ହେଡଲାଇନସ୍:

ସଂରକ୍ଷିତ ଭଣ୍ଡାର ମୁଣ୍ଡିଆ ପାଦଦେଶରୁ ବେଆଇନ ଢିମା ପଥର ଓ ମୋରମ ଚାଲାଣ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଭାରିଜାନ ପରିବହନ ପାଇଁ ଶରଣକୁଳ-ଗୁଣ୍ଡୁରିବାରୀ ରାସ୍ତା ପାଲଟିଛି ମରଣଯନ୍ତା,

  • ସାଧାରଣରେ ଗମନାଗମନ ବାଧାପ୍ରାପ୍ତ ନେଇ ଗ୍ରାମବାସୀଙ୍କ ଅଭିଯୋଗ,

ଓଡ଼ଗାଁ,୧୪।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳର ଭଣ୍ଡାର ପାହାଡ଼ରୁ ଦୈନିକ ବେଆଇନ ଭାବେ ଢିମା ଓ ମୋରମ ମାଟି ଖୋଳି ତାଡ଼ି ଭାରିଜାନ ମାଧ୍ୟମରେ ବାହାରକୁ ଚାଲାଣ ହେଉଥିବା କାରଣରୁ ଶରଣକୁଳ-ଗୁଣ୍ଡୁରିବାରୀ ରାସ୍ତା ଏବେ ମରଣଯନ୍ତା ପାଲଟିଣି । ସ୍ଥାନୀୟ ଅଞ୍ଚଳବାସୀ ଏନେଇ ଯେତେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ।ପଞ୍ଚରିଡା ମାନପୁର ବନାଞ୍ଚଳର ଭଣ୍ଡାର ସଂରକ୍ଷିତ ଜଙ୍ଗଲର ଭଣ୍ଡାର ପାହାଡ଼ ପୂର୍ବ ପାର୍ଶ୍ବରେ ଓଡ଼ିଶାର ଅନନ୍ୟ ହରିହର ପୀଠ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ସ୍ବୟଂ ଆବିର୍ଭୂତ ବାବା ଲଡୁକେଶ୍ବର ମହାଦେବଙ୍କ ମନ୍ଦିର ବିରାଜିତ। ଐତିହ୍ୟ ସମ୍ପନ୍ନ ଶରଣକୁଳ ମହୋତ୍ସବ ଭଣ୍ଡାର ମହୋତ୍ସବ ନାମରେ ନାମିତ ହୋଇଛି । ଶରଣକୁଳ ଅଞ୍ଚଳର ପ୍ରତିଟି ଜନମାନସରେ ପାହାଡଟିର ନାମ ଏକ ଭାବାବେଗ ସୃଷ୍ଟି କରିଥାଏ । ତେବେ ଏହାର ପାଦଦେଶରୁ ବେଆଇନ ଭାବେ ପ୍ରତିଦିନ ବହୁ ପରିମାଣରେ ଢିମା ପଥର ଓ ମୋରମ ଭାରିଜାନ ମାଧ୍ୟମରେ ଚାଲାଣ ହେଉଛି । ସଂରକ୍ଷିତ ଜଙ୍ଗଲରୁ ପାହାଡ଼ କାଟି ପଥର ମୋରମ ଚାଲାଣ ହେଉଥିବା ବେଳେ ବନ ବିଭାଗ ଆଖିରେ ଯେପରି ଅନ୍ଧପୁଟୁଳି ବାନ୍ଧି ବସିବାଥିବା ନେଇ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ବହୁ ପରିମାଣର ପଥର ଓ ଢିମା ଭାରିଜାନରେ ପରିବହନ ହେଉଥିବାରୁ ଶରଣକୁଳ ଠାରୁ ଗୁଣ୍ଡୁରିବାରୀ ରାସ୍ତା ଏବେ ନଷ୍ଟଭ୍ରଷ୍ଟ ହେଲାଣି । ପାହାଡ଼ର ଦକ୍ଷିଣ ପାର୍ଶ୍ୱରେ ପ୍ରାୟ ୨୫ ଫୁଟ ଉଚ୍ଚତା ଏବଂ ୭ଶହ ମିଟର ଚଉଡା ଅଂଶରୁ ବାହାରିଥିବା ପଥର ଓ ମୋରମ ଚାଲାଣ ହୋଇସାରିଛି । ଶରଣକୁଳ ଐତିହର ସ୍ମାରକ ବହନ କରୁଥିବା ଭଣ୍ଡାର ପାହାଡ଼ ତଥା ସଂରକ୍ଷିତ ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ନିତାନ୍ତ ଅପରିହାର୍ଯ୍ୟ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ସହିତ ଶରଣକୁଳ ଠାରୁ ଗୁଣ୍ଡୁରିବାରୀ ରାସ୍ତାର ପୁନଃ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

0
0
0
s2sdefault