- ଗୁଣାତ୍ମକ ଓଡ଼ିଆ ଭାଷାଶିକ୍ଷକ ଓଡ଼ିଶା ପାଇପାରିବ ନାହିଁ |
- .କେନ୍ଦ୍ରୀୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟ ଢାଞ୍ଚାରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି କରାଯାଉ |
- ମାତ୍ର 200 ମାର୍କର (eilective) ରଖି ଓଡ଼ିଆ ଭାଷା ପରୀକ୍ଷା ଦେଇଥିବା ଶିକ୍ଷାର୍ଥୀଙ୍କୁ ଭାଷା ଶିକ୍ଷକ ନିଯୁକ୍ତି କରାନଯାଉ |
ଭୁବନେଶ୍ୱର - 24/10 ଓଡ଼ିଆ ଭାଷାରେ ସରକାର ସମସ୍ତ ସରକାରୀ କାର୍ଯ୍ୟ କରିବା ପାଇଁ ବିଧି ନିର୍ଦ୍ଧାରଣ ହୋଇଅଛି | ସେହି ଅନୁସାରେ ସରକାର ସମସ୍ତ ସ୍କୁଲ ଗୁଡ଼ିକରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ | ଗତ 7 ଫେବୃୟାରୀ, 2024 ର କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ପ୍ରଥମ ଦଫାରେ ସରକାର 1500 ଶିକ୍ଷକ ନିଯୁକ୍ତି କରିବେବୋଲି କହିଥଲେ | ପରବର୍ତ୍ତୀ ସମୟରେ ସମସ୍ତ ଉଚ୍ଚବିଦ୍ୟାଳୟ ଗୁଡିକରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ହେବେବୋଲି ଘୋଷଣା ହୋଇଥିଲା | କିନ୍ତୁ ଚିଠି ନଂ. IIE-63/2024/4034 / OSSC, Date-09/10/2024) ର ବିଜ୍ଞପ୍ତି ଅନୁଯାୟୀ 6025 ଜଣ ଶିକ୍ଷକଙ୍କୁ ନିଯୁକ୍ତି କରାଯିବାର ବିଜ୍ଞପ୍ତିରେ ଓଡ଼ିଆ ଭାଷା ଶିକ୍ଷକ ପଦ ନଥିବାରୁ ମାନ୍ୟବର ମନ୍ତ୍ରୀ ଏବଂ ସଚିବଙ୍କ ସହିତ ଆଲୋଚନା ହୋଇଥିଲା | ପ୍ରକାଶିତ ବିଜ୍ଞପ୍ତିରେ ସଂଶୋଧନ କରି OSSC (ଓଡ଼ିଶା ସ୍ଟାଫ୍ ସିଲେକ୍ସନ କମିଶନ ...Notice No. IIE-୬୩/୨୦୨୪/୩୭ / OSSC, Date-୦୨/୦୧/୨୦୨୫ )ଦ୍ୱାରା କଳା ଶିକ୍ଷକ (TGT) ପଦବୀର ୨୫ ପ୍ରତିଶତ ପଦବୀକୁ ଓଡ଼ିଆ ଶିକ୍ଷକର ମାନ୍ୟତା ଦେଇ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଲା । ସବୁଦିଗରୁ ଏହା ଏକ ଐତିହାସିକ ପଦକ୍ଷେପ କିନ୍ତୁ ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇଁ ନିର୍ଦ୍ଧାରିତ ଶିକ୍ଷାଗତ ଯୋଗ୍ୟତାରେ ପ୍ରାର୍ଥୀ ଓଡ଼ିଆ ଭାଷାସାହିତ୍ୟ ବିଷୟକୁ ଇଲେକ୍ଟିଭ୍ (Elective ) ବା ପାସ୍ ବା ଅନର୍ସରେ ଅନ୍ତତଃ ୨୦୦ ମାର୍କ ସ୍ନାତକ ସ୍ତରରେ ପଢ଼ିଥିବା ଆବଶ୍ୟକ | ଏହି ବ୍ୟବସ୍ଥା ବିଭିନ୍ନ ଦିଗରୁ ତ୍ରୁଟିପୂର୍ଣ୍ଣ ବୋଲି ନିଃସନ୍ଦେହରେ କୁହାଯାଇପାରେ ।
ସ୍ନାତକ ସ୍ତରରେ ଯେଉଁ ବିଷୟ ଇଲେକ୍ଟିଭ୍ ରଖାଯାଏ, ସେ ବିଷୟରେ ମାତ୍ର ୨୦୦ମାର୍କ ପଢ଼ିବାକୁ ହୁଏ । କିନ୍ତୁ ସେହି ବିଷୟକୁ ନିଜର ପାସ ବିଷୟ ଭାବେ ୬୦୦ ମାର୍କ ପଢ଼ିବାକୁ ହୁଏ, ଯାହା ଏବେ ଉଠିଯାଇଛି । ଆଉ କାହାକୁ ନିକଟ ଅତୀତରେ ପାସ୍ ପଢ଼ିବାକୁ ହୋଇନାହିଁ । କୌଣସି ପାଠ୍ୟ ବିଷୟକୁ ଅନର୍ସ ଭାବେ ଗ୍ରହଣ କଲେ ସେ ବିଷୟରେ ଅତୀତରେ ୬୦୦ ମାର୍କ, ନିକଟ ଅତୀତରେ ୧୪୦୦ ମାର୍କ ଓ ଏବେ NEP ଧାରାରେ ତିନିବର୍ଷିଆ ସ୍ନାତକରେ ୧୫୦୦ ମାର୍କ ଓ ଚାରିବର୍ଷିଆ ସ୍ନାତକରେ ୨୩୦୦ ମାର୍କ ପଢ଼ିବାକୁ ହୋଇଛି । ତେଣୁ ଏଠି ପ୍ରଶ୍ନ ଉଠେ ଯଦି TGT ଓଡ଼ିଆ ଶିକ୍ଷକ ନିଯୁକ୍ତିରେ ସ୍ନାତକ ସ୍ତରରେ ଓଡ଼ିଆ ବିଷୟକୁ ଇଲେକ୍ଟିଭ୍ ଭାବେ ନେଇ ୨୦୦ ମାର୍କ ପଢ଼ିଥିବା ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯାଏ ଓ ବର୍ତମାନର ତ୍ରୁଟିପୂର୍ଣ୍ଣ ଚୟନ ପ୍ରକ୍ରିୟାରେ ସେ ନିଯୁକ୍ତି ପାଆନ୍ତି, ତେବେ ଯୋଗ୍ୟ ଓ ଗୁଣାତ୍ମକ ଓଡ଼ିଆ ଭାଷାଶିକ୍ଷକ ଓଡ଼ିଶା ପାଇପାରିବ ନାହିଁ |
ଏଠାରେ ଉଲେଖ କରାଯାଇପାରେ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟ ଗୁଡିକରେ ନିଯୁକ୍ତ କରାଯାଉଥିବା ଭାଷା ଶିକ୍ଷକ ମାନଙ୍କର ଶିକ୍ଷା ପଦ୍ଧତି ତିନିବର୍ଷର କୋର୍ସ / 5/6 ସେମିଷ୍ଟାରର ଶିକ୍ଷା ଗ୍ରହଣ କରିଥିବା ନିତାନ୍ତ ଆବଶ୍ୟକ | ଅର୍ଥାତ ଓଡ଼ିଆ ଭାଷା ଶିକ୍ଷକ ପାଇଁ ମାତ୍ର 200 ମାର୍କର ପାଠ ପଢିଥିବା ଶିକ୍ଷାର୍ଥୀ କିପରି ଭାବେ 1500/2300 ମାର୍କ ର ଶିକ୍ଷାର୍ଥୀ ସହିତ ସମାନ ହୋଇ ପାରିବ, ଏହାହିଁ ସବୁଠାରୁ ବଡ ପ୍ରଶ୍ନ ?
ଉକ୍ତ ବିଷୟ ଉପରେ ବିହିତ ପଦକ୍ଷେପ ଗ୍ରହଣ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟ ଓ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଆଦର୍ଶ ବିଦ୍ୟାଳୟର ଭାଷା ଶିକ୍ଷକ ନିଯୁକ୍ତିର ଚୟନ ପ୍ରକ୍ରିୟାର ବିଧି ଅନୁଯାୟୀ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି କରାଯାଉ ବୋଲି ଭାଷା ଆନ୍ଦୋଳନ, ଓଡ଼ିଶା ତରଫରୁ ଆବାହକ, ପବିତ୍ର ମହାରଥା, ଜାନକୀଶ ବଡ଼ପଣ୍ଡା ,ସାଗର ଶତପଥୀ , ସାରଦା ପ୍ରସାଦ ମହାପାତ୍ର , ନୀଳମଣୀ ମିଶ୍ର, ମନୋଜ ନାୟକ ଏବଂ ଓଡ଼ିଆ ସମ୍ମାନ ଛାତ୍ର ସଂସଦ ପକ୍ଷରୁ ଦାବି କରିଛନ୍ତି |











