- ଅତ୍ୟନ୍ତ ଆବଶ୍ୟକ ଭିତ୍ତିଭୂମିରେ ୧୦୦% ବିଜୁଳି ଯୋଗାଣ ସ୍ୱାଭାବିକ
- ବାତ୍ୟା ପରେ ୯୮% ପୁନରୁଦ୍ଧାର କାର୍ଯ୍ୟ ଶେଷ
- ୧୮ ଘଣ୍ଟାରେ ରେକର୍ଡ଼ ଅଞ୍ଚଳରେ ପୁନରୁଦ୍ଧାର
ବ୍ରହ୍ମପୁର, ଅକ୍ଟୋବର ୨୯, ୨୦୨୫: ବାତ୍ୟା ମୋନ୍ଥା ପ୍ରଭାବରେ ସମଗ୍ର ଦକ୍ଷିଣ ଓଡ଼ିଶାରେ ପବନ ଏବଂ ବର୍ଷା ଦେଖିବାକୁ ମିଳିଥିଲା। ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଅଧୀନରେ ଅନେକ ଅଞ୍ଚଳରେ ଏଥିପାଇଁ ସାମୟିକ ଭାବରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା । ଏଭଳି ଏକ ଆହ୍ବାନମୂଳକ ସ୍ଥିତିରେ ଟିପିଏସ୍ଓଡିଏଲର ଅସାଧାରଣ ପ୍ରସ୍ତୁତି ଏବଂ ଦୃତ ପଦକ୍ଷେପ ଯୋଗୁଁ ସଫଳତାର ସହ ଏହି ସ୍ଥିତିର ମୁକାବିଲା ହୋଇପାରିଛି। ପ୍ରଭାବିତ ହୋଇଥିବା ମୋଟ ୯ଲକ୍ଷ ୮୮ହଜାର ୨୫୩ଜଣ ଉପଭୋକ୍ତାଙ୍କ ମଧ୍ୟରୁ ୯ଲକ୍ଷ ୫୦ହଜାରରୁ ଅଧିକ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଣ ସ୍ୱାଭାବିକ ହୋଇ ପାରିଛି। ବାତ୍ୟା ମୋନ୍ଥାର ପ୍ରକୋପ ସତ୍ତ୍ୱେ ମାତ୍ର ୧୮ଘଣ୍ଟାରେ ୯୮ପ୍ରତିଶତ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି।
ବିଦ୍ୟୁତ ଭିତ୍ତିଭୂମି କ୍ଷେତ୍ରରେ ୩୩ କେଭି ଓ ୧୧ କେଭି ଫିଡର୍, ସବଷ୍ଟେସନ୍ ଏବଂ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର୍ଗୁଡ଼ିକ ବାତ୍ୟା ମୋନ୍ଥା ପ୍ରଭାବରେ ପ୍ରଭାବିତ ହୋଇଥିଲା। ମାତ୍ର ଟିପିଏସ୍ଓଡିଏଲର ନିରବଚ୍ଛିନ୍ନ ପ୍ରୟାସ ଏବଂ ଦୃଢ଼ କାର୍ଯ୍ୟପ୍ରଣାଳୀ ଏବଂ ଦୃତ ପ୍ରକ୍ରିୟା ଯୋଗୁଁ ପ୍ରଭାବିତ ହୋଇଥିବା ସମସ୍ତ ୩୩କେଭି ଫିଡରଗୁଡ଼ିକର ଶତପ୍ରତିଶତ ମରାମତି ଶେଷ ହୋଇ ପାରିଛି। ଏଥିସହିତ ପ୍ରାଇମେରୀ ସବଷ୍ଟେସନଗୁଡ଼ିକର ମଧ୍ୟ ପୁନରୁଦ୍ଧାର ୧୦୦ପ୍ରତିଶତ ଶେଷ ହୋଇଛି। ସେହିଭଳି ପ୍ରାୟ ୯୯ ପ୍ରତିଶତ ୧୧କେଭି ଫିଡରର ପୁନରୁଦ୍ଧାର ଓ ଆବଶ୍ୟକୀୟ ମରାମତି କାର୍ଯ୍ୟ ଶେଷ ହୋଇ ପାରିଛି। ବାତ୍ୟା ପ୍ରଭାବରେ ପ୍ରଭାବିତ ହୋଇଥିବା ମୋଟ ୩୩ହଜାର ୫୩୫ଟି ଡିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର୍ମର ମଧ୍ୟରୁ ୩୨ହଜାର ୩୪୪ଟି ଡିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର୍ମରର ମରାମତି କାର୍ଯ୍ୟ ଶେଷ ହୋଇଛି ଏବଂ ବିଦ୍ୟୁତ ଯୋଗାଣ ପୁନଃ ସ୍ଥାପିତ ହୋଇଛି। ଯାହାଦ୍ୱାରା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମାତ୍ର ୧୮ଘଣ୍ଟା ମଧ୍ୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇ ପାରିଛି।
ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକୀୟ ସେବାଗୁଡ଼ିକର ପୁନରୁଦ୍ଧାର କରିବା ଏବଂ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ପାଇଁ ଟିପିଏସ୍ଓଡିଏଲ୍ ସମସ୍ତ ପଦକ୍ଷେପ ନେଇଛି ଏବଂ ଅଗ୍ରାଧିକାର ଦେଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଦ୍ୟୁତ ସେବା ସ୍ୱାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଟିପିଏସ୍ଓଡିଏଲ୍ ସମସ୍ତ କାର୍ଯ୍ୟ ଶେଷ କରିଛି। ଯାହା ଦ୍ୱାରା ବହୁ ମେଡ଼ିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବିଦ୍ୟୁତ ସେବା ଶତ ପ୍ରତିଶତ ସ୍ୱାଭାବିକ ହୋଇ ପାରିଛି। ସେହିପରି ଜନସ୍ବାସ୍ଥ୍ୟ ବିଭାଗ (ପିଏଚଡି) ଏବଂ ଗ୍ରାମୀଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ବିଦ୍ୟୁତ ସେବା ଯୋଗାଇ ସ୍ଥିତି ସ୍ୱାଭାବିକ କରାଯାଇଛି। ଏହି କ୍ଷେତ୍ରରେ ୧୦୦ପ୍ରତିଶତ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଯାହା ଝଡ଼ ପରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଅଧିକ ସହାୟକ ହୋଇ ପାରିଛି।
ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ନବରଙ୍ଗପୁର ଏବଂ ବୌଦ୍ଧ ଜିଲ୍ଲାଗୁଡ଼ିକରେ ୫,୯୨୫ ଜଣ ଦକ୍ଷ କର୍ମଚାରୀମାନେ ସ୍ଥିତି ସ୍ୱାଭାବିକ କରିବା ପାଇଁ ନିୟୋଜିତ ଅଛନ୍ତି। ଆବଶ୍ୟକୀୟ ସରଞ୍ଜାମ ହିସାବରେ ମୋବାଇଲ ପାୱାର ଜେନେରେଟର ଏବଂ ରାପିଡ ରେସପନ୍ସ ୟୁନିଟ ଫଳରେ ବାତ୍ୟା ପ୍ରଭାବିତ ସମଗ୍ର ଅଞ୍ଚଳରେ ବିଦ୍ୟୁତ ସେବା ପୁନରୁଦ୍ଧାର କରିବା ପାଇଁ ଟିପିଏସ୍ଓଡିଏଲର କର୍ମଚାରୀମାନେ କାର୍ଯ୍ୟରତ ଅଛନ୍ତି। ଏଥିସହିତ ସମସ୍ତ ଭିତ୍ତିଭୂମିର ନିରୀକ୍ଷଣ ପାଇଁ କମ୍ପାନୀ ତରଫରୁ କେନ୍ଦ୍ରୀୟ ଏବଂ ଜିଲ୍ଲା ସ୍ତରରେ ପରିଚାଳନା ବ୍ୟବସ୍ଥା କରାଯାଇଛି।
ଏ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଆମ ଟିମ୍ ବିଭିନ୍ନ ସ୍ଥାନରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ କାର୍ଯ୍ୟରତ ଅଛନ୍ତି। ୯୮ ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବା ସହିତ, ଅତ୍ୟାବଶ୍ୟକୀୟ ସେବା କ୍ଷେତ୍ରଗୁଡ଼ିକୁ ମାତ୍ର ୧୮ ଘଣ୍ଟା ମଧ୍ୟରେ ବିଦ୍ୟୁତ ସେବା ଶତ ପ୍ରତିଶତ ଯୋଗାଇ ଦିଆଯାଇଛି। ଦୃଢ଼ ପ୍ରସ୍ତୁତି, ସମସ୍ତ ବୈଷୟିକ କୌଶଳକୁ ଉପଯୋଗ କରି ସମ୍ପୂର୍ଣ୍ଣ ସ୍ଥିତିର ସ୍ଥିରତା ଏବଂ ସ୍ଥିତି ସ୍ୱାଭାବିକ କରିବା ଯାଏଁ ଆମେ ସତର୍କ ଅଛୁ” ।
ଭାରତୀୟ ପାଣିପାଗ ବିଭାଗ ତରଫରୁ କିଛି ଅଞ୍ଚଳରେ ବର୍ଷା ଓ ପବନ ପାଇଁ ସତର୍କତା ଜାରି କରାଯାଇଛି। ଏଥିପାଇଁ ଟିପିଏସ୍ଓଡିଏଲ୍ ଜିଲ୍ଲା ପ୍ରଶାସନସହିତ ସମନ୍ୱୟ ରଖି ସମସ୍ତ ପ୍ରସ୍ତୁତି ଶେଷ କରିଛି। କମ୍ପାନୀ ତରଫରୁ ଉପଭୋକ୍ତାଙ୍କୁ ଅନୁରୋଧ କରାଯାଇଛି ଛିଣ୍ଡା ବିଜୁଳି ତାର, ଭଙ୍ଗା ଖୁଣ୍ଟ ଠାରୁ ସୁରକ୍ଷିତ ଦୂରତା ଅବଲମ୍ବନ କରିବା ପାଇଁ। ଏଥିସହିତ ଯେକୌଣସି ବିଦ୍ୟୁତ ସମ୍ବନ୍ଧୀୟ ସମସ୍ୟା ଉପୁଜିଲେ ତୁରନ୍ତ ଦେୟମୁକ୍ତ ନମ୍ବର ୧୮୦୦୨୦୨୬ କିମ୍ବା ୧୯୧୨ରେ ସମ୍ପର୍କ କରି ଜଣାଇବାକୁ କୁହାଯାଇଛି।
ଟିପିଏସ୍ଓଡିଏଲ୍ ଭରସାଯୋଗ୍ୟ, ସୁରକ୍ଷିତ ଏବଂ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ତାର ପ୍ରତିବଦ୍ଧତାକୁ ଦୋହରାଉଛି। ଏଥିସହିତ ପୁନରୁଦ୍ଧାର ସମୟରେ ଉପଭୋକ୍ତା ଏବଂ ଜନସାଧାରଣଙ୍କ ଧୈର୍ଯ୍ୟ ଏବଂ ସହଯୋଗ ପାଇଁ ସାଧୁବାଦ ଜଣାଉଛି।











