ହେଡଲାଇନସ୍:

ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ: ଘାସିରାମ ମାଝୀଙ୍କ ନାମ ଏଆଇସିସି ଘୋଷଣା କଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଚାରରେ କଂଗ୍ରେସ ଆଗୁଆ; ଦଳୀୟ ମହଲରେ ଆନନ୍ଦ

ଭୁବନେଶ୍ୱର, ତା ୦୭.୧୦.୨୫ :- ଆସନ୍ତା ୧୧ ନଭେମ୍ବର ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତିରେ ଆଗୁଆ ରହିଛି। ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଘାସିରାମ ମାଝୀଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ସୋମବାର ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପିସିସିର ରାଜନୈତିକ ବ୍ୟାପାର କମିଟିର ସର୍ବସମ୍ମତ ପ୍ରସ୍ତାବରେ ମଙ୍ଗଳବାର ମୋହର ଲଗାଇଛି ଏଆଇସିସି। ଆଜି ଏହି ମର୍ମରେ ଏଆଇସିସି ପକ୍ଷରୁ ସାଧାରଣ ସଂପାଦକ (ସଙ୍ଗଠନ) ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଶ୍ରୀ ମାଝୀଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷିତ ହେବାପରେ ଦଳୀୟ ମହଲରେ ଆନନ୍ଦ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରଠାରୁ ସମ୍ଭାବ୍ୟ ଉପନିର୍ବାଚନ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ମୂଳରୁ ହିଁ ଶ୍ରୀ ମାଝୀ ଦଳର ପ୍ରାର୍ଥୀ ହେବେ ବୋଲି ପିସିସି ସଭାପତିଙ୍କ ଅନୁମାନ ସତ୍ୟ ହୋଇଛି। ଗତ ୨୦୨୪ ନିର୍ବାଚନକୁ ମିଶାଇ ଶ୍ରୀ ମାଝୀ ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩ ଥର ଲଢି ହାରିଥିଲେ। ୨୦୧୪ ଓ ୨୦୧୯ରେ ସେ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିବା ବେଳେ ଗତ ୨୦୨୪ ନିର୍ବାଚନରେ ତାଙ୍କୁ ଦଳୀୟ ଟିକଟ ନ ମିଳିବାରୁ ସେ ସ୍ବାଧୀନ ଭାବେ ଲଢି ୫୦ ହଜାର ୯୪୧ ଖଣ୍ଡ ଭୋଟ୍ ପାଇବା ସହ ଦ୍ବିତୀୟ ସ୍ଥାନରେ ଥିଲେ। କଂଗ୍ରେସର ଦଳୀୟ ପ୍ରାର୍ଥୀ ତଥା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ୧୫ ହଜାରରୁ ଅଧିକ ଭୋଟ ପାଇଥିବାରୁ କଂଗ୍ରେସ ଖାତାରେ ୬୫ ହଜାରରୁ ଅଧିକ ଭୋଟ୍ ଥିବା ନେଇ ପିସିସି ସଭାପତି ଆକଳନ କରିଆସୁଥିଲେ। ତେଣୁ ଏ ଥର ସେ ଜିତିବାରେ ଅସୁବିଧା ହେବନାହିଁ ବୋଲି ଶ୍ରୀ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ବିଜେଡି ଓ ବିଜେପି କାହାକୁ ପ୍ରାର୍ଥୀ କରିବେ ସେ ନେଇ ଦ୍ବନ୍ଦ୍ବରେ ଅଛନ୍ତି। ଆହୁରି ମଧ୍ୟ ନୂଆପଡା ବିଧାନସଭା ଖଣ୍ଡ ପିସିସି ସଭାପତିଙ୍କ ଲୋକସଭା କ୍ଷେତ୍ର କଳାହାଣ୍ଡିର ଅଂଶବିଶେଷ ହୋଇଥିବାରୁ କଂଗ୍ରେସ ପ୍ରଚାର ଦୃଷ୍ଟିରୁ ଆଗୁଆ ଥିବା ସ୍ପଷ୍ଟ ହୋଇଛି। ଶ୍ରୀ ଦାସ ଗତ ସୋମବାରଠାରୁ ନୂଆପଡ଼ାରେ ୪ ଦିନ ପାଇଁ ଡେରା ପକାଇ ଅଛନ୍ତି । ପ୍ରଥମ ଦିନର ରାଲିରେ ସହସ୍ର ସଂଖ୍ୟାରେ କର୍ମୀମାନେ ଯୋଗଦେବା କଥା ଦଳରେ ଉତ୍ସାହକୁ ପ୍ରମାଣ କରୁଥିବା ସେ କହିଛନ୍ତି।

0
0
0
s2sdefault