ବାରିପଦା: ସାଇବର ଠକେଇରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ଚଳିତ ଅକ୍ଟୋବର ମାସ ୧୮ ତାରିଖ ରୁ ଆଗାମୀ ସେପ୍ଟେମ୍ବର ମାସ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସାଇବର ସୁରକ୍ଷା ସଚେତନତା ଅଭିଯାନ -୨୦୨୫ ଜାରି ରହିଛି। ଏହି କ୍ରମରେ ୧୮ତାରିଖ ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସାଇବର ସୁରକ୍ଷା ଅଭିଯାନ-୨୦୨୫ର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସାଇବର ଠକେଇରୁ ସୁରକ୍ଷିତ ରଖିବା ପାଇଁ ଶପଥ ପାଠ କରାଇବା ସହ ସାଇବର ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଯାହାକି ରାଜ୍ୟ ସାରା ପରିକ୍ରମା କରି ଲୋକମାନଙ୍କ ମଧ୍ୟରେ ସାଇବର ଠକେଇରୁ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପହଞ୍ଚାଇବ।
ଏହି କ୍ରମରେ ଆଜି ବାରିପଦା ଠାରେ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଠାରେ ଜିଲ୍ଲା ପୋଲିସ ପ୍ରଶାସନର ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ସମ୍ବନ୍ଧୀୟ ଏକ ଜିଲ୍ଲା ସ୍ତରୀୟ ମେଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ରାଜ୍ୟସଭା ଶ୍ରୀମତୀ ମମତା ମହାନ୍ତ, ମାନ୍ୟବର ବିଧାୟକ ଉଦଳା ଶ୍ରୀ ଭାସ୍କର ମଢେଇ, ବିଧାୟକ ସାରସକଣା ଶ୍ରୀ ଭାଦବ ହାଁସଦା, ବିଧାୟକ ବଡ଼ସାହି ଶ୍ରୀ ସନାତନ ବିଜୁଳି, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ନଗରପାଳ ଶ୍ରୀ କୃଷ୍ଣା ନନ୍ଦ ମହାନ୍ତି, ଉପନଗରପାଳିକା ଶ୍ରୀମତୀ ସୀମା ଦାସ, ପୂର୍ବାଞ୍ଚଳ ପୋଲିସ ଡି ଆଇ ଜି ଶ୍ରୀ ପିନାକ ମିଶ୍ର, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଆର ସି ସି ଏଫ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ନିର୍ଦ୍ଦେଶକ ଶ୍ରୀ ପ୍ରକାଶ ଗୋଗିନାନି ଓ ଆଇ ଏ ଏସ ପ୍ରୋବେଶନର କାଶିଷ ବକ୍ସି ପ୍ରମୁଖ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ ଏହି ଅଭିଯାନ ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହୋଇଛି ଏବଂ ଆଗାମୀ ୧୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାରେ ସଚେତନତା ଅଭିଯାନ ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ଏକ ମାସ ଧରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଚାଲିବ। ଏହି ସାଇବର ସୁରକ୍ଷା ସଚେତନତା ଅଭିଯାନର ମୂଳ ଉଦେଶ୍ୟ ହେଉଛି ସମାଜର ସବୁ ବର୍ଗର ଲୋକଙ୍କୁ ସାଇବର ଠକେଇରୁ ସୁରକ୍ଷା ଦେବା। ବର୍ତ୍ତମାନ ପାରିବର୍ତ୍ତିତ ସମୟ ରେ ବ୍ୟସ୍ତବହୁଳ ଜୀବନ ଶୈଳୀ ଭିତରେ ବୈଷୟିକ ଜ୍ଞାନ କୌଶଳର ଉନ୍ନତି ଓ ଉପଯୋଗ ପାଇଁ ସରକାରୀ ସ୍ତରରେ ହେଉ ବା ବ୍ୟକ୍ତିଗତ ସ୍ତରରେ ହେଉ ବା ସାମାଜିକ ସ୍ତରରେ ହେଉ, ଦୈନନ୍ଦିନ ଜୀବନରେ ଇଣ୍ଟେର୍ନେଟ ସାଙ୍ଗକୁ ସ୍ମାର୍ଟ ଫୋନର ବ୍ୟବହାର ଓ ଅନଲାଇନ କାର୍ଯ୍ୟକଳାପ ଅପରିହାର୍ଯ୍ୟ ହୋଇପଡିଛି। ମାତ୍ର ଏହାକୁ ଯଦି ଆମେ ସତର୍କତା ସହ ସୁରକ୍ଷିତ ଭାବେ ବ୍ୟବହାର ନକରୁ ତେବେ ଠକାମିର ଶିକାର ହେବା। ପରିବର୍ତ୍ତିତ ସମୟ ଅନୁସାରେ ସାଇବର ଠକ ମାନେ ମଧ୍ୟ ସେମାନେ ସେମାନଙ୍କ କୁଟିଳ ବୁଦ୍ଧି ପ୍ରୟୋଗ କରି ନୂତନ ଅଭିନଵ ଉପାୟ ଅବଲମ୍ବନ କରି ଆଶ୍ଚର୍ଯ୍ୟଜନକ ଭାବେ ଲୋକ ମାନଙ୍କୁ ସେମାନଙ୍କର ଶିକାର ବନଉଛନ୍ତି କାରଣ ସାଧାରଣ ଲୋକଙ୍କ ପକ୍ଷରେ ଦୁର୍ଭାଗ୍ୟ ବଶତଃ ସେଇ ମୁହୂର୍ତ୍ତରେ ଉଚିତ ନିଷ୍ପତ୍ତି ନେବାରେ ଭୁଲ କରିଥାନ୍ତି ଯା ଫଳରେ ଠକାମୀର ଶିକାର ହେବାକୁ ପଡ଼ିଥାଏ। ସାଇବର ଠକାମୀର ଶିକାର ହେବାର ପ୍ରମୁଖ କାରଣ ହେଉଛି ଲୋଭ, ଭୟ ଓ ଦାୟିତ୍ୱହୀନତା। ମାଗଣାରେ କିମ୍ବା କମ ଦାମରେ ଅଧିକ ଲାଭ ପାଇବା ଆଶାରେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଦେଣନେଣ କରିବା, କୌଣସି ଅଜଣା ଭିଡ଼ିଓକୁ ଡାଉନ ଲୋଡ଼ କରିବା କିମ୍ବା କୌଣସି ମିଛ ଫୋନ କଲ୍ ପାଇ ଭୟାତୁର ହୋଇ କିଛି ତର୍ଜମା ନକରି ଦାୟିତ୍ୱହୀନ ଭାବେ ନକଲି ଲିଙ୍କରେ କ୍ଲିକ କରି ନିଜର ବ୍ୟକ୍ତିଗତ ତଥ୍ୟ ଶେୟାର କରି ସାଇବର ଠକାମୀର ଶିକାର ହେବାକୁ ପଡେ। ତେଣୁ ଆମେ ସମସ୍ତେ ସଚେତନ ହେବା, ସତର୍କ ରହିବା ଏବଂ ସୁରକ୍ଷିତ ରହିବା। ସମାଜରେ ସବୁ ବର୍ଗର ଲୋକଙ୍କୁ ସାଇବର ସୁରକ୍ଷା ପ୍ରଦାନ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ, ଯେମିତି କି ଛାତ୍ରଛାତ୍ରୀଙ୍କୁ ନିରାପଦ ଡିଜିଟାଲ ଅଭ୍ୟାସ ସହ କୌଣସି ପ୍ରଲୋଭନ ଏବଂ ସାଇବର ଭୟର ଶିକାର ନହେବା, ଗୋପନ ଭିଡ଼ିଓ ଦେଖାଇ ସାଇବର ଅପରାଧର ଶିକାର କରାଇବା, ଅଭିଭାବକ ଓ ଶିକ୍ଷକ ମାନଙ୍କୁ ପିଲାମାନଙ୍କ ଅନଲାଇନ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ, ଚାକିରୀ ଆଶାୟୀ ଯୁବ ପିଢ଼ିଙ୍କୁ ନକଲି ନିଯୁକ୍ତି ଯାଚିବା, ନକଲି ବ୍ୟାଙ୍କ ଆକାଉଣ୍ଟ ଓ ସିମ ବିକ୍ରି, ଫ୍ରଡ଼ ନିବେଶ ପାଇଁ ପ୍ରବର୍ତ୍ତlଇବା, ଭୟ ଦେଖାଇ ଯୌନ ଶୋଷଣ କରିବା , ମହିଳା ଓ କିଶୋରୀ ମାନଙ୍କୁ ନକଲି କଲ୍ ଜରିଆରେ ଯୌନ ଶୋଷଣ , ଗ୍ରାମ ଓ ସେମି ଅର୍ବାନ ଅଂଚଳରେ ପ୍ରଥମ କରି ସ୍ମାର୍ଟ ଫୋନ ବ୍ୟବହାରକାରି ଲୋକଙ୍କୁ ୟୂପିଆଇ, ଓଟିପିର ସଠିକ ଉପଯୋଗ, ଫେକ କଲ୍ ବାବଦରେ ଜ୍ଞାନ ଦେବା, ବରିଷ୍ଠ ନାଗରିକ ମାନଙ୍କୁ ନିରାପଦ ବ୍ୟାକିଙ୍ଗ କାରବାର ଓ ଆର୍ଥିକ ଠକେଇରୁ ବର୍ତ୍ତିବା ପାଇଁ ସତର୍କ କରିବା, ଏସ ଏଚ ଜି ଏବଂ ଗୋଷ୍ଠୀ ଗ୍ରୁପକୁ ସମୂହ ଡିଜିଟାଲ ଦେଣନେଣ, ଫେକ ଋଣ,ନକଲି ପୁଞ୍ଜି ନିବେଶ ବାବଦରେ ଏବଂ ବ୍ୟବସାୟୀ ଓ ବୃତ୍ତିଧାରୀଙ୍କୁ ଡାଟା ସିକୁରିଟି, ବୃତ୍ତିଗତ ଶୋଷଣରୁ ସୁରକ୍ଷା, ଡିଜିଟାଲ ପେମେଣ୍ଟରେ ସତର୍କତା ଇତ୍ୟାଦି ସମ୍ବନ୍ଧରେ ସଚେତନ କରାଯିବ।
ଏହି ସଚେତନତା ଅଭିଯାନ ଉଭୟ ଅନଲାଇନ ଓ ଅଫଲାଇନ ରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯଥା ସାଇବର ସୁରକ୍ଷା ପ୍ରଚାର ପତ୍ର,ଭିଡ଼ିଓ ପ୍ରଦର୍ଶନ, ରେଡ଼ିଓ ଜିଙ୍ଗଲ,ସୁରକ୍ଷା ମେସେଜ୍, ଡିବେଟ ପ୍ରତିଯୋଗିତା, ପଥ ପ୍ରାନ୍ତ ନାଟକ, ନୁକ୍କଡ଼ ନାଟକ,ସଚେତନତା ରଥ ପରିକ୍ରମା, ପଦଯାତ୍ରା, ସାଇକେଲ ଯାତ୍ରା, ସ୍ପଟ କୁଇଜ଼, ସାଇବର ଅପରାଧ ଉପରେ ସମ୍ମିଳନୀ, ଅନଲାଇନ କୁଇଜ଼, ରିଲ ମ୍ୟାକିଙ୍ଗ ପ୍ରତିଯୋଗିତା ଇତ୍ୟାଦି ଆୟୋଜନ କରାଯିବ।
ମାତ୍ର ଜନ ସଚେତନତା କେବଳ ପୋଲିସ ବିଭାଗ ଦ୍ୱାରା ସମ୍ଭବ ନୁହେଁ ବରଂ ସମସ୍ତଙ୍କ ସହଭାଗୀତାରେ ଏହାର ସଫଳ ରୂପାୟନ ସମ୍ଭବ ହେବ ବୋଲି ଆଶାବ୍ୟକ୍ତ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ନିମନ୍ତ୍ରିତ ସମସ୍ତ ଅତିଥି ବୃନ୍ଦ ସାଇବର ଠକେଇର ବିଭିନ୍ନ ପ୍ରକାର ଭେଦ ଉପରେ ଆଲୋକପାତ କରିଥିଲେ ଏବଂ ଏଥିରୁ ବର୍ତ୍ତିବା ପାଇଁ ସଚେତନ ହେବା, ସତର୍କ ରହିବା ଏବଂ ସୁରକ୍ଷିତ ରହିବା। ଅନ୍ୟ ଭାବରେ କହିଲେ କୌଣସି ନକଲି ଫୋନ୍ କଲ ଆସିଲେ ଟିକେ ରହିଯାଇ ଭାବିବା, ଏହାକୁ ଠିକ ଭାବେ ଯାଞ୍ଚ କରିବା ଏବଂ ତା ପରେ ଯାଇ କାର୍ଯ୍ୟ କରିବା ଯେପରିକି ସୁରକ୍ଷିତ ରହିବା। କୌଣସି ପରିସ୍ଥିତି ରେ ସାଇବର ଠକେଇରେ ଶିକାର ହେଲେ ୧୯୩୦ ନମ୍ବରରେ କଲ କରି କିମ୍ବା ସାଇବର କ୍ରାଇମ ପୋର୍ଟାଲ ରେ ରିପୋର୍ଟ କରିବା ଏବଂ ସାଇବର ଥାନାର ସହାୟତା ନେବା ପାଇଁ ପରାମର୍ଶ ଦିଆଯାଇଛି।
ଏହି ଅବସରରେ ମାନ୍ୟବର ସାଂସଦ ଉପସ୍ଥିତ ସମସ୍ତଙ୍କୁ ସାଇବର ଠକେଇରୁ ସୁରକ୍ଷିତ ରହିବା ପାଇଁ ସାମୂହିକ ଶପଥ ପାଠ କରାଇଥିଲେ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ,ବିଭିନ୍ନ ବିଭାଗୀୟ ଅଧିକାରୀ, ବ୍ୟାଙ୍କ ଅଧିକାରୀ ତଥା ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନର କର୍ମକର୍ତ୍ତା,ଛାତ୍ର ଛାତ୍ରୀ, ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା, ସ୍ବେଛାସେବୀ ଓ ଗଣ ମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।