ଭୁବନେଶ୍ୱର - ରାଜ୍ୟ ସରକାର ମହିଳା ମାନଙ୍କୁ ନେଇ ଭୋଟ ରାଜନୀତି କରୁଛନ୍ତି । ମହିଳା ମାନଙ୍କୁ କିପରି ଆର୍ଥୀକ ସ୍ୱାବଲମ୍ବି କରାଯିବ ତାହା ନକରି କେବଳ ନିର୍ବାଚନ ଜିତିବା ଲକ୍ଷ୍ୟରେ ବିଭିନ୍ନ ଭାବରେ ମହିଳା ମାନଙ୍କୁ ଭ୍ରମିତ କରିବା ରାଜ୍ୟ ସରକାର ବନ୍ଦ କରନ୍ତୁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପିର ନେତ୍ରୀ ଅପରାଜିତା ଷଡଙ୍ଗୀ ।
ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଓଡିଶାର ୪ କୋଟି ୧୯ ଲକ୍ଷ ଜନସଂଖ୍ୟାରୁ ୫୦% ହେଉଛନ୍ତି ମହିଳା । ହେଲେ ଓଡିଶାରେ ମହିଳାମାନଙ୍କର ଆର୍ଥୀକ ସ୍ଥିତିରେ ଉନ୍ନତି ପାଇଁ ସରକାର ଯେଉଁଭଳି ଭାବରେ ଧ୍ୟାନ ଦେବା କଥା ସେପରି ଦେଇପାରିନାହାନ୍ତି । ମହିଳାମାନଙ୍କୁ କେବଳ ନିର୍ବାଚନ ଜିତିବା ପାଇଁ ବ୍ୟବହାର କରିଛନ୍ତି । ଦେଶରେ ମହିଳା ବିରୋଧୀ ହିଂସାରେ ଓଡିଶା ଦେଶର ସବୁଠାରୁ ଉଦବେଗଜନକ ସ୍ଥିତିରେ ଅଛି । ରାଜ୍ୟ ସରକାର ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମହିଳାମାନଙ୍କୁ ପଇସା ବାଂଟିବାକୁ ଯାଉଛନ୍ତି । କେବଳ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏପରି କରିବାକୁ ଯାଉଛନ୍ତି । ମହିଳାଙ୍କୁ ଆର୍ଥୀକ ସ୍ୱାବଲମ୍ବନ କରାଯିବା ଦରକାର । ମହିଳାମାନଙ୍କୁ କିପରି ରୋଜଗାର ମିଳିପାରିବ ତାହା ସରକାର କରିବା ଦରକାର । ମହିଳା ଶିଶୁ ବିକାଶ ବିଭାଗର ବଜେଟକୁ ଦେଖିଲେ ଲାଗୁଛି ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ବିକାଶ ପାଇଁ ଆଦୌ ଯତ୍ନବାନ ନୁହନ୍ତି ।
୨୦୧୭-୧୮ରେ ଆର୍ଥୀକ ବଜେଟରେ ମହିଳା ଶିଶୁ ବିକାଶ ବିଭାଗ ପାଇଁ ୨୧୦୮ କୋଟି ଟଙ୍କା ବ୍ୟୟ ବରାଦ ଥିବା ବେଳେ ୨୦୧୮-୧୯ରେ ଏହା ୧୩୪୦ କୋଟି ଟଙ୍କା ବଢି ୩୪୪୮ କୋଟିରେ ପହଂଚିଛି । ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତି କରଣ ଯୋଜନାରେ ୨୦୧୬-୧୭, ୨୦୧୭-୧୮ ବର୍ଷରେ କୌଣସି ଅର୍ଥ ରାଶି ବ୍ୟୟବରାଦ ନଥିଲାବେଳେ ୨୦୧୮-୧୯ରେ ଏଥିରେ ୫୫୦ କୋଟି ଟଙ୍କା ରଖାଯାଇଛି । ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥୀକ ସହାୟତା ଯୋଜନାରେ ୨୦୧୬-୧୭ ଓ ୨୦୧୭-୧୮ରେ କୌଣସି ଅର୍ଥ ରାଶି ବ୍ୟୟବରାଦ ନଥିଲା ବେଳେ ୨୦୧୮-୧୯ ରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିରୁ ସ୍ପଷ୍ଟ ହେଉଛି କି କେବଳ ନିର୍ବାଚନକୁ ଆଖି ଆଗରେ ନିର୍ବାଚନ ବର୍ଷରେ ଏହି ଦୁଇଟି ଅଧୀନରେ ୧୦୫୦ କୋଟି ଟଙ୍କା ବ୍ୟୟ କରାଯାଉଛି । ଓଡିଶାରେ ଏବେ ସୁଦ୍ଧା ମିଳିଥିବା ଆର୍ଥିକ ସହାୟତା ମଧ୍ୟ ଦେଶର ଅନ୍ୟ ରାଜ୍ୟ ଠାରୁ କମ । ଏବେ ସୁଦ୍ଧା ଆରମ୍ଭ ରୁ ଏବେ ଯାଏଁ ମାତ୍ର ୬୨୭ କୋଟି ଟଙ୍କାର ଦିଆଯାଇଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ । ଓଡିଶାରେ ୬ ଲକ୍ଷ ଏସଚଜି ଗ୍ରୁପ ଥିଲାବେଳେ ଏବେ ଯାଏ ମାତ୍ର ୭୨ ହଜାରର ଏସଜିଙ୍କୁ ଋଣ ମିଳିଛି ।
ମହିଳା ସଶକ୍ତିକରଣ ପାଇଁ ପରିମଳ ଏକ ପ୍ରମୁଖ ଦିଗ । ଓଡିଶା ଏଥିରେ ବି ଦେଶରେ ସବୁଠାରୁ ପଛରେ । ପ୍ରତି ପରିବାର ପାଇଖାନା ସୁବିଧାରେ ଓଡିଶା ତଳୁ ଆଡୁ ଦ୍ୱିତୀୟ । ଛତିଶଗଡ ଓ ଆନ୍ଧ୍ର ପ୍ରଦେଶ ୧୦୦% ପରିବାର ପାଖରେ ପାଇଖାନା ସୁବିଧା ଥିବାବେଳେ ଓଡିଶାରେ ଏହା ହେଉଛି ୭୨% । ଓଡିଶାରେ ମାତ୍ର ୩୯ % ଗାଁ ହେଉଛି ଖୋଲାରେ ମଳମୁତ୍ର କରୁନଥିବା ଗାଁ । ଓଡିଶାରେ ମହିଳାଙ୍କ ସ୍ୱାସ୍ଥ୍ୟ ଆଜି ଏକ ଉଦବେଗଜନକ ସ୍ଥିତିରେ ଅଛି । ରକ୍ତହିନତାରେ ୫୧% ମହିଳା ଶୀକାର । ଅପପୁଷ୍ଟିରେ ଶିକାର ହେବାରେ ଓଡିଶା ମଧ୍ୟ ଦେଶରେ ସବୁଠାରୁ ବିପଦ ଜନକ ସ୍ଥିତିରେ ଅଛିି । ମହିଳା ବିରୋଧୀ ହିଂସାରେ ଓଡିଶା ଦେଶରେ ତୃତୀୟ । ଗୋଟିଏ ବର୍ଷରେ ମୋଟ ୨୨୨୧ଟି ଧର୍ଷଣ ମାମଲା ହୋଇଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଏବଂ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।