ହେଡଲାଇନସ୍:

ଓଡ଼ଗାଁ ଏନ୍ଏସିରେ ଶିକ୍ଷା ବିଭାଗର ବିଚିତ୍ର ନୀତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


୩୨ ପିଲାରେ ୪ ଶିକ୍ଷକ ଏବଂ ଶହେ ପିଲାରେ ୨ ଶିକ୍ଷକଙ୍କୁ ନେଇ ଚାଲିଛି ବିଦ୍ୟାଳୟ କାର୍ଯ୍ୟ

ଓଡ଼ଗାଁ,୧୬।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ବ୍ଳକ କଲୋନୀ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲରେ ଶହେ ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ୬ ଗୋଟି ଶ୍ରେଣୀ ପାଇଁ ୨ ଜଣ ଶିକ୍ଷକ ରହିଥିବା ବେଳେ ଏନ୍ଏସିର ଅନ୍ୟ ଏକ ବିଦ୍ୟାଳୟ ବିଲମାନପୁର ପ୍ରାଥମିକ ବିଦ୍ୟାଳୟରେ ୩୨ ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ମାତ୍ର ୪ ଜଣ ଶିକ୍ଷକରେ ଚାଲିଛି ଶିକ୍ଷାଦାନ ବ୍ୟବସ୍ଥା । କେବଳ ଏତିକି ନୁହେଁ, ଏହି ବ୍ଳକର ଏକାଧିକ ବିଦ୍ୟାଳୟ ମାନଙ୍କରେ ମଧ୍ୟ ଜଣେ ଲେଖାଏଁ ଶିକ୍ଷକରେ ଶିକ୍ଷାଦାନ ବ୍ୟବସ୍ଥା ଚାଲିଥିବା ନେଇ ଅଭିଭାବକ ମାନେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି । ସବୁ ବେଳେ ଶିକ୍ଷାବିଗକୁ ନେଇ ସରକାର ମାନେ ଡିଣ୍ଡିମ ପିଟୁଥିବା ବେଳେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାନ ବ୍ୟବସ୍ଥାର ବାସ୍ତବ ଚିତ୍ର ଅତ୍ୟନ୍ତ ଦୟନୀୟ ହୋଇଥାଏ । ତେବେ ଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ଅନୁପାତ ଅଥବା ଶ୍ରେଣୀ କକ୍ଷ ଅନୁସାରେ ଶିକ୍ଷକ ନିଯୁକ୍ତି କରୁନଥିବା ବେଳେ ଆବଶ୍ୟକତା ଦୃଷ୍ଟିରୁ ଶିକ୍ଷକ ମାନଙ୍କ ସ୍ଥାନାନ୍ତର ସମୟରେ ପୂର୍ବସ୍କୁଲ ଗୁଡିକ ନିମନ୍ତେ ସମାନ ସଂଖ୍ୟକ ଶିକ୍ଷକଙ୍କୁ ପଠାଉ ନାହାନ୍ତି । ଏବଂ କେତେକ କ୍ଷେତ୍ରରେ ସ୍ଥାନାନ୍ତର ହୋଇଥିବା ଶିକ୍ଷକ ମାନେ ନିଜ ନିଜ ସ୍ଥାନରେ ଯୋଗ ଦେଉନାହାନ୍ତି । ଏଭଳି କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ସମୟ ନିକଟତର ହୋଇଥିବା ବେଳେ ଶିକ୍ଷା ବିଭାଗର ଏପରି ବିଚିତ୍ର ବ୍ୟବସ୍ଥାରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଗ୍ରହଣରେ ଘୋର ବ୍ୟାଘାତ ଦେଖା ଦେଉଥିବା ନେଇ ଅଭିଭାବକ ମାନେ ଚିନ୍ତା ପ୍ରକଟ କରିଛନ୍ତି । ତେବେ ଜିଲ୍ଲା ଶିକ୍ଷା ବିଭାଗ ଏନେଇ ସ୍ବତନ୍ତ୍ର ଦୃଷ୍ଟି ପ୍ରଦାନ କଲେ ସହଜରେ ଅସୁବିଧା ଗୁଡିକ ସମାଧାନ ହୋଇପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।

0
0
0
s2sdefault