ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଳମ୍ବିତ ସାର ଯୋଗାଣ ଏବଂ ସାର ଅଭାବକୁ ନେଇ କୃଷକ ଅସନ୍ତୋଷ ଏବଂ ବିଭିନ୍ନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଖବର ଆସୁଛି I ଆଜି ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ଗ୍ରାମରେ I ସାର ବଣ୍ଟନରେ ବିଳମ୍ବ ହେବାରୁ ସୃଷ୍ଟି ହୋଇଛି ଉତ୍ତେଜନାମୟ ପରିସ୍ଥିତି I ସୂଚନା ପ୍ରକାରେ ମଙ୍ଗଳପୁର ପଂଚାୟତ ଗୋଦାମ ଗୃହ ଠାରେ ଜିଲିବା ସେବା ସମବାୟ ସମିତି ମାଧ୍ୟମରେ ପ୍ରାୟ ୪୭୦ ବସ୍ତା ସାର ଚାଷୀଙ୍କୁ ବଣ୍ଟନ କରିବା ପାଇଁ ରଖାଯାଇଥିଲା I ଆଜି ସାର ବଣ୍ଟନ କରାଯିବ ବୋଲି ପୂର୍ବ ସୂଚନା ପାଇବା ପରେ ଅଞ୍ଚଳର ମହିଳା ଏବଂ ପୁରୁଷ ଚାଷୀମାନେ ରାତି ତିନିଟାରୁ ଗୋଦାମ ଗୃହ ଆଗରେ ଧାଡି଼ ବାନ୍ଧି ଅପେକ୍ଷା କରିଥିଲେ I କେହି କେହି ନିଜ ଜୋତା, ବସ୍ତା, ବ୍ୟାଗ୍ କୁ ମଧ୍ୟ ନିଜ ପ୍ରତିନିଧି ରୂପେ ଧାଡ଼ିରେ ଅପେକ୍ଷା କରାଇଥିଲେ I ସେବା ସମବାୟ ସମିତି ସମ୍ପାଦକ ସକାଳ ଦଶଟାରେ ଆସି ସାର ଦେବା ପାଇଁ ପହଞ୍ଚି ଥିଲେ I ଏହି ବିଳମ୍ବ ପାଇଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃ୍ଷ୍ଟି ହୋଇଥିଲା I ସାର ବଣ୍ଟନ ଆରମ୍ଭ ହେବାପରେ କିଛି ଲୋକ ଗୋଦାମ ଗୃହ ମଧ୍ୟକୁ ଜୋରଜବରଦସ୍ତ ଧସେଇ ପଶିବାକୁ ନେଇ ଉତ୍ତେଜନା ବଢିବା ସହିତ କିଛି ସମୟ ପାଈଁ ରାସ୍ତାରେ ଗାଡ଼ି ମଟର ଯାତାୟତ ମଧ୍ୟ ବନ୍ଦ ହୋଇଯାଇଥିଲା I ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର, ବୁଗୁଡ଼ା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା,ଏବଂ ବାଲିପଦର ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ବେଲଗୁଣ୍ଠା ପୋଲିସ୍ ର ଉପସ୍ଥିତିରେ ଲୋକଙ୍କୁ ସାର ବଣ୍ଟନ କରାଯାଇଥିଲା I ସାର ବଣ୍ଟନ ସମୟରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଘଟଣା ସ୍ଥଳ ପରିଦର୍ଶନ କରିଥିବା ସୂଚନା ମିଳିଛି I
ରାଜ୍ୟ
ସାର ମିଳିବାକୁ ନେଇ ମଙ୍ଗଳପୁରରେ ଉତ୍ତେଜନା; ପୋଲିସ୍ ଉପସ୍ଥିତିରେ ସାର ବଣ୍ଟନ
- Hits: 451











