିଥିଲା । ପରବର୍ତ୍ତୀ ସମୟରେ କୋର୍ଟଙ୍କ ରାୟ ଅନୁସାରେ ରାସ୍ତା ନିର୍ମାଣ ପାଇଁ ଦେଓଗାଁ ଗ୍ରାମବାସୀ ଚାହୁଁଥିବା ବେଳେ ଭାଲିଆଡିହି ଗ୍ରାମବାସୀ ପୂର୍ବର ଗତାନୁଗତିକ ରାସ୍ତା ଉପରେ ସ୍ଥାୟୀ ସଡ଼କ ନିର୍ମାଣ କରାଯାଉ ବୋଲି ଅଡିବସିଥିଲେ । ଅନେକ ଦିନ ପୂର୍ବରୁ କୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରାଇବା ପାଇଁ ପ୍ରଶାସନ ଉଦ୍ୟମ କରିଆସୁଥିବା ବେଳେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇପାରିନାହିଁ । ଏପରି ପରିସ୍ଥିତିରେ ଗତ ଲଘୁଚାପ ବର୍ଷାରେ ବିବାଦୀୟ ରାସ୍ତାଟି ଅଧିକ ନଷ୍ଟ ହୋଇଯାଇଥିବା ବେଳେ ଠାକୁରାଣୀଙ୍କ ଯଜ୍ଞ ଅନୁଷ୍ଠାନ ନିମନ୍ତେ ଭାଲିଆଡିହି ଗ୍ରାମବାସୀ ଶନିବାର ରାତିରେ ସେଠାରେ ମାଟି ପକାଇ ସମତୁଲ କରିବା ଆରମ୍ଭ କରିଥିଲେ । ଏନେଇ ଅଭିଯୋଗ ପାଇବା ପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଅତିରିକ୍ତ ତହସିଲଦାର ସ୍ଥାନୀୟ ପୋଲିସ୍ ଅଫିସର ବିବାଦୀୟ ସ୍ଥାନରେ ପହଞ୍ଚି ଥିଲେ । ବିବାଦୀୟ ସ୍ଥାନରେ କେହି ନଥିବାରୁ ପ୍ରାଶାସନିକ ଅଧିକାରୀମାନେ ଭାଲିଆଡିହି ଗାଁକୁ ଯାଇଥିଲେ । ସେଠାରେ ଗ୍ରାମର ସଭାପତି, ସମ୍ପାଦକ ଏବଂ ଅନ୍ୟ ବରିଷ୍ଠ ଗ୍ରାମବାସୀ ମଧ୍ୟ ଗାଁରେ ଅନୁପସ୍ଥିତ ଥିବା ଜାଣିବାକୁ ପାଇଥିଲେ । ଫଳରେ ଗାଁ ତରଫରୁ ଗାଁର ସଭାପତି, ସମ୍ପାଦକ ଏବଂ ବରିଷ୍ଠମାନେ ସୋମବାର ଓଡ଼ଗାଁ ତହସିଲଦାରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିବାକୁ ସେଠାରେ ଉପସ୍ଥିତ ଲୋକମାନଙ୍କୁ ସୂଚନା ଦେବାକୁ କହିଥିଲେ । ଅନ୍ୟ ପକ୍ଷରେ ଦେଓଗାଁ ଗ୍ରାମବାସୀଙ୍କ ତରଫରୁ ବରିଷ୍ଠମାନେ ସୋମବାର ନୟାଗଡ଼ରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିରେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବେ । କାରଣ କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଶୀଘ୍ର ରାସ୍ତା ନିର୍ମାଣ ପାଇଁ ଦାବି ଜଣାଇ ଦେଓଗାଁ ଗ୍ରାମବାସୀ ପୂର୍ବରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଦାବି ପୂରଣର ପ୍ରତିଶୃତି ପାଇବା ପରେ ଗ୍ରାମବାସୀ ମାନେ ବିଳମ୍ବିତ ରାତିରେ ଧାରଣା ପ୍ରତ୍ୟାହୃତ କରିଥିଲେ । ସମୟ ଅବଧି ସରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ରାସ୍ତା ନିର୍ମାଣ ହୋଇପାରିନାହିଁ । ଦୀର୍ଘ ଦିନର ବିବାଦ ସମାଧାନରେ ବିଳମ୍ବ ହେଲେ ଭବିଷ୍ୟତରେ ଘଟଣାକୁ ନେଇ ଉତେଜନା ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଏଣୁ ଆଇନକୁ ଗୁରୁତ୍ବ ଦେଇ ଉଭୟ ଗ୍ରାମର ବରିଷ୍ଠ ମାନଙ୍କ ସହିତ ଆଲୋଚନା କରି ଜିଲ୍ଲା ପ୍ରଶାସନ ତ୍ୱରିତ ପଦକ୍ଷେପ ସ୍ବରୂପ ସମସ୍ୟାର ସମାଧାନ କରିବା ନେଇ ଉଭୟ ଗ୍ରାମର ଶୁଭେଚ୍ଛୁ ମାନେ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି ।

0
0
0
s2sdefault