ହେଡଲାଇନସ୍:

କିମ୍‍ସରେ ଅଢ଼େଇ ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର,୭ ବିଭାଗର ୧୫ ଡାକ୍ତର ଶିଶୁକୁ ଦେଲେ ନୂଆ ଜୀବନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର, ୭ ।୧୦: କିମ୍‍ସର ୭ଟି ବିଭାଗର ୧୫ଜଣ ଡାକ୍ତର ଓ ବିଶେଷଜ୍ଞଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ନୂଆ ଜୀବନ ପାଇଛି ଜଣେ ୨ ବର୍ଷ ୭ ମାସ ବୟସର ଶିଶୁ କନ୍ୟା। ପ୍ରଥମ ଥର ପାଇଁ ଓଡ଼ିଶାର କିମ୍‍ସରେ ଏଭଳି ଏକ ଜଟିଳ ଯକୃତ ଅସ୍ତ୍ରୋପଚାର ଉଦାହରଣ ସୃଷ୍ଟି କରିଛି। ଶିଶୁର ଯକୃତରେ ହେପାଟୋବ୍ଲାଷ୍ଟୋମା ନାମକ ଏକ ବିରଳ ଟ୍ୟୁମର ହୋଇଥିଲା। ଏହା ଶିଶୁଟିର ଫୁସ୍‍ଫୁସ୍‍ ପର୍ଯ୍ୟନ୍ତ ବ୍ୟାପିଯାଇଥିଲା। ଶିଶୁଟି ପେଟରେ ମାସ ମାସ ଧରି ଯନ୍ତ୍ରଣା ଅନୁଭବ କରିବା ସହ ପେଟ ଫୁଲି ରହୁଥିଲା ଏବଂ ତାର ଭୋକ କମିଯାଇଥିଲା। ବହୁ ଡାକ୍ତରଖାନାରେ ଚିକିତ୍ସା ପରାମର୍ଶ ନେଇଥିଲେ ମଧ୍ୟରେ ଶିଶୁଟିକୁ ଯନ୍ତ୍ରଣାରେ ଉପଶମ ମିଳି ନଥିଲା। ପରେ ଶିଶୁଟିର ବାପା ମା ତାକୁ କିମ୍‍ସକୁ ଆଣି ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ପରୀକ୍ଷା ନିରୀକ୍ଷା ପରେ ଶିଶୁଟିର ଯକୃତରେ ହେପାଟୋବ୍ଲାଷ୍ଟୋମା ନାମକ ବିରଳ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। କିମ୍‍ସ ହେମାଟୋ ଅନ୍‍କୋଲୋଜିଷ୍ଟ ଡା ପଳାସ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୁରନ୍ତ କେମୋଥେରାପି ଆରମ୍ଭ କରାଯାଇଥିଲା। କେମୋ ଦେବା ପରେ ଶିଶୁଟିର ଅବସ୍ଥାରେ ଉନ୍ନତି ଆସିଥିଲେ ମଧ୍ୟ ଅସ୍ତ୍ରୋପଚାର ଦୃଷ୍ଟିରୁ ଟ୍ୟୁମରଟି ବଡ଼ ଥିଲା। ଶିଶୁଟିର ଏଭଳି ଅବସ୍ଥାରେ କିମ୍‍ସର ଇଣ୍ଟରଭେନ୍‍ସନାଲ୍‍ ରେଡିଓଲୋଜିଷ୍ଟ ଡା. ସ୍ୱାତୀ ଦାସଙ୍କ ପରାମର୍ଶ କ୍ରମେ ଟେସ୍‍ (ଟ୍ରାନ୍‍ସଆର୍ଟେରିଆଲ୍‍ କେମୋଏମ୍ବୋଲାଇଜେସନ୍‌) ପ୍ରକ୍ରିୟାରେ କେମୋ ପ୍ରଦାନ କରାଯାଇଥିଲା। ଏହି ପ୍ରକ୍ରିୟାରେ ଟ୍ୟୁମରକୁ ଯାଇଥିବା ରକ୍ତବାହୀ ନଳୀରେ କେମୋ ପ୍ରଦାନ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଏହି ପ୍ରକ୍ରିୟାରେ ଟ୍ୟୁମରଟିର ଆକାର ହ୍ରାସ ପାଇଥିଲା। ଫଳରେ ଅସ୍ତ୍ରୋପଚାର ପାଇଁ ସହଜ ହୋଇଥିଲା। ପରେ ୭ଟି ବିଭାଗର ୧୫ଜଣ ଡାକ୍ତରଙ୍କ ମିଳିତ ସହଯୋଗରେ ଶିଶୁଟିର ଯକୃତ ଟ୍ୟୁମରର ଅସ୍ତ୍ରୋପଚାର କରାଯାଇଥିଲା। ଏଥିରେ ଶିଶୁ ଶଲ୍ୟ ବିଭାଗ ମୁଖ୍ୟ ଡା. ପି. କେ ଜେନାଙ୍କ ନେତୃତ୍ୱରେ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ଡା ବେଦବ୍ୟାସ ମହାପାତ୍ର, ଶିଶୁ ଶଲ୍ୟ ବିଶେଷଜ୍ଞ ଡା. ବର୍ଷା ଏମ୍‍ ତୋତାଦ୍ରିଙ୍କ ଦ୍ୱାରା ନିଶ୍ଚେତକ ଟିମ୍‍ର ସହଯୋଗରେ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ଶିଶୁ ବିଭାଗ ଆସିୟୁରେ ଶିଶୁରୋଗ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ଡା. ଜିତେନ ସାହୁ ଓ ଆସିୟୁ ଟିମ୍‍ ଶିଶୁର ଉପଯୁକ୍ତ ଯତ୍ନ ନେଇଥିଲେ। ଏବେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଖବରରେ ସନ୍ତୋଷ ପ୍ରକାଶ କରି କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇବା ସହ ଶିଶୁର ସୁସ୍ଥ ଜୀବନ କାମନା କରିଛନ୍ତି।

0
0
0
s2sdefault