ଓଡ଼ଗାଁ ସମବାୟ ସମିତିକୁ ଆସୁନି ସାର,ତହସିଲଦାରଙ୍କୁ ଅଭିଯୋଗ କଲେ ଚାଷୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ କୃଷି ସେବା ସମବାୟ ସମିତିକୁ ସାର ଆସୁନଥିବା ନେଇ କେତେକ ଚାଷୀ ମିଳିତ ହୋଇ ଗୁରୁବାର ଦିନ ସ୍ଥାନୀୟ ତହସିଲଦାର ଡ. ମାନସ ରଞ୍ଜନ ଭୋଇଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ସମବାୟ ସମିତି ସମ୍ପାଦକଙ୍କୁ ସାର ସମ୍ପର୍କରେ ପଚାରିଲେ ସେ ଚାଷୀଙ୍କୁ ବିଭିନ୍ନ କଥାକହି ଏଡ଼ାଇ ଚାଲିଥିବା ଅଭିଯୋଗ କରିଛନ୍ତି । ବାହାରେ ସାର ଦର ଆକାଶଛୁଆଁ ହୋଇଥିବା ବେଳେ ୩ ଶହ ଟଙ୍କାର ସାର ୯ ଶହ ଟଙ୍କାରେ କିଣିବା ପାଇଁ ଚାଷୀଙ୍କ ପକ୍ଷରେ ସମ୍ଭବ ପର ନୁହେଁ । ଆଗାମୀ ୨ ଦିନ ମଧ୍ୟରେ ଚାଷୀ ମାନଙ୍କୁ ସାର ଯୋଗାଇ ଦିଆନଗଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅଭିଯୋଗ ପାଇ ତହସିଲଦାର ପ୍ରଥମେ ଓଡ଼ଗାଁ ସମବାୟ ସମିତି ସମ୍ପାଦକଙ୍କ ସହିତ କଥା ହେବା ପରେ ଓଡ଼ଗାଁ ବ୍ଳକ କୃଷି ଅଧିକାରୀ ପ୍ରତିଭା ପ୍ରଧାନଙ୍କୁ ଏସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କୃଷି ଅଧିକାରୀ ସୂଚନା ପାଇବା ପରେ ସମବାୟ ସମିତିରେ ପହଁଞ୍ଚି ସଂଗ୍ରହ କରିଥିବା ତଥ୍ୟ ପ୍ରକାରେ ଓଡ଼ଗାଁ ସମବାୟ ସମିତି ଲାଇସେନ୍ସ ଅବଧି ଅଗଷ୍ଟ ମାସରେ
ସରିଯାଇଛି । ଲାଇସେନ୍ସ ନବୀକରଣ ପାଇଁ ସମିତି ପକ୍ଷରୁ ଆବେଦନ କରାଯାଇଛି । କିନ୍ତୁ ତାହା ବର୍ତମାନ ପର୍ଯ୍ୟନ୍ତ କୃଷି ଅଧିକାରୀଙ୍କ ଓ୍ବେବସାଇଟରେ ସୋ କରିନାହିଁ । ଏଣୁ ପରବର୍ତ୍ତୀ ପ୍ରକ୍ରିୟା ବିଳମ୍ବ ହେଉଛି । ଲାଇସେନ୍ସ ନବୀକରଣ ସରିବା ପରେ ସମସ୍ତ ପ୍ରକାର ପ୍ରୋଫାଇଲ୍ ଅପଡେଟେସନ କାର୍ଯ୍ୟ ପରେ ସାର ମିଳିବ । ଏହି ପ୍ରକ୍ରିୟା ଶେଷ ହେବାକୁ ନିହାତି ଭାବେ ଅଳ୍ପକିଛି ଦିନ ଲାଗିବ ବୋଲି ଜଣାପଡିଛି । ଅନ୍ୟ ପକ୍ଷରେ ସାର ରଖିବା ସମିତିର ଗୋଦାମ ଗୃହ ନଥିବା ବେଳେ ନୂତନ ଗୋଦାମ ଗୃହ ନିର୍ମାଣାଧୀନ ରହିଛି । ଏଣୁ ସାର ପହଁଞ୍ଚିବା ପରେ ରଖିବା ନେଇ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଛି ।

0
0
0
s2sdefault