ଭୁବନେଶ୍ୱର:ସମଗ୍ର ଭାରତବର୍ଷରେ ୪ଗୋଟି ଧାମ । ୪ ଧାମ ମଧ୍ୟରୁ ପୁରୀର ମାହାତ୍ମ୍ୟ ଅନନ୍ୟ । ବ୍ରିଟିଶ୍ ଶାସନ ସମୟରେ ପୁରୀ ସହରରେ ବହୁ ଜ୍ଞାନର ଆଲୋଚନା ହେଉଥିଲା । ସଂସ୍କୃତ ଭାଷା ପରେ ଓଡ଼ିଆରେ ସର୍ବାଧିକ ତାଳପତ୍ର ପୋଥି ଏହି ସହରରେ ଦେଖିବାକୁ ମିଳିଥାଏ । ପୁରୀ ଜ୍ଞାନର ଭଣ୍ଡାରଭାବେ ମଧ୍ୟ ପରିଚିତ । ତେଣୁ ଉତ୍ତର ପ୍ରଦେଶର ବାରାଣସୀ ଠାରେ ଥିବା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଭଳି ପୁରୀରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ଦାବି ଜୋର୍ ଧରୁଛିି । ମିଶନ୍ ଫର ସେଣ୍ଟ୍ରାଲ ୟୁନିଭରସିଟି ଆଟ୍ ପୁରୀ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ଆବାହକ ଇଂ. ଲଳିତ ପଟ୍ଟନାୟକ କହିଛନ୍ତି, ପୁରୀ ହେଉଛି ଜ୍ଞାନର ପୀଠ । ଏଠାରେ ଶତାବ୍ଦୀ ଶତାବ୍ଦୀ ଧରି ଜ୍ଞାନର ଆଲୋଚନା ହେଉଥିଲା । ଏଠାକୁ ସାରା ବିଶ୍ୱରୁ ବିଶିଷ୍ଟ ଜ୍ଞାନୀମାନେ ଆସି ଜ୍ଞାନ ଆହରଣ ସାଙ୍ଗକୁ ଚର୍ଚ୍ଚା କରୁଥିଲେ । ଏ ପରିପ୍ରେକ୍ଷୀରେ ପୁରୀରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଅତ୍ୟନ୍ତ ଜରୁରୀ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଅନ୍ୟତମ ଆବାହକ ପ୍ରଫେସର ଚିତ୍ତ ବରାଳ କହିଥିଲେ, ପୁରୀରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗତ ଦୁଇ ବର୍ଷ ହେଲା ଆମେ ପ୍ରୟାସ କରିଆସୁଛୁ । ଆମ ଦାବିକୁ ନେଇ ଆମ କମିଟି ରାଷ୍ଟ୍ରପତିଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ, ପୁରୀ ସାଂସଦ, ବିଧାୟକ, ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟାଙ୍କୁ ଏହି ବିଷୟରେ ଅବଗତ କରାଯାଇଛି । ଆଗକୁ ନିର୍ବାଚନ ଥିବାରୁ ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆମେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛୁ ବୋଲି ପ୍ରଫେସର ବରାଳ କହିଥିଲେ । କମିଟିର ଅନ୍ୟତମ ଆବାହକ ପ୍ରଦ୍ୟୁମ୍ନ ମିଶ୍ର କହିଥିଲେ, ପୁରୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ବିଶ୍ୱପ୍ରସିଦ୍ଧ । ତେଣୁ ଏଠାରେ ବିଶ୍ୱ ବିଦ୍ୟାଳୟ ନିର୍ମାଣ ହେଲେ ଜଗନ୍ନାଥଙ୍କ ସଂସ୍କୃତିର ଅନେକ ବିଷୟବସ୍ତୁର ପ୍ରଚାର ତଥା ପ୍ରସାର ହୋଇପାରିବ । ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିକୁ ବହୁ ସଂଗଠନ ତଥା ରୋଟାରି କ୍ଲବ, ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି, ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ , ପୁରୀ ବିକାଶ ପରିଷଦ, ଲାୟନ୍ସ କ୍ଲବ, ଶ୍ରୀଜଗନ୍ନାଥ ସାଂସ୍କୃତିକ ପରିଷଦ, ଶ୍ରୀକ୍ଷେତ୍ର ନାଟକ ଉତ୍ସବ କମିଟି, ପୁରୀ ପ୍ରାଇଭେଟ ସ୍କୁଲ ଟିଚର ସଂଘ ପ୍ରମୁଖ ସମର୍ଥନ କରିଛନ୍ତି । ଏ ନେଇ ଦସ୍ତଖତ ଅଭିଯାନ ସହ ପୁସ୍ତକ ମେଳାରେ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇ ପ୍ରଚାର ତଥା ପ୍ରସାର କରାଯିବା ସହ ଆଗକୁ ଆହୁରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କଠାରେ ଆମର ଦାବି ଉପସ୍ଥାପନ କରାଯିବ । ପୁରୀଠାରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ କେବଳ ପୁରୀ ନୁହେଁ ସାରା ଓଡ଼ିଶା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିବ ବୋଲି ଶ୍ରୀ ମିଶ୍ର ସାମ୍ବାଦିକଙ୍କ ନିକଟରେ ଦୃଢ ଆସ୍ଥା ପ୍ରକଟ କରିଥିଲେ । । ସାମ୍ବାଦିକ ସମ୍ମିିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିରଂଚି କରଣ, ମନୋରଞ୍ଜନ ଦାସ, ସୀମନ୍ତିନୀ ମହାନ୍ତି, ରିନା ରଏ, ସହେଲୀ ଘୋଷ ପ୍ରମୁଖ ଯୋଗଦାନ ଦେଇଥିଲେ ।
ରାଜ୍ୟ
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଭଳି ପୁରୀରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି ଜୋର୍ ଧରିଲା
- Hits: 510