ପଦ୍ମପୁର/ନୀଳ ଦୀପ
ପଦ୍ମପୁର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୧୯ ପାଳନ ନିମନ୍ତେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରାକରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉପଖଣ୍ଡ ସ୍ତରୀୟ ସାଧାରଣନ୍ତ୍ର ଦିବସକୁ ସରଷ ଓ ସୁନ୍ଦର କରିବା ତଥା ଆକର୍ଷଣୀୟ ଭାବରେ ପାଳନ କରିବା ନିମନ୍ତେ ଉପଜିଲ୍ଲାପାଳ ସମସ୍ତଙ୍କୁ ସହଯୋଗ କାମନା କରିଥିଲେ।ପ୍ରସ୍ତାବିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଯାୟୀ ଜାନୁୟାରୀ ୨୬ତାରିଖ ଦିନ ପ୍ରାତଃ ୪.୩୦ ସମୟରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ ପରିବେଷଣ କରାଯିବ ସହିତ ସ୍ଥାନୀୟ ରାଧାମାଧବ ସମିତି ଓ ସତ୍ୟସାଇ ସେବା ସମିତିର ସଦସ୍ୟ ମାନଙ୍କ ସହଯୋଗରେ ପ୍ରଭାତଫେରୀ ଅନୁଷ୍ଠିତ ହେବ।ପଦ୍ମପୁର ସହର ମଧ୍ୟରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ଉକ୍ତଦିନ ପ୍ରାତଃ ୬ଘ.ରୁ ୭ଘ.ମଧ୍ୟରେ ମାଲ୍ଯର୍ପଣ କରାଯିବା ସହିତ ସକାଳ ୭ଘ. ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ,ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।ପୂର୍ବାହ୍ନ ୮ଘ.୩୦ମି ସମୟରେ ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ମୂଖ୍ୟ ଅତିଥିଙ୍କ ଦ୍ବାରା ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା,ତର୍କ,ଦେଶାତ୍ମବୋଧକ,କଣ୍ଠ ସଂଗୀତ,ଚିତ୍ରାଙ୍କନ, ଓଡିଆ ପ୍ରବନ୍ଧ ଲିଖନ ଏବଂ ଲିଖିତ ସାଧାରଣଜ୍ଞାନ ପ୍ରଭୃତି ପ୍ରତିଯୋଗିତା ଆୟୋଜନ କରିବାପାଇଁ ପ୍ରସ୍ତାବ ଗୃହୀତ ହୋଇଛି।ଏଥି ସହିତ ଆନୁଷ୍ଠାନିକ ପ୍ୟାକେଜ ପରି ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାପାଇଁ ସ୍ଥିରୀକୃତ ହୋଇଅଛି।
ଏହି ଦିବସ ପାଳନ ଅବସରରେ ସ୍ଥାନୀୟ ଉପକାରାଗାର,କୃଷ୍ଠାଶ୍ରମ ଏବଂ ଉପଖଣ୍ଡ ଚିକିତ୍ସାଳୟରେ ଫଳ ଓ ବିସ୍କୁଟ ବଣ୍ଟନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଉପଖଣ୍ଡ ଚିକିତ୍ସାଳୟ ପରିସର ମଧ୍ୟରେ ଏକ ରକ୍ତଦାନ ଶିବିର ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶା ଓ କଳାମନ୍ଦିର ୟୁଥ୍ କ୍ଲବ,ମାରୱାଡି ଯୁବାମଞ୍ଚ,ଲାୟନ୍ସକ୍ଲବ ପଦ୍ମପୁର ତଥା ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଯୁବ ରେଡ଼କ୍ରସଙ୍କ ମିଳିତ ସହଯୋଗରେ ସଂପାଦନ କରିବା ପାଇଁ ସ୍ଥିରୀକୃତ ହୋଇଛି।ଉକ୍ତ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ ଅନିଲ କୁମାର ହୋତା,ଦୀପ୍ତିମୟୀ ଭୁଏ,ଅତିରିକ୍ତ ତହସିଲଦାର ଅମୃତଲାଲ ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ତାହିର ହୁସେନଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା,ସ୍ବେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା,ବୁଦ୍ଧିଜୀବୀ,ସାମ୍ବାଦିକ ତଥା ସହରର ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଉପଖଣ୍ଡସ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ସହିତ ବିଗତ ଉତ୍ସବର ବିବରଣୀ ପାଠ କରିଥିଲେ ଏବଂ ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।