ଗୋଟିଏ ଗୋଷ୍ଠୀର ୨ ଆହତ, ବାର ପରିଚାଳକଙ୍କ ଶଳା ଗିରଫ
ଓଡ଼ଗାଁ,୨୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସିନେମା ହଲ ଛକ ବିଅର ବାର ସାମ୍ନା ବାହାଡାଝୋଲା ମୂଖ୍ୟ ରାସ୍ତା ଉପରେ ରବିବାର ବିଳମ୍ବିତ ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଗୋଟିଏ ପକ୍ଷର ୨ ଜଣ ଗୁରୁତରଙ୍କୁ ଓଡ଼ଗାଁ ପୋଲିସ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ନୟାଗଡ଼ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପୁରୀ ଓ୍ବେ ପ୍ରିମିୟମ ହୋଟେଲରେ ମ୍ୟାନେଜର ଭାବେ କାର୍ଯ୍ୟରତ ଦେବାଶିଷ ଖିଲାର(୩୨) ଏବଂ ତାଙ୍କ ସାଥିରେ ଆସିଥିବା ରଣପୁର ଥାନା ଅଞ୍ଜରା ଗ୍ରାମର ସଞ୍ଜୟ ବେହେରା (୨୨) । ଏବଂ ସାଥିରେ ଥିବା ଇଟାମାଟି ଅଞ୍ଚଳର ଜାନକୀ ମାଝୀ (୧୫) ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଛଡାଯାଇଥିଲା । ପରେ ସଞ୍ଜୟ ବେହେରା ଆସି ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ୨୯୧ ରେ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ଅନୁସଂଧାନ ଜାରି ରଖିଛନ୍ତି । ଏଥି ସହିତ ବିଅର ବାର ପରିଚାଳକଙ୍କ ସମ୍ପର୍କିୟ ପୁରୀର ପ୍ଳାନିସ୍ ସାଇକ୍ଳୋନ ପାତ୍ରକୁ ଘଟଣାରେ ସଂପୃକ୍ତ ଥିବା ନେଇ ଥାନାକୁ ଆଣି ପୋଲିସ ପଚରା ଜାରି ରହିଛି । ତେବେ ଘଟଣା ସ୍ଥଳକୁ କାରରେ ଆସି ପାଟିତୁଣ୍ଡ ଓ ହଣାକଟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପକ୍ଷକୁ ପୋଲିସ ଖୋଜୁଛି । ଅଭିଯୋଗ ଅନୁସାରେ ଦେବାଶିଷ ଖିଲାର ଏବଂ ତାର ଦୁଇ ସାଥି ସଞ୍ଜୟ ଓ ଜାନକୀ ସହିତ ଆସି ବାହାଡାଝୋଲା ରାସ୍ତା ବିଅର ବାର ସାମ୍ନାରେ ପହଁଞ୍ଚିଥିବା ବେଳେ ରାତି ପ୍ରାୟ ୧୦ ସମୟରେ ଗୋଟିଏ କାରରେ ୩ରୁ ଅଧିକ ଯୁବକ ଆସି ସେଠାରେ ପହଞ୍ଚି ଦେବାଶିଷ ଗୋଷ୍ଠୀ ସହିତ ସେମାନଙ୍କର ଉଚ୍ଚବାଚ ହୋଇଥିଲା । ପରେ କାରରେ ଆସିଥିବା ଯୁବକମାନେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସମୟରେ ସଞ୍ଜୟ ଏବଂ ଦେବାଶିଷଙ୍କ ହାତ ଓ ଗୋଡ଼ରେ ଗଭିର କ୍ଷତ ହୋଇଥିଲା । ଦେବାଶିଷ କ୍ଷତାକ୍ତ ଅବସ୍ଥାରେ ଜୀବନ ବଞ୍ଚାଇବା ପାଇଁ ଏକ ଗାଡିତଳେ ଲୁଚି ଯାଇଥିଲେ । ଖବର ପାଇ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ କାରରେ ଆସିଥିବା ଯୁବକମାନେ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ସଞ୍ଜୟ ଓ ମାଡ ଖାଇଥିବା ଜାନକୀକୁ ଡାକ୍ତରଖାନାରେ ପହଞ୍ଚାଇ ଥିଲେ । ତେବେ ଫେସବୁକରେ ଜଣେ ଯୁବତୀଙ୍କ ସହିତ ତ୍ରିକୋଣୀୟ ପ୍ରେମକୁ ନେଇ ଏପରି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।











