ଭୁବନେଶ୍ୱର, ୨୮/୧୦ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ \"ମୋନ୍ଥା\' ଉତର - ଉତରପୂର୍ବ ଗୋପାଳପୁର ଠାରୁ ୫୩୦ କି.ମି ଦୂରରେ ରହିଥିବା ବେଳେ ଏହା ଆନ୍ଧ୍ର ପ୍ରଦେଶ ମୁହାଁ ହୋଇଛି ଏବଂ ମଙ୍ଗଳବାର ରାତି ୧୧ ଟାରୁ ୧.୦୦ଟା ମଧ୍ୟରେ ଦକ୍ଷିଣ ବିଶାଖାପାଟଣା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ବାତ୍ୟା ସ୍ଥଳ ଭାଗ ଛୁଇଁବା ସମୟରେ ପବନର ବେଗ ଘଂଟା ପ୍ରତି ୭୫ ରୁ ୮୫ କି.ମି ହେବ ବୋଲି ସି.ଇ.ସି ପକ୍ଷରୁ କୁହାଯାଇଛି । ଘଂଟା ପ୍ରତି ୧୨ କି.ମି. ବେଗରେ ଗତି କରୁଥିବା ଏହି ବାତ୍ୟା ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ଦେଇ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ଘଂଟା ପ୍ରତି ୪୦ ରୁ ୫୦ କି.ମି. ରହିବ ।
ଏହାର ପ୍ରଭାବରେ ମଙ୍ଗଳବାର ରାତି ଏବଂ ବୁଧବାର ସକାଳେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଏବଂ କନ୍ଧମାଳ ପ୍ରଭୃତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।
ସେହିପରି ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ ଏବଂ ଦେବଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଉପକୂଳବର୍ତୀ ଜିଲ୍ଲାଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସିଇସି ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
- Hits: 7











