ଭୁବନେଶ୍ୱର, ୧୭/୦୯/୨୦୨୫ : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଟାଟା ଷ୍ଟିଲକୁ ରାଜ୍ୟର ଅନ୍ୟତମ ଷ୍ଟାର ଏମ୍ପ୍ଲୟର (ତାରକା ନିଯୁକ୍ତିଦାତା) ଭାବେ ସମ୍ମାନିତ କରିଛନ୍ତି । ଭୁବନେଶ୍ୱରରେ ଆୟୋଜିତ ୨୭ ନୂତନ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ସମାରୋହ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ କମ୍ପାନୀକୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।
ଟାଟା ଷ୍ଟିଲ କଳିଙ୍ଗନଗରର ହ୍ୟୁମାନ ରିସୋର୍ସେସ (ମାନବ ସମ୍ବଳ) ବିଜନେସ୍ ପାର୍ଟନର-ଇସ୍ପାତ ମୁଖ୍ୟ ଯଶୋବନ୍ତ କୁମାର ପାଣ୍ଡେ ଏବଂ ଟାଟା ଷ୍ଟିଲ କଳିଙ୍ଗନଗର ୱାରକର୍ସ ୟୁନିଅନର ସଭାପତି ରବୀନ୍ଦ୍ର କୁମାର ଜାମୁଦା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରଶଂସା ପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ । ସୂଚନା ଥାଉକି, ରାଜ୍ୟରେ ଏଯାବତ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରି ଟାଟା ଷ୍ଟିଲ ଓଡ଼ିଶାକୁ ଏହାର ସର୍ବବୃହତ ନିବେଶସ୍ଥଳ ଭାବେ ପରିଣତ କରିଛି । କମ୍ପାନୀ ପକ୍ଷରୁ ରାଜ୍ୟରେ ମୋଟ ୧୬,୮୩୩ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରାଯାଇଛି ଯାହାର ଶତକଡ଼ା ୫୫ ଭାଗରୁ ଉର୍ଦ୍ଧ୍ୱ ଓଡ଼ିଶା ବାସିନ୍ଦା ରହିଛନ୍ତି ।
ଯାଜପୁର ଜିଲ୍ଲା କଳିଙ୍ଗନଗରରେ କମ୍ପାନୀର (ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ସମେତ) ଦୁଇଟି ଏବଂ ଢେଙ୍କାନାଳର ମେରାମଣ୍ଡଳୀରେ ଗୋଟିଏ ପ୍ରମୁଖ ସମନ୍ୱିତ ଇସ୍ପାତ କାରଖାନା ରହିଛି । ଏଥିସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ କମ୍ପାନୀ ଏହାର ଖଣି କାର୍ଯ୍ୟ ଏବଂ ଫେରୋ ଆଲଏଜ କାରଖାନା ପରିଚାଳନା କରୁଛି ।
ଗତବର୍ଷ କଳିଙ୍ଗନଗରରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ୨୭,୦୦୦ କୋଟି ଟଙ୍କା ନିବେଶ କରି ଟାଟା ଷ୍ଟିଲ ଭାରତର ସବୁଠାରୁ ବଡ ବ୍ଲାଷ୍ଟ ଫର୍ନେସକୁ ସଫଳତାର ସହିତ କାର୍ଯ୍ୟକ୍ଷମ କରିଛି । ଏହାଦ୍ୱାରା କାରଖାନାର ମୋଟ ଉତ୍ପାଦନ କ୍ଷମତା ବାର୍ଷିକ ୩ ନିୟୁତ ଟନ୍ (ଏମଟିପିଏ)ରୁ ବୃଦ୍ଧି ପାଇ ୮ ଏମଟିପିଏ ହୋଇଛି ।
କମ୍ପାନୀର ସିଏସ୍ଆର୍ ଶାଖା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ୨୦୨୪-୨୫ ଆର୍ଥôକ ବର୍ଷରେ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବନଜୀବିକା, ଲିଙ୍ଗଗତ ଏବଂ ସାମାଜିକ ଉଦ୍ୟୋଗ, ଭିତ୍ତିଭୂମି ଏବଂ ଆଦିବାସୀଙ୍କ ଉନ୍ନୟନ କ୍ଷେତ୍ରରେ ବିନିଯୋଗ କରାଯାଇ ରାଜ୍ୟର ୮ ଜିଲ୍ଲାର ୨୭ଟି ବ୍ଲକର ୨.୯ ନିୟୁତ ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଅଣାଯାଇ ପାରିଛି ।