ହେଡଲାଇନସ୍:

ସାଇବର ସିକ୍ୟୁରିଟି ଅଭିଯାନ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର, ତା ୧୬/୧୦/୨୫ ସୁମନ୍ତକୁମାର ଦାସ: ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ସାଇବର ସିକ୍ୟୁରିଟି ଅଭିଯାନ ୨୦୨୫ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ , ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଏସ ଡି ପି ଓ ଶ୍ରୀ ଅଜିଙ୍କ୍ୟା ମାଣେ ମଞ୍ଚାସିନ ଥିଲେ। ପ୍ରଥମେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ଏହି ଅଭିଯାନ ର ଆଭିମୁଖ୍ୟ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥିଲେ। ଆସନ୍ତା ୧୮ ଅକ୍ଟୋବର ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅଭିଯାନ ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଥିଲେ।ବର୍ତ୍ତମାନ ସମୟ ରେ ସାଇବର ଅପରାଧ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ଜାଣତ ବା ଅଜାଣତ ରେ ହେଉ ଲୋକମାନେ ଏହି ଠକାମୀ ର ଶିକାର ହୋଇ ନିଜର ଧନ, ମାନ ହରାଇବସୁଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ସଚେତନତା ହିଁ ଏକମାତ୍ର ଉପାୟ ବୋଲି ଆରକ୍ଷୀ ଅଧିକ୍ଷକ କହିଥିଲେ। ଏକମାସ ବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନ ରେ ଅନଲାଇନ୍ ଓ ଅଫ ଲାଇନ୍ ଉଭୟ ଭାବେ ସଚେତନତା କାର୍ଯ୍ୟକ୍ରମ ଚାଲିବ। ସୋସିଆଲ ମିଡ଼ିଆ ରେ ସାଇବର ନିରୋଧୀ ଭିଡିଓ ଓ ଜିଙ୍ଗିଲ ବାର୍ତ୍ତା ପ୍ରଚାର କରାଯିବ। ସେହିପରି ଅଫ୍ଲାଇନ୍ ରେ ଏକ ସଚେତନତା ରଥ ଜିଲ୍ଲା ର ସମସ୍ତ ୮ ଟି ବ୍ଲକ୍ ର ୧୯୮ ଗ୍ରାମ ପଞ୍ଚାୟତ, ଦୁଇ ମ୍ୟୁନିସପାଲିଟି ବୁଲି ଲୋକଙ୍କୁ ସାଇବର ଅପରାଧ ବିଷୟ ରେ ସଚେତନ କରାଇବ। ଏହାଛଡା ବିଦ୍ୟାଳୟ ମାହା ବିଦ୍ୟାଳୟ ଗୁଡିକରେ ବକ୍ତୃତା, କୁଇଜ୍, ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହେବ। ବିଭିନ୍ନ ସ୍ଥାନ ରେ ସଚେତନତା ଧର୍ମୀ ନୁକ୍କଡ ନାଟକ ପ୍ରଦର୍ଶିତ ହେବ। ଏକ ସାଇକ୍ଲୋଥନ ର ଅୟୋଜନ କରାଯିବ।ଏହି ଅଭିଯାନ ସମସ୍ତ ଜନ ସାଧାରଣ ଙ୍କୁ ସାଇବର ଅପରାଧ ବିଷୟ ରେ ସଚେତନ କରାଇବା ସହ ଏହା କବଳରୁ ରକ୍ଷା ପାଇବା ପାଇଁ ଉପାୟ ଦେଖାଇବ। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମଧ୍ୟ ଏଥିନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀଙ୍କ, ବିଦ୍ୟାଳୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମାନଙ୍କୁ ଏହି ଅଭିଯାନ ରେ ସକ୍ରୀୟ ଅଂଶ ଗ୍ରହଣ କରିବାକୁ କହିଥିଲେ। ମ୍ୟୁନିସିପାଲଟି ର ଅଳିଆ ଗାଡ଼ି ତଥା ଏଲ୍ ଇ ଡି ରେ ସରକାର ଙ୍କ ତରଫରୁ ଆସିଥିବା ସାଇବର ନିରୋଧୀ ଭିଡିଓ ଚଳାଇବାକୁ ନିର୍ବାହୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟ ରେ କଳିଙ୍ଗ ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ସମୁଦ୍ର ବେଳାଭୂମି ରେ ଧର୍ମି ବାଲୁକା କଳା ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଚାର, ବାଲିଯାତ୍ରାର ମହମଞ୍ଚ ରୁ ବାର୍ତ୍ତା ଦେବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସତ୍ୟବ୍ରତ ଦାଶ ପାୱାର ପଏଣ୍ଟ ମାଧ୍ୟମ ରେ ଏକମାସ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ଅଭିଯାନ ର କାର୍ଯ୍ୟକ୍ରମ ସମ୍ପର୍କ ରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି ବୈଠକ ରେ ସମସ୍ତ ବିଭାଗୀୟ ଅଧିକାରୀ, ବିଦ୍ୟାଳୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ , ସିଭିଲ ସୋସାଇଟି, ବ୍ୟାଙ୍କ ଅଧିକାରୀ, ଶିଳ୍ପାନୁଷ୍ଠାନ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବର୍ମା ଏହି ଅଭିଯାନ ର ସଫଳ ରୂପାୟନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

0
0
0
s2sdefault