ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ଜହ୍ନି ଓଷା ହେଉଛି ସଂସ୍କୃତି ସମ୍ପନ୍ନ ଗଂଜାମ ଜିଲ୍ଲାର ଏକ ନିଆରା ପର୍ବ I ଶହ ଶହ ବର୍ଷ ଧରି ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ବିଶେଷକରି କୁମାରୀ ଝିଅ ମାନେ ଏହି ପର୍ବ ପାଳନ କରି ଆସୁଛନ୍ତି I ଏହି ପର୍ବ ଭାଦ୍ରବ ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣମୀରେ ଉଦଯାପିତ ହୋଇଥାଏ I କୁମାରୀ ମାନେ ଉତ୍ତମ ବରପାତ୍ର ପାଇବା ନିମାନ୍ତେ ଅତ୍ୟନ୍ତ ନିଷ୍ଠାର ସହିତ ଏହି ପର୍ବ ପାଳନ କରିଥାନ୍ତି I ଏହି ପର୍ବରେ କୁମାରୀ ମାନେ ସାଧରଣତଃ ମାଆ ବୃନ୍ଦାବତୀ ଏବଂ ଚନ୍ଦ୍ରକୁ ପୂଜା କରିଥାନ୍ତି I ଗ୍ରାମର କୁମାରୀ କନ୍ୟା ମାନେ ଦଳ ଦଳ ହୋଇ ଗ୍ରାମର ବିଭିନ୍ନ ସ୍ଥାନରେ ଛାମୁଣ୍ଡିଆ ମଧ୍ୟରେ ବେଦୀ ତିଆରି କରି ସେଥିରେ ମାଆ ବୃନ୍ଦାବତୀଙ୍କୁ ସ୍ଥାପନ କରିବା ସହିତ କଳସ ବସାନ୍ତି I ପ୍ରତ୍ଯେକ ଦିନ ଶୁଦ୍ଧପୂତ ଭାବରେ ସକାଳେ ମାଆ ବୃନ୍ଦାବତୀଙ୍କ ପୂଜା କରିବା ସହିତ ସନ୍ଧ୍ୟାରେ ଜହ୍ନି ଓଷା ଗୀତ ଗାଇ ମାଆ ବୃନ୍ଦାବତୀ ଏବଂ ଚନ୍ଦ୍ରଙ୍କୁ ପୂଜା କରିଥାନ୍ତି I ଏହି ପୂଜାରେ ମୁଖ୍ୟତଃ ଜହ୍ନି ଫୁଲ, କଖାରୁ ଫୁଲ, କାକୁଡ଼ି ଫୁଲ ଠାକୁରଙ୍କୁ ସମର୍ପଣ କରାଯିବା ସହିତ ବିଭିନ୍ନ ଫଳ ଏବଂ ଉଖୁଡ଼ା ଭୋଗ ହୋଇଥାଏ I ବ୍ରତଧାରୀ କୁମାରୀ ମାନେ ଆଶ୍ଵିନ ମାସ ସାରା ଜହ୍ନି, କାକୁଡ଼ି, କଲରା,ଆମିଷ ଏବଂ ପୋଡା ଦ୍ରବ୍ୟ ଖାଇ ନଥାନ୍ତି I ମହାଳୟା ଅମାବାସ୍ୟା, ଦଶହରାରେ ସ୍ଵତନ୍ତ୍ର ପୂଜାବିଧି ହୋଇଥାଏ I ଆଧୁନିକତାର ଛାପରେ ଏହି ଓଷା ଧିରେ ଧିରେ ଗାଆଁ ଗହଳିରୁ ଲୋପ ପାଇବାକୁ ବସିଥିବା ବେଳେ ବେଲଗୁଣ୍ଠା ସହର ଏବଂବ୍ଲକ୍ ର ଗୋବରା, ଗାଙ୍ଗପୁର ଆଦି ଅଞ୍ଚଳର ବିଭିନ୍ନ ଗ୍ରାମରେ ଆଜି ମଧ୍ୟ ଏହି ଓଷା କୁମାରୀ ମାନେ ଭକ୍ତିର ସହିତ ପାଳନ କରି ଆସୁଛନ୍ତି I ଆଜି ପବିତ୍ର କୁମାର ପୂର୍ଣ୍ଣମୀ ଅବସରରେ ଗୋବରା ସମେତ ବାସୁଦେବପୁ,ବିରିପୁର,ଡେଙ୍ଗାପଦର,ଗାଙ୍ଗପୁର,ବୋରୀ, କୁମୁଣ୍ଡି ଆଦି ଅଞ୍ଚଳରେ ଏହି ଓଷା ଉଦଯାପିତ ହୋଇଯାଇଛି I ଉଦଯାପନୀ କାର୍ଯ୍ୟକ୍ରମରେ ବ୍ରତଧାରୀ ମାନେ ଉଜାଗର ରହିଥିବା ବେଳେ ରାତିସାରା ଗାହାଣ, ଭାରତ ଲୀଳା,ପାଲା, ଦାସକାଠି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଭୋର୍ ସମୟରେ କୁମାରୀ ମାନେ ହୁଳୁହୁଳି ଦେଇ ଜଳାଶୟରେ କଳସ ବିସର୍ଜ୍ଜନ କରିଥିଲେ I
ରାଜ୍ୟ
କୁମାର ପୂର୍ଣ୍ଣମୀରେ ଜହ୍ନି ଓଷା ଉଦଯାପିତ
- Hits: 14