ସଇଁତଳାରେ ପ୍ରଧାନ ଶିକ୍ଷକଙ୍କ ଅତ୍ୟାଚାର - ରକ୍ତାକ୍ତ ଛାତ୍ର, ନୀରବ ପୋଲିସ
ବଲାଙ୍ଗୀର, (ଶାସକ ପ୍ରଶାସକ)ଘନ ନାଗ:ଆଜିର ଦିନରେ ଟଙ୍କା ଓ ପ୍ରଭାବ ଯେତେ ମହାନ, ଆଇନ ଓ ନ୍ୟାୟ ସେତେ ନିର୍ବଳ ହୋଇପାରେ ବୋଲି ଏକ ନିର୍ଦୟ ଉଦାହରଣ ଦେଖାଇଛନ୍ତି ସଇଁତଳା ଥାନା ଅଧୀନ ଥିବା କରମତଲା ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁମୁଦ ରଞ୍ଜନ ମେହେର।
ଗତ ସୋମବାର, ୧୩ ଅକ୍ଟୋବର ୨୦୨୫, ସକାଳ ୧୦ଟା ସମୟରେ ସେ ନିଜ ବିଦ୍ୟାଳୟକୁ ପ୍ରବେଶ କରିବା ସମୟରେ ଛାତ୍ରଛାତ୍ରୀଙ୍କୁ ଖେଳୁଥିବା ଦେଖି ତାଙ୍କ ବ୍ୟକ୍ତିଗତ ପାରିବାରିକ ସମସ୍ୟା ନା ନିଶାଶକ୍ତ କାରଣରୁ ହଟାତ ରାଗରେ ଜର୍ଜରିତ ହୋଇ ନିଜ ସଂଯମ ହରାଇଦେଲେ। ମନର ଅସନ୍ତୋଷକୁ ବିଷରେ ପରିଣତ କରି, ସେ ଗୋଟିଏ ଶକ୍ତ ବାଡ଼ି ଧରି ନିଷ୍ଠୁର ଭାବେ ସମସ୍ତ ଛାତ୍ରଛାତ୍ରୀଙ୍କ ଉପରେ ମାଡ଼ ମାରିଲେ। ଭୟ ଓ ଚିତ୍କାରରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତେଜିତ ହୋଇ ପଳେଇଗଲେ। ସେହି ସମୟରେ ପ୍ରହଲ୍ଲାଦ ରଣା, ଚତୁର୍ଥ ଶ୍ରେଣୀର ଜଣେ ନାବାଳକ ଛାତ୍ର, ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତାକ୍ତ ହୋଇଥିଲେ, ଏହି ଘଟଣା ବିଷୟରେ ତାଙ୍କ ପିତା ପ୍ରତାପ ରଣା ଓ ମାତା ଜ୍ୟୋସ୍ନା ରଣା ଜାଣିଲା ପରେ ପୁଅର ଅବସ୍ଥା ଦେଖି ତୁରନ୍ତ ସଇଁତଳା ଥାନା ଯାଇ ଲିଖିତ ଅଭିଯୋଗ ଦାଖଲ କରି ସ୍ଥାନୀୟ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଲେ। କିନ୍ତୁ ଦୁର୍ଭାଗ୍ୟବଶତଃ, ଥାନାଧିକାରିଣୀ ଛୁଟିରେ ଥିବା ସମୟରେ ଏସ.ଆଇ. ଭୋଇ ବାବୁ ଅଭିଯୋଗ ଗ୍ରହଣ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦୋଷୀ ଶିକ୍ଷକଙ୍କୁ ଖଲାସ କରିଦେଲେ। ଡାକ୍ତରୀ ରିପୋର୍ଟ ଓ ରକ୍ତାକ୍ତ ଛାତ୍ର ପୋଷାକ ଥିଲେ ମଧ୍ୟ ପୋଲିସ ପ୍ରଶାସନ ନ୍ୟାୟ ଦେବାରେ ବିଫଳ ହେଲା। ସ୍ଥାନୀୟ ଅଞ୍ଚଳବାସୀମାନେ କହିଛନ୍ତି, “ଟଙ୍କା ଓ ପଦବୀର ଗର୍ବରେ ଦୋଷୀ ମୁକ୍ତ ହେଲେ, ନିରୀହ ଶିଶୁ ନ୍ୟାୟ ହୀନ ହେଲା। ଏହା ପୋଲିସର କଳଙ୍କ।” ସଇଁତଳା ଥାନାର ଏସ.ଆଇ.ଙ୍କ ଉପରେ ପକ୍ଷପାତ ଓ ପଦର ଦୁରୁପଯୋଗ ଅଭିଯୋଗ ଲାଗିଛି। ଅଞ୍ଚଳବାସୀମାନେ ଦାବି କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ନିରୀହ କୋମଳମତି ଛାତ୍ର ପ୍ରହଲ୍ଲାଦ ରଣା ପାଇଁ ନ୍ୟାୟ ଦାବି କରି ଅଞ୍ଚଳବାସୀ ଏବେ ପୋଲିସ ଓ ପ୍ରଶାସନ ଉପରେ ପ୍ରଶ୍ନ ଉଠାଇଛନ୍ତି ।