ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: କନ୍ଧମାଳ ଜିଲ୍ଲାରୁ ଏକ କାର୍ ଯୋଗେ ଭୁବନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଆଜି ଗୁରୁବାର ସେପ୍ଟେମ୍ବର ମାସ ୧୮ ତାରିଖ ୨୦୨୫ ଦିନ ମାଡି ବସିଛି ଭଞ୍ଜନଗର ଅବକାରୀ ବିଭାଗ। ଅବକାରୀ ଟିମ୍ ଫୁଲବାଣୀ-ଭଞ୍ଜନଗର-ବ୍ରହ୍ମପୁର ରାସ୍ତା ବାଉଁଶଲୁଣ୍ଡି ବାଇପାସ ଛକ ନିକଟରେ ଚଢ଼ାଉ କରି ୪୫ କେଜି ଗଞ୍ଜେଇ ସହ ଏକ କାରକୁ ଜବତ କରିଛି। ଏହି ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଗଞ୍ଜାମ ଜିଲ୍ଲା କବିସୁର୍ଯ୍ୟନଗର ଥାନା ସାନ୍ତରାପୁରର ପ୍ରଦୀପ ବିଷୋୟୀ,କୋଦଳା ଥାନା ଦାନପୁର ଗ୍ରାମର ବାବୁଲା ଭୁୟାଁ ଓ ଜଗନ୍ନାଥ ବିଷୋୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଏସ୍ ଆଇ ଅଲିଭା ମାଝୀ ସୁଚନା ଦେଇଛନ୍ତି। ଏହି ଗିରଫ ରେ ଅନେକ ନାବାଳକ ଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି।
ସୁଚନାନୁସାରେ, ଗୁରୁବାର ଗିରଫ ତିନି ଜଣ ଏକ କାର୍ ରେ ଗଞ୍ଜେଇ ଧରି କନ୍ଧମାଳ ଜିଲ୍ଲା ରୁ ଭାୟା ଭଞ୍ଜନଗର ଦେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। ଭଞ୍ଜନଗର ଅବକାରୀ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ସୁତ୍ରରୁ ଖବର ପାଇ ଭଞ୍ଜନଗର ଅବକାରୀ ଟିମ୍ ଫୁଲବାଣୀ -ଭଞ୍ଜନଗର-ବ୍ରହ୍ମପୁର ରାସ୍ତା ବାଉଁଶଲୁଣ୍ଡି ବାଇପାସ ଛକ ନିକଟରେ କାର୍ କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡି ମଧ୍ୟରୁ ଦୁଇଟି ଜରି ଅଖା ଭର୍ତ୍ତି ଗଞ୍ଜେଇ ବାହାରିଥିଲା। ପରେ ଜବତ ଗଞ୍ଜେଇ କୁ ମାଜିଷ୍ଟ୍ରେଟ ଫକୀର ଜୀବନଜୋତି ନାୟକଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା।ଏହି ମାମଲାରେ ଅବକାରୀ ବିଭାଗ ଏକ ମାମଲା ରୁଜ୍ଜୁ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅବକାରୀ ନିରୀକ୍ଷକ ଡମ୍ବରୁଧର ହରିଜନ,ଏସ ଆଇ ଅଲିଭା ମାଝୀଙ୍କ ସମେତ ଅବକାରୀ ଟିମ୍ ଚଢାଉରେ ସାମିଲ ଥିଲେ।