ମାଲକାନଗିରି, ତା:-୦୭/୧୦ ପୋଷା ବିରାଡ଼ି ନିଜ ମାଲିକକୁ ବେପାରରେ ସାହାଯ୍ୟ କରି ଜଗୁଛି ଭୋଗ ସାମଗ୍ରୀ । ଗ୍ରାହକ ଆସିଲେ ମିଆଁଉ ମିଆଁଉ ହୋଇ ଡାକ ପକାଉଛି ମାଲିକକୁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟ ଏକ ଭୋଗ ସାମଗ୍ରୀ ଦୋକାନ ରେ ।
ମନ୍ଦିର ନିକଟରେ କେ.ଭବାନୀ ପ୍ରତିଦିନ ଦୀପ, ଘିଅ, ଧୂପ, ନଡ଼ିଆ, କଦଳୀ ଓ ଭୋଗ ସାମଗ୍ରୀ ବିକ୍ରି କରୁଛନ୍ତି। ଘର ବାରଣ୍ଡାରେ ଭୋଗ ସାମଗ୍ରୀ ରଖି ଚେୟାରଟିଏ ପକାଇ ବସିଥାନ୍ତି। ନିକଟରେ ତାଙ୍କର ଆଦରର ବିରାଡି ଜଗି ବସିଥାଏ । କିଛି କାମରେ ମହିଳାଜଣକ ଘର ଭିତରକୁ ଗଲେ ବିରାଡ଼ି ଟି ଚେୟାର ଉପରେ ବସି ଭୋଗ ସାମଗ୍ରୀ ଜଗିଥାଏ । ବାହାରୁ ଯଦି କେହି ଗ୍ରାହକ ଭୋଗ କିଣିବାକୁ ଆସନ୍ତି ବିରାଡ଼ି ଟି ଗ୍ରାହକକୁ ଜୁଳୁ ଜୁଳୁ ଅନାଇ ମିଆଁଉ ମିଆଁଉ ହୋଇଥାଏ। ସତେ ଯେମିତି କ'ଣ ନେବ ବୋଲି ତା' ଭାଷାରେ ପଚାରିଥାଏ।
ପରେ ବଡ଼ ପାଟିରେ ମିଆଁଉ ମିଆଁଉ ହୋଇ ମାଲିକିଆଣିକୁ ଡାକ ପକାଇଥାଏ। ବିରାଡି ର ଡାକ ଶୁଣି ଭବାନୀ ଦୋକାନକୁ ଆସି ଗ୍ରାହକଙ୍କୁ ସାମଗ୍ରୀ ବିକ୍ରି କରିଥାନ୍ତି। ଦୋକାନରେ ଭବାନୀ ନଥିବା ବେଳେ ଗ୍ରାହକମାନେ କେତେବେଳେ କେମିତି ଜଗି ବସିଥିବା ବିରାଡ଼ି ଟି ନିକଟରେ ପଇସା ରଖି ଦେଇ ଧୂପ ଦୀପ ନେଇଯାଇ ଥାଆନ୍ତି। ମାଲିକର ଦାନା ଖାଉଥିବାରୁ ସମ୍ପର୍କର ମାନେ କ’ଣ ଠିକ୍ ବୁଝିଛି ଏହି କ୍ଷୁଦ୍ରପ୍ରାଣୀ । ମାଲିକୀ ଆଣୀ ନଥିବା ବେଳେ ବିରାଡ଼ି ଟି ଚେୟାରରେ ବସିଥାଏ । ମାଲିକିଆଣୀ ଆସିଗଲେ ଭୋଗ ସାମଗ୍ରୀ ନିକଟରେ ବସି ଜଗିଥାଏ। ଖୁସିରେ ମାଲିକିଆଣୀ ତାକୁ ନିଜ ପିଲାଙ୍କ ପରି କୋଳରେ ଧରିଥାନ୍ତି। ମନ୍ଦିରକୁ ଆସୁଥିବା ଭକ୍ତମାନେ ପ୍ରଥମେ ବିରାଡ଼ି କୁ ଦେଖି ଖୁସି ହୋଇ ସେଠାରୁ ଭୋଗ ସାମଗ୍ରୀ କିଣିଥାନ୍ତି ଓ ବିରାଡ଼ି ର ବୁଦ୍ଧିକୁ ତାରିଫ କରି ତାକୁ ଗେଲ କରନ୍ତି। ଭବାନୀ କୁହନ୍ତି ୨ ବର୍ଷ ତଳେ ଏହି ବିରାଡ଼ି କୁ ତାଙ୍କ ବନ୍ଧୁଙ୍କ ଘରୁ ଆଣି ପାଳିଥିଲେ। ସେ ସବୁବେଳେ ଘରେ ହିଁ ରହିଥାଏ । ସବୁଦିନ ସକାଳ ୬ରୁ ମଧ୍ୟାହ୍ନ ୧୨ ଟା ଓ ଅପରାହ୍ନ ୪ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭୋଗ ଦୋକାନରେ ଜଗି ବସିଥାଏ। ଘରର ପୁଅ ପରି, ଭବାନୀ ତାକୁ ମଧ୍ୟ ସ୍ନେହ ଆଦର କରିଥାନ୍ତି। କ୍ଷୁଦ୍ରପ୍ରାଣୀ ହେଲେ ବି ମଣିଷର ଭାବନାକୁ ସେ ବୁଝି ପାରିଛି। ଋଣ ଶୁଝିବା ପାଇଁ ମାଲିକିଆଣୀ ପାଖେ ରହି ଭୋଗ ସାମଗ୍ରୀ ବିକ୍ରି କରିବାରେ ସାହାଯ୍ୟ କରିଆସୁଛି।
ରାଜ୍ୟ
ଭୋଗ ସାମଗ୍ରୀ ର ମାଲିକ ଘରର ପୋଷା ବିରାଡ଼ି : ଗ୍ରାହକ ଆସିଲେ ଡାକ ପକାଉଛି ମାଲିକୀଆଣୀକୁ ।
- Hits: 7